ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୨ରେ ନୂଆଦିଲ୍ଲୀରେ କଂଗ୍ରେସ ବୈଠକ।

ଓଡ଼ିଶା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧି। ୨୨ ତାରିଖରେ ହେବ ବୈଠକ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ସବୁ ବିଧାୟକ ଏବଂ ବରିଷ୍ଠ ନେତା ଦିଲ୍ଲୀ ଯିବେ।

ତେବେ କେଉଁ ପ୍ରସଙ୍ଗରେ ସୋନିଆ ହଠାତ୍‌ ଓଡ଼ିଶାର କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିଲେ ତାକୁ ନେଇ କାରଣ ଖୋଜା ଚାଲିଛି।

ଗତ ନିର୍ବାଚନରେ କଂଗ୍ରେସ ସାରା ଦେଶରେ ଶୋଚନୀୟ ଭାବେ ପରାଜିତ ହୋଇଛି। ବିଶେଷକରି ଓଡ଼ିଶାରେ ଦଳ କ୍ଷତିଗ୍ରସ୍ତ ହୋଇଛି। ଗତ ୧୯ ବର୍ଷ ହେଲା ଯେଉଁ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ରହିଥିଲା ସେ ଏଥର ତୃତୀୟ ସ୍ଥାନକୁ ଖସି ଆସିଛି। ବିଧାୟକଙ୍କ ସଂଖ୍ୟା ମଧ୍ୟ କମିଛି।

୨୦୧୪ରେ ୧୬ ବିଧାୟକ ଥିବା ବେଳେ ଏଥର ତାହା ୯କୁ ଖସି ଆସିଥିଲା। ସେହିପରି ଗୋଟିଏ ଲୋକସଭା ଆସନକୁ ହାରୁ ହାରୁ ଜିତିଥିଲା କଂଗ୍ରେସ। ଓଡ଼ିଶାରେ କଂଗ୍ରେସକୁ କିପରି ଆଗକୁ ନିଆଯିବ ସେନେଇ ଆଲୋଚନା କରିବାକୁ ସୋନିଆ ଦିଲ୍ଲୀ ଡାକିଥିବା ଚର୍ଚ୍ଚା ହେଉଛି।

‘‘ସୋନିଆ ଗାନ୍ଧି ଆମକୁ ଦିଲ୍ଲୀ ଡାକିଛନ୍ତି। ପ୍ରାୟ ସବୁ ବରିଷ୍ଠ ନେତା ଦିଲ୍ଲୀ ଯିବୁ। ସେଠି କ’ଣ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନି। ଆଗକୁ ପୌର ନିର୍ବାଚନ ଆସୁଥିବାରୁ ସେ ବିଷୟରେ ଆଲୋଚନା ହୋଇପାରେ’’, କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ। କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟର କଂଗ୍ରେସ ନେତାମାନେ ଦିଲ୍ଲୀ ଆସିବେ। ସଙ୍ଗଠନ ସୁଦୃଢ଼ ଉପରେ ଫୋକସ୍‌ ରହିବ।’’

୨୦୧୯ରେ କଂଗ୍ରେସ ପରାଜିତ ହେବା ପରେ ରାହୁଲ ଗାନ୍ଧି ସଭାପତି ପଦରୁ ଇସ୍ତଫା ଦେଇଥିଲେ। ରାହୁଲଙ୍କ ପରେ କିଏ କଂଗ୍ରେସର ଅଧ୍ୟକ୍ଷ ହେବେ ତାକୁ ନେଇ ଚର୍ଚ୍ଚ ଲାଗି ରହିଥିଲା। ଶେଷରେ ସୋନିଆ ଗାନ୍ଧିଙ୍କୁ ସିଡବ୍ଲ୍ୟୁସି ବୈଠକରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା।

ସୋନିଆ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ନୁହନ୍ତି। ଏଣୁ ସୋନିଆ ଚାହୁଁଛନ୍ତି କେହି ଜଣେ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ରୁହନ୍ତୁ। ତେବେ କାହାକୁ ଅଧ୍ୟକ୍ଷ କଲେ ଦଳ ମଜଭୁତ ହେବ ସେ ବିଷୟରେ ଆଲୋଚନା କରିବାକୁ ସୋନିଆ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିଥିବା ଚର୍ଚ୍ଚା ହେଉଛି।

Comment