ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷରେ ସରକାର ବୁଝିଲେ ଆଗେ ପ୍ୟାକେଜ ପରେ ଉଚ୍ଛେଦ। ପୁରୀ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଥଇଥାନ ବିନା ଉଚ୍ଛେଦକୁ ବିଭିନ୍ନ ମହଲରେ ସମାଲୋଚନା କରିବା ପରେ ଏବେ ସରକାର ଏକଥା ବୁଝିପାରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ବୁଧବାର ଉଚ୍ଛେଦରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିପାରନ୍ତି। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି।

ବୁଧବାର ପୁରୀ ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ଘୋଷଣା କରିପାରନ୍ତି।

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ୭୫ ମିଟର ବ୍ୟବଧାନରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି। ତେବେ ବିନା ଥଇଥାନରେ ଉଚ୍ଛେଦ ଆରମ୍ଭ ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ଆଜି ରବିବାର ଏବଂ ଆସନ୍ତାକାଲି ଗଣେଶ ପୂଜା ଥିବାରୁ ବର୍ତ୍ତମାନ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରାଯାଇଛି। ତେବେ ସରକାର ବିସ୍ଥାପିତ ଲୋକମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପରେ ଉଚ୍ଛେଦ କାର୍ଯ୍ୟ ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି।

Comment