ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ‘ପପୁ’। ଏକଥା ଆଉ କେହି ନୁହେଁ ଇମ୍ରାନଙ୍କ ଦ୍ୱିତୀୟ ସ୍ତ୍ରୀ ରେହମ ଖାନ୍‌ କହିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଜାରୀ କରି ରେହମ ତାଙ୍କ ପୂର୍ବତନ ସ୍ୱାମୀ ଇମ୍ରାନଙ୍କୁ କଶ୍ମୀର ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି।

‘‘କଶ୍ମୀର ପ୍ରସଙ୍ଗରେ ଇମ୍ରାନ ସରକାର ପଛଘୁଞ୍ଚା ଦେଇଛନ୍ତି। ଲୋକଦେଖାଣିଆ ଭାବେ ସେ ତାଙ୍କ ସରକାରର ନେତା ମନ୍ତ୍ରୀମାନେ ରାସ୍ତା ଉପରକୁ କେତେବେଳେ ଆସୁଛନ୍ତି ତ ଆଉ କେତେବେଳେ ବିକ୍ଷୋଭ କରୁଛନ୍ତି। ହେଲେ ଏସବୁରେ କଶ୍ମୀର ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏହା କେବଳ ନାଟକବାଜି। ଲୋକେ ଏଥିରେ ଅତିଷ୍ଠ ହୋଇଗଲେଣି’’, କହିଛନ୍ତି ରେହମ ଖାନ୍‌।

‘‘ଇମ୍ରାନ ସରକାର ଠିକ୍‌ ଢଙ୍ଗରେ କଶ୍ମୀର ପ୍ରସଙ୍ଗକୁ ଉଠାଇ ପାରୁନାହାନ୍ତି। ମୁଁ ଏଥିପାଇଁ ତାଙ୍କୁ ‘ପପୁ’ କହିଛି’’, ଇମ୍ରାନଙ୍କୁ ଏମିତି କଟାକ୍ଷ କରିଛନ୍ତି ରେହମ୍‌।

ଇମ୍ରାନ ଖାନ୍‌ଙ୍କ ଉଦ୍ଦେଶ୍ୟରେ ସେ ଆହୁରି କହିଛନ୍ତି, ‘‘ମୋଦି ରାତାରାତି କଶ୍ମୀରକୁ ନିଜ ହାତମୁଠାକୁ ନେଇଗଲେ। ଏ ସମ୍ପର୍କରେ ଆପଣ କିଛି ବି ଜାଣି ପାରିଲେ ନାହିଁ। ଆପଣ ମୋଦିଙ୍କୁ ସମାଲୋଚନା କରି କଶ୍ମୀରକୁ ଆଉ ନିଜ କବ୍‌ଜାକୁ ଫେରାଇ ନେଇ ପାରିବେ ନାହିଁ। ପାକିସ୍ତାନ ଲୋକଙ୍କୁ ଭକୁଆ ବନେଇବା ବନ୍ଦ କରନ୍ତୁ।’’

ପୂର୍ବରୁ ମଧ୍ୟ ଇମ୍ରାନ ସରକାରଙ୍କ ନୀତିକୁ ରେହମ ସମାଲୋଚନା କରିଛନ୍ତି। ଏବେ କଶ୍ମୀର ପ୍ରସଙ୍ଗରେ ପୁଣି ଇମ୍ରାନଙ୍କୁ କଟାକ୍ଷ କରିଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଘାବରେଇ ଯାଇଥିଲା। ଭାରତକୁ ଅପଦସ୍ତ କରିବା ପାଇଁ ଇମ୍ରାନ୍ ଖାନ୍‌ ଜାତିସଂଘ ସୁରକ୍ଷା ପରିଷଦରେ ଚୀନ ସହାୟତାରେ ଏହି ଦାବି ଉଠାଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତା ଲୋଡ଼ିଥିଲେ। ହେଲେ ସବୁଠି ନିରାଶ ହୋଇଥିଲା ପାକିସ୍ତାନ।

Comment