ଓଡ଼ିଶାଲାଇଭ୍ ବ୍ୟୁରୋ

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିବା ପାଇଁ ଆଉ ମାତ୍ର ଅଳ୍ପ କେଇ ଘଣ୍ଟାର ଅପେକ୍ଷା। ସବୁଠାରୁ ବଡ଼ ଆଶା ବାନ୍ଧିଥିବା ଏହି ଚନ୍ଦ୍ରଯାନ -୨ ର ସଫଳ ଅବତରଣ ଉପରେ କେବଳ ଭାରତ ଭିତରେ ନୁହେଁ ସମଗ୍ର ବିଶ୍ୱ ବାସୀଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଯାନ ଦ୍ୱିତୀୟର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଯଦି ସଫଳତାର ସହ ସମ୍ପନ୍ନ ହୁଏ ଏଭଳି ଦକ୍ଷତା ହାସଲ କରିବାରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ।

କେମିତି ପହଁଚିବ ବିକ୍ରମ

ଗତ ବୁଧବାର ଦିନ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ ଆବଶ୍ୟକୀୟ ଅର୍ବିଟ ବା କକ୍ଷପଥରେ ପହଞ୍ଚି ଯାଇଥିବା ଖବର ଆମେ ପଢ଼ିଥିଲେ। ଆଜି ରାତି ଗୋଟାଏରୁ ଦୁଇଟା ମଧ୍ୟରେ ବିକ୍ରମ ଚନ୍ଦ୍ର ଆଡ଼କୁ ଆଗେଇବା ଆରମ୍ଭ କରିବ। ଚନ୍ଦ୍ରର ଶେଷ ଅର୍ବିଟରୁ ବାହାରିବା ପରେ ବିକ୍ରମ ଲାଣ୍ଡିଂ ପାଇଁ ଅଣ୍ଟା ଭିଡ଼ିବ। ପ୍ରଥମେ୧୦ ମିନିଟରେ ବିକ୍ରମ ୭.୭ କିମି ଉଚ୍ଚତା ପର୍ଯ୍ୟନ୍ତ ଉଠିବ ଓ ତା ପର ୫୮ ସେକେଣ୍ଡ ମଧ୍ୟରେ ଆଉ ୫ କିମି ଉଚ୍ଚତାରେ ପହଞ୍ଚିବ। ଏହାର ୮୯ ସେକେଣ୍ଡ ପରେ ୪୦୦ମିଟର ଓ ଆଉ ୬୬ ସେକେଣ୍ଡ ପରେ ୧୦୦ ମିଟର ଉଚ୍ଚତାରେ ବିକ୍ରମ ପହଞ୍ଚିବ।

ଦକ୍ଷିଣ ମେରୁ

ଚନ୍ଦ୍ରପୃଷ୍ଠର ୧୦୦ ମିଟର ଦୂରରେ ଥାଇ ବିକ୍ରମ ନିଜେ ଲାଣ୍ଡିଂ ସ୍ଥାନର ଚୟନ କରିବ।ଇସ୍ରୋ ଆଗରୁ ହିଁ  ଦକ୍ଷିଣ ମେରୁ ଉପରେ ଗୁରୁତ୍ୱ ଅନୁସାରେ ଦୁଇଟି ସ୍ଥାନ ସ୍ଥିର କରି ସାରିଛି।ଇସ୍ରୋ ପକ୍ଷରୁ  ଯେଉଁ ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି ତାହା ଏଭଳି କରାଯାଇଛି ଯେ ଲାଣ୍ଡିଂ ସମୟରେ ସୂର୍ଯ୍ୟ ବିକ୍ରମର ଠିକ୍ କୋଣ ବା ଆଙ୍ଗଲରେ ରହିଥିବ।ମେଞ୍ଜିନିୟସ ଓ ସିମ୍ପିଲିୟସ ନାମକ ଦୁଇଟି କ୍ରେଟର ବା ଜ୍ୱାଳାମୁଖ ମଧ୍ୟରେ ଦକ୍ଷିଣ ମେରୁର ପ୍ରାୟ ୩୫୦ କିମି ଦୂରରେ ବିକ୍ରମ ଲାଣ୍ଡିଂ କରିବ ବୋଲି ଇସ୍ରୋର ବୈଜ୍ଞାନିକ ମାନେ ସ୍ଥିର କରିଛନ୍ତି।

ସ୍ଥିତିକୁ ଦେଖି ନିଷ୍ପତ୍ତି

ଲାଂଡର ବିକ୍ରମ୍  ପାଇଁ  ଯେଉଁ ଦୁଇଟି ସ୍ଥାନଟି ଚିହ୍ନଟ କରାଯାଇଛି ସେଥି ମଧ୍ୟରୁ କେଉଁଟିରେ ଲାଣ୍ଡିଂ କରିବ ତାହା  ସେ ସମୟର ସ୍ଥିତିକୁ ଦେଖି ନିଷ୍ପତ୍ତି କରିବ।ସ୍ଥିର କରିବା ପରେ ୭୮ ସେକଣ୍ଡ ଭିତରେ ବିକ୍ରମ କିଛିଟା ବୁଲିବା ସହ ରାତି ସାଢ଼େ ୧ଟା ରୁ ୨ଟା ୩୦ ମଧ୍ୟରେ ସଫ୍ଟ ଲାଣ୍ଡିଙ୍ଗ କରିବ। ଯଦି ଲ୍ୟାଣ୍ଡର ପ୍ରଥମ ସ୍ଥାନରେ ଅବତରଣ ପାଇଁ ନିଷ୍ପତ୍ତି ନିଏ ତେବେ ଏହା ଲକ୍ଷ୍ୟ ସ୍ଥାନର ଦଶ ମିଟର ଦୂରରେ ପହଁଚି ଯାଇପାରିବ। ଆଉ ଯଦି  ଦ୍ୱିତୀୟ ସ୍ଥାନରେ ଓହ୍ଲାଇ ବା ପାଇଁ ନିଷ୍ପତ୍ତି ନିଏ ପ୍ରଥମ ୬୦ ସେକେଣ୍ଡରେ ୬୦ ମିଟର, ପରବର୍ତ୍ତୀ ୨୫ ସେକେଣ୍ଡରେ ୧୦ ମିଟର ଦୂରତାରେ ପହଞ୍ଚିବ। ତା’ ପରେ ତଳକୁ ଆସିବା ପାଇଁ ବିକ୍ରମକୁ ୧୩ ସେକେଣ୍ଡ ଲାଗିବ। ସତ କହିବାକୁ ଗଲେ,ସଫ୍ଟ ଲାଣ୍ଡିଙ୍ଗ ଉପରେ ହିଁ ଇସ୍ରୋ ବୈଜ୍ଞାନିକ ମାନଙ୍କ ନଜର ଲାଖି ରହିଛି କାରଣ ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ତା ପରେ କଣ ହେବ?

ସଫ୍ଟ ଲାଣ୍ଡିଙ୍ଗ କରି ସାରିବା ପରେ ଶନିବାର ସକାଳ ସାଢ଼େ ୫ଟାରୁ ସାଢ଼େ ୬ଟା ମଧ୍ୟରେ ବାହକ ରୋଭର (ନାମ ଦିଆ ଯାଇଛି ‘ପ୍ରଜ୍ଞାନ’) ସେକେଣ୍ଡ ପିଛା ଏକ ସେଣ୍ଟିମିଟର ବେଗରେ ବିକ୍ରମ ଠାରୁ ଅଲଗା ହେବା ଆରମ୍ଭ କରିବ।ଠିକ୍ ଏହା ପରେ ପରେ ବିକ୍ରମ ପକ୍ଷରୁ  ସମସ୍ତ ବୈଜ୍ଞାନିକ ପ୍ରୟୋଗ ଆରମ୍ଭ ହୋଇଯିବ।ଏଣେ ରୋଭର ତାର ଅର୍ବିଟ ବା କକ୍ଷପଥରେ ଘୁରି ବୁଲୁଥିବା ବେଳେ  ବିକ୍ରମ ଦକ୍ଷିଣ ମେରୁରେ  ତା କାମ କରି ଚାଲିଥିବ।

Comment