ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗ୍‌ ବି’ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ‘କୌନ ବନେଗା କରୋଡପତି’(କେବିସି)ର ଦ୍ଵିତୀୟ କୋଟିପତି ଅମରାବତୀର ବବିତା ତାଡେ। ବବିତା ହେଉଛନ୍ତି କେବିସି ସିଜନ୍‌ ୧୧ର ଦ୍ୱିତୀୟ କୋଟିପତି।

ସୋନି ଟିଭି ତାର ଟୁଇଟର୍ ପେଜ୍‌ରେ ବବିତାଙ୍କ ଏକ ପ୍ରୋମେ ଭିଡିଓ ଅପଲୋଡ୍ କରି ତାଙ୍କୁ କେବିସିର କୋଟିପତି ବିଜେତା ଭାବେ ଘୋଷଣା କରିଛନ୍ତି।

ବବିତା ତାଡେ, ପେଶାରେ ଜଣେ ‘ମିଡ୍ ଡେ ମିଲ୍’ କୁକ୍। ସେ ପ୍ରତିଦିନ ୪୫୦ ପିଲାଙ୍କ ପାଇଁ ଖେଚୁଡି ତିଆରି କରନ୍ତି। ଆଉ ଏହି ବାବଦରେ ତାଙ୍କୁ ମାତ୍ର ୧୫୦୦ ଟଙ୍କା ବେତନ ମିଳେ। କିନ୍ତୁ ତାଙ୍କର ଏଥିପାଇଁ କୌଣସି ମନଦୁଃଖ ନାହିଁ। କାରଣ ପିଲାଙ୍କ ପାଇଁ ଖାଇବା ତିଆରି କରିବା ତାଙ୍କୁ ଭଲ ଲାଗେ ବୋଲି ଏହି ପ୍ରୋମୋ ଭିଡିଓରେ ସେ କହିଛନ୍ତି।

୧୫୦୦ ଟଙ୍କା ଭତ୍ତାରେ ଖୁବ୍ ଅଭାବ ଅନାଟନରେ ଚଳନ୍ତି ବବିତାଙ୍କ ପରିବାର। ତାଙ୍କ ପରିବାରରେ କେବଳ ଗୋଟିଏ ମୋବାଇଲ୍ ଫୋନ୍ ଥିଲା। ଯାହା ସାହାଯ୍ୟରେ ବବିତା କେବିସି ଯାଏଁ ପହଞ୍ଚିଥିଲେ। ଗୋଟିଏ ମୋବାଇଲ୍ ଫୋନ୍ କିଣିବା ଆଶାରେ କେବିସିକୁ ଆସିଥିଲେ ବବିତା। କିନ୍ତୁ ତାଙ୍କର ଭାଗ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କଲା। ସେ କେବିସି ବିଜେତା ହେବା ସହ ଅମିତାଭ ବଚ୍ଚନଙ୍କଠାରୁ ଗୋଟିଏ ମୋବାଇଲ ଫୋନ୍ ଉପହାର ରୂପେ ପାଇଛନ୍ତି।

ଏହା ପୂର୍ବରୁ କେବିସିର ପ୍ରଥମ କୋଟିପତି ହୋଇଥିଲେ ଜାମଶେଦପୁରର ଅନାମିକା ମଜୁମଦାର। ସେ କେବିସି ସିଜନ୍‌ ୧୧ ରେ କୋଟିପତି ହୋଇଥିଲେ।

Comment