ଭାସ୍କର ପରିଚ୍ଛା

ବିନାୟକ ଦାମୋଦର ସଭରକରଙ୍କ ପରାମର୍ଶରେ ହିଁ ନେତାଜୀ ସୁଭାଷ ଭାରତ ଛାଡି ପଳାଇଥିଲେ ଓ ଜାପାନ ତଥା ଜର୍ମାନୀର ସହାୟତାରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ ବୋଲି ନିକଟରେ ପ୍ରକାଶିତ ଏକ ପୁସ୍ତକରେ ଉଲ୍ଲେଖ କରାଯାଇଛି। ସଭରକର କହୁଥିଲେ କୂଟନୀତିରେ ସ୍ଥାୟୀ ଶତ୍ରୁ ବା ମିତ୍ର କେହି ନଥାନ୍ତି ଓ ଶତ୍ରୁର ଶତ୍ରୁ ବି ବେଳେବେଳେ ମିତ୍ର ହୋଇପାରେ। ଏହି ଉପଦେଶ ସେ ନେତାଜୀଙ୍କୁ ଦେଇଥିଲେ।

ପୁସ୍ତକରେ ଏକଥା ମଧ୍ୟ ଲେଖାଯାଇଛି ଯେ ୧୯୩୭ରେ ଯେତେବେଳେ ସଭରକର ୧୪ ବର୍ଷ ଧରି ଆଣ୍ଡାମାନ ଜେଲରେ ଅତ୍ୟନ୍ତ କଷ୍ଟକର ବନ୍ଦୀ  ଜୀବନ ଯାପନ କରିବା ପରେ ମୁକ୍ତ ହେଲେ କଂଗ୍ରେସ-ସୋସିଆଲିଷ୍ଟ ଗୋଷ୍ଠୀ କଂଗ୍ରେସ ଦଳରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ। କିନ୍ତୁ ସଭରକର ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସଭରକର କଂଗ୍ରେସ-ସମାଜବାଦୀମାନଙ୍କୁ କହିଥିଲେ ଭାରତର ସ୍ୱାଧୀନତା ପାଇଁ ହିନ୍ଦୁ-ମୁସଲିମ ଏକତାକୁ ସର୍ତ୍ତ କରି ଭାରତୀୟ ଜାତୀୟ କଂଗ୍ରେସ ଏକ ମସ୍ତବଡ ଭୁଲ କରିଛି।

ପୂର୍ବରୁ ବହୁ ପୁସ୍ତକର ଲେଖକ ଓ ଗୌହର ଜାନଙ୍କ ଜୀବନୀ ଲେଖିଥିବା ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଇଂରେଜୀରେ ପ୍ରଥମ ଯୁବ ପୁରସ୍କାର ଲାଭ କରିଥିବା ବିକ୍ରମ ସମ୍ପତଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ସଭରକର-ଇକୋଜ ଫ୍ରମ୍ ଏ ଫର୍ଗଟନ ପାଷ୍ଟ’ ହେଉଛି ବୀର ସଭରକରଙ୍କ ଉପରେ ଲିଖିତ ପ୍ରଥମ ଗବେଷଣାତ୍ମକ  ଜୀବନୀ।

ଏଥିରେ ତାଙ୍କର ଜନ୍ମ ଠାରୁ ରତ୍ନଗିରି ଜେଲରୁ ମୁକୁଳିବା ପର୍ଯ୍ୟନ୍ତ(୧୮୮୩-୧୯୨୪) ଦୀର୍ଘ ଚାଳିଶି ବର୍ଷର ପ୍ରାଞ୍ଜଳ ଇତିହାସ ରହିଛି। ‘ହିନ୍ଦୁତ୍ୱର’ ବୌଦ୍ଧିକ ଗନ୍ତାଘର କୁହାଯାଉଥିବା ସଭରକର ଥିଲେ ବିଂଶ ଶତାବ୍ଦୀ ଭାରତର ଜଣେ ଅତି ବିବାଦୀୟ ବ୍ୟକ୍ତି। ଲେଖକ ଏହି ପୁସ୍ତକରେ ସଭରକରଙ୍କ ଜୀବନର ଟିକିନିଖି ବିବରଣୀ ପ୍ରଦାନ କରିଛନ୍ତି। ତା’ ସହିତ ତାଙ୍କର ରାଜନୈତିକ ଆଦର୍ଶ ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ଲେଖକ। ସଭରଙ୍କର ବାଲ୍ୟ ଜୀବନଠାରୁ ଆରମ୍ଭ କରି ସିପାହୀ ବିଦ୍ରୋହ ବେଳର ସଭରକରଙ୍କ ବିଚାରଧାରା ଓ ଆଣ୍ଡାମାନ ଜେଲରେ ତାଙ୍କୁ କିଭଳି ନିର୍ଯାତନା ଦିଆଯାଉଥିଲା ସେ ସବୁର ବିସ୍ତୃତ ବର୍ଣ୍ଣନା କରାଯାଇଛି ଏହି ପୁସ୍ତକରେ।

ସଂପତଙ୍କ ମତରେ ସଭରକରଙ୍କ ପାଇଁ ଦେଶ ଥିଲା ପ୍ରଥମ। କିନ୍ତୁ ତାଙ୍କୁ ବହୁ ଲୋକ ଓ ବିଭିନ୍ନ ବର୍ଗ ସମାଲୋଚନାଠାରୁ ଆରମ୍ଭ କରି ଘୃଣା ମଧ୍ୟ କରିଥାନ୍ତି। ସମ୍ପତ କହିଛନ୍ତି ଯେ ୧୮୫୭ ସିପାହୀ ବିଦ୍ରୋହକୁ ଭିତ୍ତି କରି ସଭରକର ହିନ୍ଦୁ-ମୁସଲିମ ଏକତାର ଜଣେ ବଡ଼ ସମର୍ଥକ ଥିଲେ। ସେ କହୁଥିଲେ ସବୁ ଧର୍ମର ଲୋକଙ୍କ ସମାନ ଅଧିକାର ରହିବା ଦରକାର। ଏପରିକି ମୁସଲିମ ଓ ଖ୍ରୀଷ୍ଟିଆନମାନଙ୍କ ପ୍ରାର୍ଥନାରେ କେହି ଯଦି ବ୍ୟାଘାତ ସୃଷ୍ଟି କରେ ତାକୁ ଦଣ୍ଡ ଦିଆଯିବା ଉଚିତ ବୋଲି ସେ କହୁଥିଲେ।

କିନ୍ତୁ ସଭରକର ଏକଥା  ମଧ୍ୟ କହୁଥିଲେ ଯେ ଭାରତ ହେଉଛି ଏକ ହିନ୍ଦୁ ରାଷ୍ଟ୍ର ଏବଂ ଗୋଟିଏ ହିନ୍ଦୁ ରାଷ୍ଟ୍ର ଭିତରେ ଆଉ ଗୋଟିଏ ଧାର୍ମିକ ରାଷ୍ଟ୍ର ପାଇଁ କଦାପି ଅନୁମତି ଦିଆଯିବ ନାହିଁ। ସଂଖ୍ୟାଲଘୁ ନାମରେ ସେତେବେଳୁ ଯେଉଁ ତୁଷ୍ଟିକରଣ ଚାଲିଆସିଛି  ତାହାକୁ ସେ ଘୋର ବିରୋଧ କରୁଥିଲେ। ଏ ସମ୍ପର୍କରେ ଲେଖକ ସଭରକରଙ୍କ ଗୋଟିଏ ଉକ୍ତିକୁ ଉଦ୍ଧାର କରିଛନ୍ତି: ‘ମୁଁ ବରଂ ଦେଶପ୍ରେମୀଙ୍କ ଶେଷ ଧାଡ଼ିରେ ଠିଆ ହେବି କିନ୍ତୁ ବିଶ୍ଵାସଘାତକଙ୍କ ଆଗ ଧାଡ଼ିରେ ନୁହେଁ।’

ବିଭିନ୍ନ ଦଲିଲ, ପୁସ୍ତକ ଓ ଲେଖାକୁ ଭିତ୍ତିକରି ଲେଖକ କହିଛନ୍ତି ଯେ କଂଗ୍ରେସ ଯଦି ମୁସଲିମ ତୁଷ୍ଟିକରଣରେ ମଗ୍ନ ନଥାନ୍ତା ଭାରତ-ପାକିସ୍ତାନ ବିଭାଜନ ହୋଇ ନଥାନ୍ତା। ଆହୁରି ମଧ୍ୟ ଲେଖକ ତାଙ୍କ ପୁସ୍ତକରେ କହିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ରହିଥିବା କଥା କେବଳ ସଭରକର ହିଁ ଠିକ୍ ଭାବେ  ବୁଝିଥିଲେ। ଏପରିକି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ସୁଭାଷ ବୋଷଙ୍କଠାରୁ ଏ କ୍ଷେତ୍ରରେ ସେ ଆଗୁଆ ଥିଲେ। ଭାରତର ଅତୀତ ଇତିହାସ ଓ ଭାରତର ଲୋକଙ୍କ ମନସ୍ତତ୍ତ୍ୱକୁ ସଭରକର ଯେମିତି ବୁଝିଥିଲେ ଅନ୍ୟ କେହି ସେଭଳି ବୁଝିନଥିଲେ ବୋଲି ଲେଖକ ପୁସ୍ତକରେ ଯୁକ୍ତି କରିଛନ୍ତି।

ମହାତ୍ମା ଗାନ୍ଧୀ ଓ ସଭରକରଙ୍କ ଭିତରେ ଆଦୌ ପଟୁ ନଥିଲା ବୋଲି କହିବାକୁ ଯାଇ ଲେଖକ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ  ଗାନ୍ଧୀ ଏବଂ କଂଗ୍ରେସର ମୁସଲିମ  ତୁଷ୍ଟିକରଣ ନୀତିର ଘୋର ବିରୋଧୀ ଥିଲେ ସେ। ଗୋଟିଏ ନିର୍ଦ୍ଦିଷ୍ଟ ଘଟଣା ଉପରେ ଆଲୋକପାତ କରିଛନ୍ତି ଲେଖକ। ୧୯୨୭ରେ ସଭରକରଙ୍କୁ ଭେଟିବା ପାଇଁ ଗାନ୍ଧୀ ରତ୍ନଗିରି ଆସିଥିଲେ। ଘଣ୍ଟା ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଯୁକ୍ତିତର୍କ ଚାଲିଲା – ବିଶେଷକରି ଶୁଦ୍ଧି ବା ପୁନଃଧର୍ମାନ୍ତରିକରଣକୁ ନେଇ।

ବିନାୟକ ଦାମୋଦର ସଭରକର

ହିନ୍ଦୁ ଧର୍ମ ଛାଡ଼ିଥିବା ଲୋକଙ୍କୁ ପୁଣି ଫେରାଇ ଆଣିବା ପାଇଁ ସଭରକର ସେତେବେଳେ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ଗାନ୍ଧୀ ସେଥିରେ ଏକମତ ନଥିଲେ। ବୈଠକ ଶେଷରେ ଯେତେବେଳେ  ଯିବାକୁ ବାହାରିଲେ, ଗାନ୍ଧୀ ସଭରକରଙ୍କୁ କହିଲେ ହୁଏତ ଆମେ ବିଭିନ୍ନ ପ୍ରସଙ୍ଗରେ ଏକମତ ନୋହୁଁ, କିନ୍ତୁ ମୁଁ ଯେଉଁ ସତ୍ୟର ପରୀକ୍ଷା ଚଳାଇଛି ଆଶା କରୁଛି ସେଥରେ ତୁମର କୌଣସି ବିରୋଧ ରହିବ ନାହିଁ। ସଭରକର ଏହାର କଡ଼ା ଜବାବ ଦେଇ କହିଲେ, ‘‘ମହାତ୍ମାଜୀ, ଆପଣ ଯେଉଁସବୁ ପରୀକ୍ଷା କରୁଛନ୍ତି ସେଥିପାଇଁ ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ।’’ ଏହି ମୁହାଁମୁହିଁ  ପରେ ଗାନ୍ଧୀ ଓ ସଭରକର ଆଉ କେବେ ପରସ୍ପରକୁ ଭେଟି ନଥିଲେ।

ଲେଖକଙ୍କ କହିବା ଅନୁଯାୟୀ ୧୯୪୦ରେ ମୁସଲିମ ଲିଗ୍‌ ଯେତେବେଳେ ଭାରତଠାରୁ ଅଲଗା ହେବା ପାଇଁ ପ୍ରସ୍ତାବ ଗ୍ରହଣ କଲା, ସଭରକର ହିଁ ଏକମାତ୍ର ବ୍ୟକ୍ତି ଯିଏ ବୁଝିଥିଲେ ଯେ ଦିନେ ନା ଦିନେ ଏହା ହେବ। କଂଗ୍ରେସର ନେତାମାନେ କିନ୍ତୁ ସେତେବେଳେ କହୁଥିଲେ ଦେଶ ବିଭାଜନ କେବଳ ସେମାନଙ୍କର ମୃତଦେହ ଉପରେ ହିଁ ସମ୍ଭବ।

୧୯୪୧ରେ ଯେତେବେଳେ ପୂର୍ବ ବଙ୍ଗରୁ ମୁସଲିମମାନେ ବ୍ରହ୍ମପୁତ୍ର ଉପତ୍ୟକାରେ ବସବାସ କରିବାକୁ ଆରମ୍ଭ କଲେ ସଭରକର ହିଁ ଚେତାବନୀ ଦେଇଥିଲେ ଯେ ଏହା ଆସାମ ଓ ଉତ୍ତରପୂର୍ବର ସଂସ୍କୃତିକୁ ବିପଦରେ ପକାଇବ। ସଭରକଙ୍କର ଏହି ମନ୍ତବ୍ୟରେ ପଣ୍ଡିତ ନେହରୁ କହିଥିଲେ ‘ପ୍ରକୃତି ଶୂନ୍ୟସ୍ଥାନକୁ ଭଲ ପାଏ ନାହିଁ।’ ଏହାର ଅର୍ଥ ଯେଉଁଠି ଖାଲି ଜାଗା ରହିଲା ସେଠି ଯଦି ଲୋକେ ବସବାସ କରନ୍ତି ଆମେ ତାହାକୁ କେମିତି ରୋକି ପାରିବା? ସଭରକର ଜବାବ ଦେଇଥିଲେ ପ୍ରକୃତି ବିଷୟରେ ନେହରୁଙ୍କ ଧାରଣା କମ୍। ‘ପ୍ରକୃତି ବିଷାକ୍ତ ଗ୍ୟାସକୁ ବି ଭଲ ପାଏ ନାହିଁ।’

ସଂପତଙ୍କ ମତ ହେଉଛି ଯେଉଁମାନେ ସଭରକରଙ୍କୁ ବିରୋଧ ଓ ସମାଲୋଚନା କରନ୍ତି ସେମାନଙ୍କ ଦୁଇଟି ଯୁକ୍ତି ରହିଛି। ଗୋଟିଏ ହେଉଛି ଯେ ଜେଲରୁ ମୁକୁଳିବା ଲକ୍ଷ୍ୟ ନେଇ ସଭରକର ବ୍ରିଟିଶ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଦ୍ୱିତୀୟଟି ହେଲା ସଭରଙ୍କର ଉଗ୍ର ହିନ୍ଦୁତ୍ୱ ଯୋଗୁଁ ହିଁ ପାକିସ୍ତାନ ସୃଷ୍ଟି ହେଲା। ଲେଖକ ପ୍ରତିଯୁକ୍ତି ମାଧ୍ୟମରେ ଏହାକୁ ଖଣ୍ଡନ କରିଛନ୍ତି।

ସଭରକରଙ୍କର ତମାମ ଜୀବନ ଓ ଆଦର୍ଶ  ତଥା ସ୍ୱାଧୀନତା ପୂର୍ବର ଅସଂଖ୍ୟ ଘଟଣା ଓ ଚରିତ୍ର ଉପରେ ଲିଖିତ  ୫୭୫ ପୃଷ୍ଠାର ଏହି ପୁସ୍ତକକୁ ପେଙ୍ଗୁଇନ୍ ରାଣ୍ଡମ ହାଉସ ପ୍ରକାଶ କରିଛନ୍ତି।

(ଲେଖକ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment