ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଭାରତରେ ରୁଜୁ ହେଲା ମାମଲା। ଉତ୍ତରପ୍ରଦେଶର ମହାରାଜଗଞ୍ଜ ସିଜିଏମ୍‌ କୋର୍ଟ ଏବଂ ବିହାରର ମୁଜାଫରଫୁର କୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି। ଜାତିସଂଘରେ ଭାରତ ବିରୋଧୀ ମନ୍ତବ୍ୟ ଦେବା ଏବଂ କଶ୍ମୀରରେ ଦୁଇ ସଂପ୍ରଦାୟଙ୍କୁ ଉସ୍‌କେଇବା ଭଳି ଭାଷଣ ଦେବାକୁ ନେଇ ଏହି ମାମଲା ରୁଜୁ ହୋଇଛି।

ଉତ୍ତରପ୍ରଦେଶ ମହାରାଜଗଞ୍ଜ ସିଭିଲ କୋର୍ଟ ଓକିଲ ବିନୟ କୁମାର ପାଣ୍ଡେ ଗୋଟିଏ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି ଅକ୍ଟୋବର ୯ରେ ହେବ। ସେହିପରି ବିହାର ମୁଜାଫୁରପୁର କୋର୍ଟର ଓକିଲ ସୁଧିର ଓଝା କରିଥିବା ମାମଲାର ଶୁଣାଣି ଅକ୍ଟୋବର ୨୧ରେ ହେବ।

ଜାତିସଂଘର ୭୪ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ଇମ୍ରାନ ଭାରତକୁ ପୁଣି ଯୁଦ୍ଧ ଧମକ ଦେଇଥିଲେ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଶାନ୍ତି ଚାହୁଁଥିବା କହିଥିବା ବେଳେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇ ‘ରକ୍ତର ନଈ’ କଥା କହିଥିଲେ।

‘‘କଶ୍ମୀରରୁ ଏବେଯାଏଁ ଭାରତ କର୍ଫ୍ୟୁ ଉଠାଇ ନାହିଁ। ଏବେବି ଏଠାରେ ଲୋକଙ୍କ ମନରେ କ୍ଷୋଭ ରହିଛି। ଯେବେ ଭାରତ କଶ୍ମୀରରୁ କର୍ଫ୍ୟୁ ଉଠାଇବ ସେବେ ରକ୍ତର ନଈ ବହିବ। କଶ୍ମୀରବାସୀଙ୍କ ମନରେ ଥିବା ତୀବ୍ର ଅସନ୍ତୋଷ ସାରା ବିଶ୍ୱ ଦେଖିବ। ଯଦି କର୍ଫ୍ୟୁ ନଉଠେ ତାହାଲେ ପୁଲୱାମା ଭଳି ଆଟାକ୍‌ ପୁଣି ହୋଇପାରେ’’, ଜାତିସଂଘରେ ଉଦବୋଧନ ଦେଇ ଏହା କହିଥିଲେ ଇମ୍ରାନ ଖାନ୍‌।

ଇମ୍ରାନ ଆହୁରି କହିଥିଲେ ଯେ ଜାତିସଂଘର ପ୍ରସ୍ତାବ ବିରୋଧରେ ଭାରତ ଯାଇଛି। ବିନା ଆଲୋଚନାରେ କଶ୍ମୀରରୁ ଧାରା ୩୭୦ ହଟାଇଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏୟାରଷ୍ଟ୍ରାଇକ୍‌ କରି ୩୫୦ ଆତଙ୍କବାଦୀଙ୍କୁ ସଫା କରିଥିବା ଦାବି କରିଥିଲା। ହେଲେ ଏହା ମିଛ ବୋଲି ଇମ୍ରାନ ଜାତିସଂଘରେ କହିଥିଲେ।

Comment