ଓଡ଼ିଶାଲାଇଭ୍ ବ୍ୟୁରୋ

ନାବାଳିକା ଦୁଷ୍କର୍ମ ଆଇନ୍ କଠୋର ହେଉଛି। ଦୁଷ୍କର୍ମ କମିବା ବଦଳରେ ବଢ଼ି ଚାଲିଛି। ଏହି ଆଇନରେ ୨୦ ବର୍ଷ କାରାଦଣ୍ଡ ସଜା ରହିଥିବା ବେଳେ ମୃତ୍ୟୁଦଣ୍ଡ ବି ରହିଛି। ହେଲେ ଆଇନକୁ ଫୁ କରିଦେଉଛନ୍ତି ଅଭିଯୁକ୍ତ।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ରବିବାର ରାତିରେ ଏହି ଘଟଣା ଘଟିଥିଲା। ୧୪ ବର୍ଷିଆ ଏହି ନାବାଳିକା ଜଣକ ରାତି ୯ଟା ବେଳେ ଘର ବାହାରକୁ ଆସିଥିବା ବେଳେ ଆଗରୁ ଛକି ରହିଥିବା ଦୁଇଜଣ ଯୁବକ ପୀଡ଼ିତାଙ୍କ ପାଟିରେ ଗାମୁଛା ବାନ୍ଧି ବାହାରକୁ ଟେକି ନେଇଥିଲେ। ଏକ ନିଛାଟିଆ ସ୍ଥାନରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ।  ଘରେ ଏ ସମ୍ପର୍କରେ କାହାରିକୁ କହିଲେ ଜୀବନ ନେଇଯିବୁ ବୋଲି ଧମକ ଦେଇଥିଲେ।

ଦୁଷ୍କର୍ମ କରି ନାବାଳିକାଙ୍କୁ ପୁଣି ଟେକି ଆଣି ଘର ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ। ବାହାରେ ଝିଅ ପଡ଼ି ରହିଥିବା ଘର ଲୋକ ଦେଖିବାକୁ ପାଇ ଘଟଣା ସମ୍ପର୍କରେ ଗାଁ ମୁଖିଆଙ୍କୁ ଜଣାଇଥିଲେ। ଗ୍ରାମବାସୀମାନେ ଗାଁରେ ଏହି ଘଟଣାର ବିଚାର କରିବେ ବୋଲି କଥା ରହିଥିଲା। ବିଚାର ହୋଇ ନପାରିବାରୁ ପୀଡିତାଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ ହୋଇଛି। ଆଜି ଆଳି ପୋଲିସ ପୀଡିତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା କରିଛନ୍ତି।

ଏହି ଘଟଣାରେ ମାନପୁର ପଟଣା ଗାଁର ଦୁଇ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଦାସ  ଓ ସୁରେଶ ବେହେରାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬(ଡି) , ୩୭୬(୨)(i),(n) , ୪୪୮, ୨୯୪, ୫୦୬ , ୩୪ ଓ ୬ ପୋକ୍ସୋ ଦଫାରେ ମାମଲା ରୁଜୁ କରିଛି ପୋଲିସ। ଆସନ୍ତା କାଲି ଦୁଇ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ଘଟଣାରେ ତଦନ୍ତକାରୀ ଅଫିସର ମମତା ବିଶ୍ୱାଳ ସୂଚନା ଦେଇଛନ୍ତି।

Comment