ଡକ୍ଟର ହରିହର କାନୁନ୍‌ଗୋ

ଉଚ୍ଚଶିକ୍ଷା ଶିକ୍ଷକର ଗୁଣାତ୍ମକ ମାନବୃଦ୍ଧି (ଭାଗ-୧)

ଶିକ୍ଷାର୍ଥୀ-ଶିକ୍ଷକ-ଶିକ୍ଷାୟତନ ତ୍ରିଭୁଜ ଭଳି। ପ୍ରତ୍ୟେକ ପରସ୍ପରର ପରିପୂରକ। ଗୋଟିଏ ବିନା ଅନ୍ୟର ସ୍ଥିତି ନିରର୍ଥକ। ଭାରତୀୟ ଓ ଉତ୍କଳୀୟ ସଂସ୍କୃତି ହିଁ ଗୁରୁ-ଶିଷ୍ୟ ପରମ୍ପରା ଉପରେ ପ୍ରତିଷ୍ଠିତ। ସେଇଥିପାଇଁ ରାମାୟଣ, ମହାଭାରତ, ବେଦ, ଉପନିଷଦ, ଗୀତା ଓ ଭାଗବତରେ ଗୁରୁକୁଳ ଆଶ୍ରମର ମହନୀୟତା ବିଶେଷ କରି ଶିଷ୍ୟମାନଙ୍କୁ ସାଧୁତା-ନୈତିକତା ଓ ମୂଲ୍ୟବୋଧ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା। ଫଳରେ ସମାଜ ଆଧ୍ୟାତ୍ମିକ ଚେତନାର ବିକାଶ ବା ଉତ୍ତରଣ ଦିଗରେ ଗତିକରି କାଳକାଳ ଧରି କାୟା ବିସ୍ତାର କରିରହିଥିଲା ଓ ଉପଯୁକ୍ତ ଦିଗ୍‌ଦର୍ଶନ ମଧ୍ୟ ପାଇପାରୁଥିଲା। ସେତେବେଳେ ନୈତିକ ସ୍ଖଳନର ଲେଶମାତ୍ର ଚିହ୍ନ ନଥିଲା। ଶିକ୍ଷା ଆହରଣ ହିଁ ଚରିତ୍ର ଗଠନ ଓ ମାନବିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ଥିଲା।

ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ

ଏହି ଗୁରୁ-ଶିଷ୍ୟର ସମ୍ପର୍କ ଓ ବ୍ୟକ୍ତିତ୍ୱ ତଥା ଗୁଣାବଳୀ କିଭଳି ଥିଲା ଓ ରହିବା ଉଚିତ୍, ସେ ସମ୍ପର୍କରେ ବିଭିନ୍ନ ପ୍ରାଚୀନ ଧର୍ମଶାସ୍ତ୍ର, ପୁରାଣ, ଇତିହାସ ଓ ଅନ୍ୟାନ୍ୟ ଗ୍ରନ୍ଥଗୁଡ଼ିକରେ ବିଶଦ ଭାବେ ବର୍ଣ୍ଣନା ରହିଛି। ତନ୍ମଧ୍ୟରୁ ତୈତ୍ତିରୀୟ ଉପନିଷଦରେ ଏ ପ୍ରସଙ୍ଗରେ ଉଲ୍ଲେଖ ଅଛି, ‘ଆଚାର୍ଯ୍ୟଃ ପୂର୍ବରୂପମ୍, ଅନ୍ତେବାସ୍ୟୁତ୍ତରୂପମ୍, ବିଦ୍ୟାସନ୍ଧିଃ, ପ୍ରବଚନଗମ୍ ସନ୍ଧାନମ୍’  ଅର୍ଥାତ୍ ଗୁରୁ ଏବଂ ଶିଷ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ।

ଗୁରୁ-ଶିଷ୍ୟଙ୍କୁ ପଢ଼ାଇବା ସମୟରେ ଶିଖନ୍ତି ଏବଂ ଶିଷ୍ୟ ପଢ଼ିବା ସମୟରେ ଶିଖନ୍ତି। ଅତଏବ ବିଦ୍ୟା ବା ଶିକ୍ଷା ଉଭୟ ଗୁରୁ-ଶିଷ୍ୟଙ୍କୁ ଏକତ୍ର କରି ବାନ୍ଧିରଖେ। ଉଭୟଙ୍କର ଉଦ୍ଦେଶ୍ୟ ପ୍ରବଚନ ବା ବକ୍ତବ୍ୟ ମାଧ୍ୟମରେ ଜ୍ଞାନ ଆହରଣ। ସେଇଥିପାଇଁ ବର୍ଣ୍ଣବୋଧରେ କୁହାଯାଇଛି- ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ।’  ଯିଏ ଭଲ ଗୁରୁ ବା ଶିକ୍ଷକ, ସେ ତା’ର ପ୍ରାରବ୍ଧ ଅନୁସାରେ ଏ ଜନ୍ମରେ ଜ୍ଞାନ ବା ପ୍ରତିଭାର ଅଧିକାରୀ ହୋଇଥାଏ।

ପ୍ରତିଭା ଜନ୍ମଗତ, ମାତ୍ର କୌଶଳ ଆୟତ୍ତସାଧ୍ୟ। ଇଂରାଜୀରେ କହିଲେ- ‘Talent is inborn, but skill can be accquired’ କାରଣ ଶିକ୍ଷକ ଜନ୍ମନିଅନ୍ତି, ତିଆରି ହୁଅନ୍ତି ନାହିଁ। ଇଂରାଜୀରେ କହିଲେ- ‘Teacher is born, but not made’. ଅତଏବ ଜନ୍ମିତ ପ୍ରତିଭାର ପରିବର୍ତ୍ତନ ସମ୍ଭବ ନୁହେଁ; ମାତ୍ର ଶିକ୍ଷାଦାନ କୌଶଳକୁ ନିଜ ଅଧ୍ୟବସାୟ ବା ସାଧନା ବଳରେ ଆୟତ୍ତ କରାଯାଇପାରିବ। ତେଣୁ ଜନ୍ମ ହୋଇଥିବା ଶିକ୍ଷକଙ୍କ ଦ୍ୱାରା ହିଁ ଗୁଣାତ୍ମକ ଶିକ୍ଷାର ବିକାଶ ସମ୍ଭବପର।

ନିଷ୍ଠା ଓ ଅନ୍ତରିକତା ବିନା ଆଦର୍ଶ ଶିକ୍ଷକ ଅସମ୍ଭବ

ଶିକ୍ଷକଟିଏ କ୍ଲାସ୍ ରୁମ୍‌ରେ କଥା କହିବା ଆରମ୍ଭ କରିଦେଲେ ତା’ର ଗୁଣବତ୍ତା ଜଣାପଡ଼ିଯାଏ। ତେଣୁ ଶିକ୍ଷକର ଶିକ୍ଷା ସମ୍ବନ୍ଧୀୟ ସେବା ସମସ୍ତଙ୍କ ଦ୍ୱାରା ସମ୍ଭବପର ନୁହେଁ। ଦୈବାତ୍ ହୋଇଥିବା ଶିକ୍ଷକ ମନପସନ୍ଦର ଉତ୍କୃଷ୍ଟ ଶିକ୍ଷକଙ୍କ ସହ ସମାନ ନୁହଁନ୍ତି। ତେଣୁ ନିଷ୍ଠା ଓ ଅନ୍ତରିକତା ବିନା ଜଣେ ଆଦର୍ଶ ଗୁଣୀ ଶିକ୍ଷକ ହୋଇପାରେ ନାହିଁ। ଉତ୍ତମ ଶିକ୍ଷକ ହେଲେ ପାଠପଢ଼ା ମଧ୍ୟ ଉତ୍ତମ ହୋଇଥାଏ। ଶିକ୍ଷକତା ଠାରୁ ବଳି ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ କର୍ମ ବା ବୃତ୍ତି ଆଉ କିଛି ନାହିଁ। ସେଇଥିପାଇଁ ଶିକ୍ଷକତାକୁ ଏ ସମାଜରେ ଏକ ପବିତ୍ର-ସମ୍ମାନଜନକ ବୃତ୍ତି ବୋଲି କୁହାଯାଇଛି।

ଭାରତର ପୂର୍ବତନ ରାଷ୍ଟ୍ରପତି ଓ ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ୍ ଡକ୍ଟର ଏ ପି ଜେ ଅବ୍‌ଦୁଲ୍ କଲାମ୍ କହିଥିଲେ- ‘Teaching is a very noble profession that shapes the character, calliber and future of an individual. If the people remember me as a good teacher, that will be the biggest honour for me.’  ଅତଏବ  ଶିକ୍ଷକ ହିଁ ରାଷ୍ଟ୍ରର ସର୍ବଦା ସର୍ବମାନ୍ୟ ବ୍ୟକ୍ତିତ୍ୱ। ଶିକ୍ଷାର ମୂଲ୍ୟବୋଧ ଓ ବିକାଶ ସର୍ବଦା ଯୋଗ୍ୟ ଶିକ୍ଷକଙ୍କ ଉପରେ ନିର୍ଭରଶୀଳ।

ଯୋଗ୍ୟ ଶିକ୍ଷକମାନେ ହିଁ ବିଦ୍ୟାର୍ଥୀଙ୍କୁ କେବଳ ଗ୍ରନ୍ଥ ବା ପୁସ୍ତକରେ ସୀମିତ ନ ରଖି ସେମାନଙ୍କ ବୌଦ୍ଧିକ, ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ବିଭିନ୍ନ ସୃଜନଶୀଳ ଶୈଳୀ ବା ପଦକ୍ଷେପ ଅପଣେଇଥାନ୍ତି। ବାସ୍ତବରେ ସେଇ ଆଦର୍ଶ ସୁଦକ୍ଷ ଶିକ୍ଷକ ବା ଅଧ୍ୟାପକ ହିଁ ଆମ ଦେଶର ପ୍ରକୃତ ସମ୍ବଳ।

ଏହି କଥାକୁ ଆଧାର କରି ଏ ଦେଶର ମହାନ୍ ଶିକ୍ଷାବିତ୍, ଦେଶସେବକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କହିଥିଲେ, ‘Teachers should be the best minds in the country’ ଯିଏ ଗୁରୁ ବା ଶିକ୍ଷକ ହେବାପାଇଁ ଜନ୍ମ ହୋଇଥିବ, ତାରି ଭିତରେ ଏଭଳି ଜ୍ଞାନ ବା ପ୍ରତିଭା ନିଜ ଗୁଣ-କର୍ମ-ବୃତ୍ତି ମାଧ୍ୟମରେ ଆପେ ଆପେ ଜନ୍ମନେବ। ମାତ୍ର ଭାରତବର୍ଷ ତା’ର ପ୍ରାଚୀନ-ଐତିହ୍ୟସମ୍ପନ୍ନ-ଗୌରବାବହ ଗୁରୁକୁଳ ପରମ୍ପରାକୁ ହତାଦର କରି ପାଶ୍ଚାତ୍ୟର ଭୋଗବାଦୀ ସଂସ୍କୃତିକୁ ଅନ୍ଧଭାବେ ଆପଣେଇ ନେଇଥିବାବେଳେ ଆମେରିକା ଓ ଜାପାନ ଭଳି ସମୃଦ୍ଧ ରାଷ୍ଟ୍ରରେ ଗୁରୁକୁଳର ଏହି ପରମ୍ପରାକୁ ସମ୍ମାନ ଦେଇ କାର୍ଯ୍ୟକାରୀ କରିଛନ୍ତି।

ଏ ସମ୍ପର୍କରେ ଆମେରିକାର ବିଶିଷ୍ଟ ଐତିହାସିକ-ଗବେଷକ ଓ ଶିକ୍ଷାବିତ୍ Jack Barzun ୧୯୪୫ ମସିହାରେ ତାଙ୍କ ରଚିତ ‘Teacher in America’ ଗ୍ରନ୍ଥରେ ଉଲ୍ଲେଖ କରି କହିଛନ୍ତି – ‘Teaching is not a lost art, but the regards for it, is a lost tradition’ ଅର୍ଥାତ୍- ‘ଶିକ୍ଷା ଏକ ବିଲୁପ୍ତ କଳା ନୁହେଁ; କିନ୍ତୁ ଏଥିପ୍ରତି ଥିବା ପାରମ୍ପରିକ ସମ୍ମାନବୋଧ ଏବେ ଲୁପ୍ତପ୍ରାୟ।’ ସେହି ଲୁପ୍ତପ୍ରାୟ ଶିକ୍ଷକମାନଙ୍କର ପାରମ୍ପରିକ ସମ୍ମାନବୋଧ କାହିଁକି ଓ କିଭଳି ହଜିହଜି ଯାଉଛି, ସେ ବିଷୟରେ ଗଭୀର ଚିନ୍ତା କରିବାର ବେଳ ଆସିଛି। ଏହାକୁ କିଭଳି ପୁଣିଥରେ ଫେରାଇ ଆଣିହେବ, ତାହା ହିଁ ଆଜିର ଏ ସମାଜରେ ଗୁଣାତ୍ମକ ଶିକ୍ଷକମାନଙ୍କ ପାଇଁ ଏକ ଆହ୍ୱନ। ସମାଜର ସମୃଦ୍ଧି ଓ ପ୍ରଗତିରେ ଶିକ୍ଷାର୍ଥୀ ଓ ଶିକ୍ଷକର ଭୂମିକା ଯେ ଅତୀବ ଗୁରୁତ୍ୱପୂର୍ଣ୍ଣ ଏହା ସ୍ପଷ୍ଟ ଅନୁମେୟ।

ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଉଚ୍ଚମାଧ୍ୟମିକ ଶିକ୍ଷା, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଶିକ୍ଷା ଲାଭକରି ଜଣେ ଶ୍ରେଷ୍ଠ ବିଦ୍ୟାର୍ଥୀ ବା ସଫଳ ମଣିଷ ଓ ଦେଶର ସୁନାଗରିକ ହୋଇ ବାହାରିଥାଏ। ପ୍ରାଥମିକ, ମାଧ୍ୟମିକ, ଉଚ୍ଚମାଧ୍ୟମିକ ସ୍ତରରେ ଶିକ୍ଷାର ମୂଳଦୁଆ ଯେତିକି ଦୃଢ଼, ସୁସ୍ଥ, ସବଳ, ସ୍ଥାୟୀ ହେବ, ଶିକ୍ଷାର୍ଥୀ ଓ ଶିକ୍ଷକର ସମ୍ପର୍କ ସେତିକି ଏ ସମାଜରେ ଦୃଢ଼ ଓ ପ୍ରଭାବଶାଳୀ ହୋଇପାରିବ। ତଳ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ପ୍ରତି ସଚେତନ ନ ରହିଲେ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷାର ଉନ୍ନତି ସମ୍ପୂର୍ଣ୍ଣ ଅସମ୍ଭବ।

  • ପ୍ରଥମେ ପ୍ରାଥମିକ ଶିକ୍ଷା (Elementary Education) ସ୍ତରରେ ସମାଜରେ ଜୀବନ ଉପଯୋଗୀ ସାଧାରଣଜ୍ଞାନ ଶିକ୍ଷା (General Education) ଦିଆଯିବା ଉଚିତ।
  • ତା’ପରେ ମାଧ୍ୟମିକ ଶିକ୍ଷା (Secondary Eduction) ସ୍ତରରେ ସାଧାରଣ ଜ୍ଞାନ ବିଷୟର ବିସ୍ତୃତ ଓ ସ୍ୱତନ୍ତ୍ର ଗୁଣାତ୍ମକ ଶିକ୍ଷା (Detailed analysis of general education) ପ୍ରଦାନ କରାଯିବା ଆବଶ୍ୟକ।
  • ତୃତୀୟରେ ଉଚ୍ଚମାଧ୍ୟମିକ ଶିକ୍ଷା (Higher Secondary Education) ସ୍ତରରେ ନିର୍ଦ୍ଦିଷ୍ଟ ବିଷୟର ବିଶଦ ସାଧାରଣଜ୍ଞାନ (Foundation of specific subject) ଶିକ୍ଷା ଦିଆଯିବା ଆବଶ୍ୟକ।
  • ଚତୁର୍ଥରେ ଉଚ୍ଚଶିକ୍ଷା (Higher Education) ସ୍ତରରେ ନିର୍ଦ୍ଦିଷ୍ଟ ବିଷୟରେ ଗଭୀର ଅନୁଶୀଳନାତ୍ମକ ଶିକ୍ଷା (Detailed analysis of specific subjects) ପ୍ରଦାନ ଆବଶ୍ୟକ।

ଅତୀତରେ ଭାରତର ପ୍ରତ୍ୟେକ ଗ୍ରନ୍ଥର ପ୍ରାରମ୍ଭରେ ‘ଅନୁବନ୍ଧ ଚତୁଷ୍ଟୟ'(Four primary stipulations)ର ବର୍ଣ୍ଣନା କରାଯାଉଥିଲା। ତାହା ହେଉଛି-  ବିଷୟ (Subject), ପ୍ରୟୋଜନ (Necessity), ସମ୍ବନ୍ଧ (Relation of the subject with fulfilling the necessity) ଓ ପାରଦର୍ଶିତା (Proficiency)।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ ଶିକ୍ଷାବିତ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଏବଂ ପୂର୍ବତନ ନିର୍ଦ୍ଦେଶକ ଓଡ଼ିଶା ଭାଷା ପ୍ରତିଷ୍ଠାନ)

2 COMMENTS

  1. Out standing Article for our Teachers , students, parents and for our society. Dr.Harihar Kanungo is an emineant, prolific writer and orator. His name is familiar in every corner of Orissa. He is my guide. I am doing my PhD in Sree Jagannath cult and culture under his guidance in utkal university of culture.

LEAVE A REPLY

Please enter your comment!
Please enter your name here