ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ନବରଙ୍ଗପୁର ସହରସ୍ଥିତ ପର୍ଯ୍ୟଟନସ୍ଥଳୀ ହିର୍ଲି ଡଙ୍ଗର ପାହାଡ଼ର ସୌନ୍ଦର୍ଯ୍ୟକରଣ ପାଇଁ ଗୁରୁବାର ଏକ ବୈଠକ ବସିଛି। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହିର୍ଲି ଡଙ୍ଗରଠାରେ ଏହି ବୈଠକ ବସିଥିଲା। ପାହାଡ଼କୁ କିଭଳି ଅଧିକ ସୁନ୍ଦର କରାଯିବ ସେନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ପାହାଡ଼ ଚାରିପାଖେ ଏକ ହଜାର କୃଷ୍ଣଚୂଡ଼ା ଓ ରାଧାଚୂଡ଼ା ବୃକ୍ଷ ରୋପଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସେହିପରି ହିର୍ଲି ଡଙ୍ଗର ପାହାଡ଼ ପ୍ରବେଶ ପଥଠାରୁ ଶିଖର ପର୍ଯ୍ୟନ୍ତ ଆଦିବାସୀ ଚିତ୍ରକଳା ଓ ପ୍ରତିମୂର୍ତ୍ତି ସ୍ଥାନିତ ହେବ। ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଓପନ ଜିମ, ଯୋଗକେନ୍ଦ୍ର, ଶିଶୁ ଉଦ୍ୟାନ, ପିଇବା ପାଣି, ଏବଂ ବାୟୋ ଟଏଲେଟ ଆଦିର ବ୍ୟବସ୍ଥା କରାଯିବ।

ପର୍ଯ୍ୟଟକ ଅଟୋରେ ଆସିଲେ ଅଟୋ ପାଇଁ ପାର୍କିଂ ଫି’ ୧୦ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ସ୍ଥାନରେ ଭିଡିଓ ସୁଟିଂ ପାଇଁ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ଚଲା ରାସ୍ତାର କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପାହାଡ଼ ଶିଖରରେ ଥିବା ବାଲାଜି ମନ୍ଦିରର ବିକାଶ ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଏସ୍‌ପି ନିତିନ କୁସଲକର, ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୂତାର , ଉପ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସମେତ ହିର୍ଲି ଡଙ୍ଗର ବିକାଶ କମିଟିର ସମସ୍ଥ ସଭ୍ୟ ଉପସ୍ଥିତ ରହିଥିଲେ।

Comment