ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଅଫିସରେ ହେଉଥିବା ଦୁର୍ନୀତିରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ୫-Tଠାରୁ ଆରମ୍ଭ କରି ଯାବତୀୟ ନୂଆ ନୂଆ ଯୋଜନାର ଘୋଷଣା ସରକାର କରିଥିଲେ ମଧ୍ୟ ଦୁର୍ନୀତିକୁ ରୋକିବାରେ ତାହା ସହାୟକ ହୋଇ ପାରିନାହିଁ। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟରୁ ଏକଥା ସାମ୍ନାକୁ ଆସିଛି। ଉଦ୍‌ବେଗର ବିଷୟ ହେଲା ଦୁର୍ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୧୭ ବର୍ଷର ତଥ୍ୟ ଅନୁଯାୟୀ ସରକାରୀ ଦପ୍ତରରେ ଦୁର୍ନୀତି ସର୍ବାଧିକ ମହାରାଷ୍ଟ୍ରରେ ହୋଇଥାଏ। ତା ତଳକୁ ରହିଛି ଓଡ଼ିଶା।

୨୦୧୭ ବର୍ଷରେ ମହାରାଷ୍ଟ୍ରରେ ୯୨୫ଟି ଦୁର୍ନୀତି ମାମଲା ପଞ୍ଜିକୃତ ହୋଇଥିବା ବେଳେ ଓଡ଼ିଶାରେ ୪୯୪ଟି ଦୁର୍ନୀତି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଯଦିଓ ୨୦୧୬ ତୁଳନାରେ ୨୦୧୭ରେ ଓଡ଼ିଶାରେ ଦୁର୍ନୀତି କମିଛି ତଥାପି ସମଗ୍ର ଦେଶରେ ଓଡ଼ିଶାର ସ୍ଥାନ ଦ୍ୱିତୀୟରେ ରହିଛି। ଏନ୍ସିଆରବି ଡାଟା ଅନୁସାରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଓ ଆୟ ବହିର୍ଭୁତ ମାମଲାରେ ଓଡ଼ିଶାର ରେକର୍ଡ ବଢ଼ି ବଢ଼ିଚାଲିଛି।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ଓ ଅଯୋଗ୍ୟ କର୍ମଚାରୀ ତଥା ଅଫିସରଙ୍କୁ ଚାକିରିରୁ ବାହାର କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏପରିକି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି। ନିକଟ ଅତୀତରେ ପ୍ରାୟ ୨୦ ଅଫିସର ବରଖାସ୍ତ ହେଲେଣି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁର୍ନୀତି ମାମଲାରେ ବେଶୀ ସମ୍ପୃକ୍ତ ଅଛନ୍ତି କ୍ଲାସ ୱାନ୍ ଅଫିସର (୬୧)। ତା ତଳକୁ ଅଛନ୍ତି କ୍ଲାସ ଟୁ ଅଧିକାରୀ (୬୦)। ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ସଂଖ୍ୟା କିନ୍ତୁ ସର୍ବାଧିକ (୩୮୩)।

ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିବା ଓ କାର୍ଯ୍ୟାନୁଷ୍ଠାନ ହେବା ଭିତରେ ସବୁଠୁ ବଡ଼ ମାମଲା ରୁଜୁ ହୋଇଥିଲା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଜଣେ ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ପାର୍ଥ ସାରଥୀ ମିଶ୍ରଙ୍କ ବିରୁଦ୍ଧରେ। ସେହିଭଳି ଆଉ ଏକ ହାଇ ପ୍ରୋଫାଇଲ୍‌ କେସ୍‌ ହେଉଛି ଏସସିବି ମେଡିକାଲ କଲେଜର ହେମାଟଲୋଜି ବିଭାଗର ମୁଖ୍ୟ ରବୀନ୍ଦ୍ର କୁମାର ଜେନାଙ୍କର। ଭିଜିଲାନ୍ସ ତଥ୍ୟ କହୁଛି ଯେ ଦୁର୍ନୀତି ମାମଲାରେ ଜଙ୍ଗଲ ବିଭାଗ ଓ ପୋଲିସ ବିଭାଗର କର୍ମଚାରୀ ଅଧିକ ମାତ୍ରାରେ ଧରାପଡ଼ିଥାନ୍ତି।

Comment