ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆଞ୍ଚଳିକ ପାଣିପାଗର ୧୦.୩୦ ବୁଲେଟିନ୍‌ ଅନୁଯାୟୀ, ଆଜି ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ୯ ତାରିଖ ଶନିବାର ଦିନ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ, ପର ମୁହୂର୍ତ୍ତରେ ୯୦ କିଲୋମିଟରକୁ ଯାଇପାରେ  ବୋଲି ଏସ୍‌ଆର୍‌ସି ପକ୍ଷରୁ ସୂଚନା ମିଳିଛି।

ସ୍ୱତନ୍ତ୍ର ରିଲିଫ୍‌ କମିସନ କହିଛନ୍ତି, ‘‘ସମୁଦ୍ରରେ ବର୍ତ୍ତମାନ କୌଣସି ମତ୍ସ୍ୟାଜୀବୀ ନାହାନ୍ତି। ୬ଟି ଜିଲ୍ଲାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ମୟୂରଭଞ୍ଜ ଓ ଯାଜପୁରରେ ଦୁଇ ଦୁଇଟି ୟୁନିଟ୍‌ ଏନ୍‌ଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ମୁତୟନ ଅଛନ୍ତି। ଭୁବନେଶ୍ୱରରେ ୬୦ଟି ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି। ଯେଉଁ ସମୟରେ ଯେଉଁଠି ଦରକାର ପଡ଼ିବ, ସେଠାକୁ ଅଗ୍ନିଶମ ବିଭାଗ ପଠାଯିବ।’’

ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜରେ ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି।

Comment