ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱରକୁ ଯିବା ପାଇଁ ଏକମାତ୍ର ମାଧ୍ୟମ ଥିବା ଝୁଲା ପୋଲ ଏବେ ବିପଦସଙ୍କୁଳ ହୋଇ ପଡ଼ିଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ଝୁଲା ପୋଲ ଲୋକଙ୍କ ଭାର ସମ୍ଭାଳି ପାରୁ ନାହିଁ। କେବେ ଧବଳେଶ୍ୱରକୁ କଂକ୍ରିଟ ପୋଲ ହେବ ତାକୁ ନେଇ ଏବେ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଧବଳେଶ୍ୱରକୁ ପୀଠକୁ ଦ୍ୱିତୀୟ ପୋଲ ନିର୍ମାଣ ପାଇଁ ସରକାର ଯୋଜନା କରିଥିଲେ। ୨୦୧୮ ଫେବୃଆରିରେ ଦ୍ୱିତୀୟ ପୋଲ ନିର୍ମାଣ ନେଇ ଶୁଭ ଦିଆଯାଇଥିଲା। ପ୍ରାୟ ୧୯କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚରେ ଏହାର ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା। ୨୫୦ମିଟର ଲମ୍ବା ଏବଂ ୫.୧ ମିଟର ଚଉଡା କଂକ୍ରିଟ୍ ସେତୁ ନିର୍ମାଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପ୍ରଶାସନ। ଏଭିତରେ ପ୍ରାୟ ଦୁଇ ବର୍ଷ ବିତିବାକୁ ବସିଲାଣି। କିନ୍ତୁ କାମ ଆଗେଇ ପାରୁନି। ତେବେ ମଞ୍ଚେଶ୍ୱର ପାର୍ଶ୍ୱରୁ ନିର୍ମାଣ ହେବାକୁ ଥିବା ଏହି ସେତୁକୁ ସାରିବାକୁ ୨ବର୍ଷ ସମୟ ନିଆଯାଇଥିଲା। ହେଲେ ଏଯାଏଁ ଇଟା ଖଣ୍ଡିଏ ପଡିଲାନି।

ଏପଟେ ଝୁଲା ପୋଲ ଦୁର୍ବଳ ହୋଇ ଯାଇଥିବାରୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି। ୨୦୦୬ ମସିହାରେ ନିର୍ମାଣ ହୋଇଥିଲା ଝୁଲା ପୋଲ। ପୋଲର ବିଭିନ୍ନ ଅଂଶରେ ଫାଟ ଦେଖା ଦେଇଥିଲେ ମଧ୍ୟ ଏହାର ମରାମତି କରାଯାଉ ନାହିଁ। ତେଣୁ ଝୁଲା ପୋଲ ଭବିଷ୍ୟତକୁ ପ୍ରଶ୍ନ ଉଠିଛି।

ଏବେ କାର୍ତ୍ତିକ ମାସ ଚାଲିଛି। ଭକ୍ତଙ୍କ ସଂଖ୍ୟା ବଢୁଛି। ଝୁଲା ପୋଲ ସୁରକ୍ଷିତ ନଥିବାରୁ କଂକ୍ରିଟ୍‌ ପୋଲ ନିର୍ମାଣ କରିବାକୁ ଦାବି ହେଉଛି।

Comment