ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଚିକିତ୍ସାଜନିତ ଅବହେଳା ଯୋଗୁଁ ଏସ୍‌ସିବି ଡାକ୍ତରଖାନାରେ ଜଣେ ଦୁର୍ଘଟଣାଗ୍ରସ୍ତ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ସିଡିଏ ସେକ୍ଟର ୬ସ୍ଥିତ ହଇରାଣପୁର ବସ୍ତିର ସରୋଜ ଦାସଙ୍କ ପୁଅ ପ୍ରତ୍ୟୁଷ ଦାସ। ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ହୋହାଲ୍ଲା କରିବା ସହ ଦୃଢ଼ ପ୍ରତିବାଦ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଆଶୁଚିକିତ୍ସା କେନ୍ଦ୍ରରେ ଡାକ୍ତରମାନେ ବସୁଥିବା ପ୍ରକୋଷ୍ଠକୁ ବାହାରୁ ବନ୍ଦ କରି ଡାକ୍ତରମାନଙ୍କୁ ଅଟକ ରଖିବା ସହ ଶବ ରଖି ଧାରଣାରେ ବସିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବନ୍ଦ କରିବାକୁ କହିବାରୁ ବିବାଦ ତୀବ୍ର ହୋଇଥିଲା। ଘଟଣାସ୍ଥଳରେ ପୋଲିସ ଓ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ପୋଲିସ ଲାଠିଚାଳନା କରି କଠୋର ପଦକ୍ଷେପ ନେବା ପାଇଁ ଚେତାବନୀ ଦେବାରୁ ଆନ୍ଦୋଳନକାରୀମାନେ ମୃତେଦେହ ନେଇ ଏସ୍‌ସିବିରୁ ଫେରି ଯାଇଥିଲେ।

ଖବରରୁ ପ୍ରକାଶ, ସିଡିଏ ସେକ୍ଟର ୬ସ୍ଥିତ ହଇରାଣପୁର ବସ୍ତିରେ ସରୋଜ ଦାସଙ୍କ ଅଧା ତିଆରି ଘରେ ତାଙ୍କ ପୁଅ ପ୍ରତ୍ୟୁଷ ଓ ଅନ୍ୟସାଙ୍ଗମାନେ ଖେଳୁଥିଲେ। ଖେଳୁଥିବା ସମୟରେ ତାଙ୍କ ପୁଅ ଉପରୁ ଖସି ପଡ଼ିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ ଅନ୍ୟ ସ୍ଥାନରେ ମଧ୍ୟ ଆଘାତ ଲାଗିଥିଲା। ପରିବାର ଲୋକେ ଶିଶୁକୁ ଚିକିତ୍ସା କରିବା ପାଇଁ ଏସ୍‌ସିବିକୁ ଆଣିଥିଲେ। ଆଶୁଚିକିତ୍ସା କେନ୍ଦ୍ରରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ପ୍ରାଥମିକ ଚିକିତ୍ସା ଦେଇ ଭଲ ଅଛି ବୋଲି କହି ଘରକୁ ଡିସଚାର୍ଜ କରିଦେଇଥିଲେ।

ଡାକ୍ତରଙ୍କ ପରାମର୍ଶକ୍ରମେ ଆଘାତପ୍ରାପ୍ତ ଶିଶୁକୁ ତା’ର ପରିବାର ଲୋକେ ଡାକ୍ତରଖାନାରୁ ନେଇ ଘରକୁ ପଳାଇ ଯାଇଥିଲେ। ଘରେ ପହଞ୍ଚିବା ପରେ ରାତିରେ ଶିଶୁଟି ପୁଣି ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ଚିନ୍ତିତ ହୋ ପଡ଼ିଥିଲେ। ମାତ୍ର ରାତିରେ ପ୍ରତ୍ୟୁଷର ବାନ୍ତି ହୋଇ ନଥମିବାରୁ ପରିବାର ଲୋକେ ପୁନର୍ବାର ତାକୁ ଚିକିତ୍ସା କରାଇବା ପାଇଁ ଏସ୍‌ସିବି ଆଶୁଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତିରୁ ଶିଶୁଟି ଗୁରୁତର ଅବସ୍ଥାରେ ଏଠାରେ ପଡ଼ି ରହିଥିଲେ ହେଁ ତାକୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରି ନଥିଲା। ପୁଅକୁ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ପାଖରେ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ ଏବଂ ଶେଷରେ ତାଙ୍କ ପୁଅର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

Comment