ଓଡିଶାଲାଇଭ୍ ବ୍ୟୁରୋ

କଟକ: କେବଳ ଓଡ଼ିଶା ନୁହେଁ ପୂର୍ବ ଭାରତର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ହେଉଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ‌ କଲେଜ୍ ଓ ହସ୍ପିଟାଲ (ଏସ୍‌ସିବି)। ଓଡ଼ିଶାର ଅନେକ ପଡ଼ୋଶୀ ରାଜ୍ୟରୁ ବି ଏଠାକୁ ରୋଗୀମାନେ ଆସିଥାନ୍ତି। ଦୈନିକ ହଜାର ହଜାର ରୋଗୀ, ରୋଗୀଙ୍କ ସଂପର୍କୀୟ, ସ୍ୱାସ୍ଥ୍ୟସେବା ସଂପର୍କିତ ବ୍ୟକ୍ତିବିଶେଷଙ୍କ ଭିଡ଼ ଜମେ ଏସ୍‌ସିବିରେ। ହେଲେ କରୋନା ସମୟରେ ଏସ୍‌ସବି ମେଡିକାଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରୋଗ ଭଲ କରୁଥିବା ଡାକ୍ତରମାନେ କରୋନାର ଶିକାର ହେବାରେ ଲାଗିଛନ୍ତି।

ୱାର୍ଡରେ ଡାକ୍ତର ଅସୁରକ୍ଷିତ, ପ୍ରଶାସନିକ କାର୍ଯ୍ୟାଳୟରେ କର୍ମଚାରୀ ଆତଙ୍କିତ ଏବଂ ମେଡିକାଲ ଭିତରକୁ ଯିବା ପାଇଁ ରୋଗୀ ମଧ୍ୟ ଭୟଭୀତ। ଏସସିବି ମେଡିକାଲରେ କରୋନାକୁ ନେଇ ଏବେ ଏଭଳି ଅବସ୍ଥା ଉପୁଜିଛି। ଏସ୍‌ସିବିର ପ୍ରଫେସର, ସହକାରୀ ପ୍ରଫେସର, ପିଜି ଡାକ୍ତର, ଏସ୍‌ଆର୍‌, ହାଉସ୍‌ସର୍ଜନ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଶାଇ ୫୦ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ସେହିପରି ନର୍ସ, ଆଟେଣ୍ଡାଣ୍ଟ, କିରାଣି, ଟେକ୍ନିସିଆନ୍‌, ସିକ୍ୟୁରିଟି ଓ ପିଅନ ଆଦିଙ୍କୁ ମିଶାଇ ପାଖାପାଖି ୧୦୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ୱାର୍ଡରେ କାମ କରୁଥିବା ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ପରେ ଏବେ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ବି କରୋନାରେ ସଂକ୍ରମିତ ହେଉଛନ୍ତି। ମେଡିକାଲ୍ କଲେଜ୍‌ ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରାୟ ୨୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଏସ୍‌ସିବିରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। କାଜୁଆଲିଟିରୁ ଆରମ୍ଭ କରି ଲାବ୍ରୋଟୋରୀ ପର୍ଯ୍ୟନ୍ତ ସବୁଠି କରୋନା ପଜିଟିଭ୍ ରୋଗୀ।corona-1ଏସ୍‌ସିବିରେ କରୋନା ରୋଗୀଙ୍କୁ ରଖି ଚିକିତ୍ସା କଲେ ଅଣକରୋନା ରୋଗୀଙ୍କ ଚିକିତ୍ସାରେ ବାଧା ଉପୁଜିବ ବୋଲି ଦୂରଦୃଷ୍ଟି ରଖି ସରକାର ଅନ୍ୟ ସ୍ଥାନରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍‌ମାନ ଖୋଲିଥିଲେ। ହେଲେ ଏବେ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନଙ୍କ ଅପେକ୍ଷା ଏସ୍‌ସିବିରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ କରୋନା ଭୟରେ ପ୍ରମାଦ ଗଣୁଛନ୍ତି।

ବିଭିନ୍ନ ନିୟମର ଉଲ୍ଳଂଘନ କାରଣରୁ ଏସ୍‌ସିବିରେ କରୋନା ବ୍ୟାପିବାରେ ଲାଗିଛି। ପ୍ରତି ୱାର୍ଡରେ ସନ୍ଦିଗ୍ଧ କରୋନା ରୋଗୀମାନଙ୍କ ପାଇଁ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଗଲା ନାହିଁ। ସେହିପରି  ସ୍କିନିଂର ଅଭାବ ଯୋଗୁଁ କରୋନା ପଜିଟିଭ୍ ରୋଗୀମାନେ ୱାର୍ଡ ଓ ଆଇସିୟୁ ଭିତରେ ରହି ସଂକ୍ରମଣକୁ ବଢ଼ାଇଥିଲେ। ନେଫ୍ରୋଲୋଜି ବିଭାଗର ପ୍ରଫେସର, ମାଇକ୍ରୋବାୟୋଲୋଜି ବିଭାଗର ସହକାରୀ ପ୍ରଫେସର, ପଲ୍ୟୁମ୍‌ନାରୀ ବିଭାଗର ଡାକ୍ତରଙ୍କ ସମେତ ସର୍ଜରୀ, ମେଡିସିନ୍‌, କାର୍ଡିଓଲୋଜି, ନ୍ୟୁରୋସର୍ଜରୀ ଓ ଦନ୍ତରୋଗ ବିଭାଗର ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ ଆଇସୋଲେସନ ୱାର୍ଡରେ ଅଦ୍ୟାବଧି ୧୬୦ରୁ ଅଧିକ କରୋନା ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏସ୍‌ସିବିରେ ୨୦ ଜଣ କରୋନା ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ଘଟିଥିବା ସରକାରୀଭାବେ କୁହାଯାଇଛି।

ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ମତ ହେଉଛି ଏସ୍‌ସିବିରେ ଏବେ ୬୦ ଆଇସିୟୁ ଓ ୨୦୦ ସାଧାରଣ ବେଡ୍‌ବିଶିଷ୍ଟ ଏକ କରୋନା ୱାର୍ଡ ଖୋଲାଯିବାକୁ ବ୍ୟବସ୍ଥା ହେଉଛି। ନିର୍ଦ୍ଦିଷ୍ଟଭାବେ କରୋନା ୱାର୍ଡ ଖୋଲାଗଲେ ଡାକ୍ତର, ରୋଗୀ ଓ କର୍ମଚାରୀ ସମସ୍ତେ ସଚେତନ ହୋଇଯିବେ।BGUଏସ୍‌ସିବିର କରୋନା ମୁକାବିଲା ପ୍ରସ୍ତୁତିକୁ ଦେଖିଲେ ଏଠାରେ ୩୫୨ ବେଡ୍‌ବିଶିଷ୍ଟ ଆଇସୋଲେସନ ୱାର୍ଡ, ୬୦୦ ବେଡ୍‌ବିଶିଷ୍ଟ ସଙ୍ଗରୋଧ ୱାର୍ଡ ଓ ୧୨ ଟି ଆଇସିୟୁ ବେଡ୍ ରହିଛି। ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, କର୍ମଚାରୀଙ୍କ ପାଇଁ ୭୮୦୫ ପିପିଇ କିଟ୍‌ସ, ୫୩୩୬ ଏନ-୯୫ ମାସ୍କ, ୩ ଲକ୍ଷ ୬୧ ହଜାର ୩୫୦ଟି ୩ ଲେୟାର ମାସ୍କ ଓ ୭୪୭୮ ହ୍ୟାଣ୍ଡ ସାନିଟାଇଜର ମହଜୁଦ୍ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ଏସ୍‌ସିବିରେ କରୋନା ସଂକ୍ରମଣ ସମ୍ପର୍କରେ ମତ ଦେଇ କରୋନା ନୋଡାଲ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ରୋଗୀ ବଢ଼ିବାରୁ ଏସ୍‌ସିବି ଉପରେ ଭାର ପଡ଼ୁଛି। କୌଣସି ରୋଗୀଙ୍କୁ ତ ମେଡିକାଲରୁ ଫେରାଇ ଦେଇ ହେବନି। ଏବେ କିଏ ପଜିଟିଭ୍ କିଏ ନେଗେଟିଭ୍ ସେ ହିସାବ କରିବା ଅପେକ୍ଷା ଆରୋଗ୍ୟ ହାର ବଢୁଥିବା ସବୁଠୁ ଖୁସି ଖବର। ଏସ୍‌ସିବିରେ ସେଭଳି କିଛି ଆତଙ୍କିତ ହେଲା ଭଳି ଘଟଣା ଘଟିନି। ସ୍ଥିତି ଆଗକୁ ସୁଧୁରିଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Comment