ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ରାଜ୍ୟ ତଥା କେନ୍ଦ୍ର ସରକାର ଗରିବ ସୀମାରେଖା ତଳେ ଅନ୍ତର୍ଭୁକ୍ତ ପରିବାରଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଇନ୍ଦିରାଆବାସ, ବିଜୁ ପକ୍କା ଗୃହ, ଏବଂ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ଗରିବ ହିତାଧିକାରୀଙ୍କୁ ରହିବା ପାଇଁ ଘର ଦିଆଯାଉଛି। ହେଲେ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାନଯିବା ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଙ୍ଗୁଳି ନିର୍ଦେଶ କରୁଛି। ଏବେ ମଧ୍ୟ ଅନେକ ଗରିବ ହିତାଧିକାରୀ ଗୃହ ଖଣ୍ଡେ ନପାଇ ଝାଟି ମାଟି କୁଡ଼ିଆରେ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଝାଡବନ୍ଧଗୁଡ଼ାରେ ରହୁଥିବା ଦ୍ରୌପଦୀ ଗୌଡ଼(୭୦) ଚାଳ ଛପର ଘରେ ବହୁ କଷ୍ଟରେ ରହୁଥିଲେ ସୁଦ୍ଧା ଏଯାବତ ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରିନି। ଦ୍ରୌପଦୀଙ୍କ ପରିବାର ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା ପରେ ବାସଚ୍ୟୁତ ହୋଇ ଝାଡବନ୍ଧଗୁଡ଼ାରେ ଦୀର୍ଘ ୩୫ ବର୍ଷ ହେଲାଣି ରହିଆସୁଛନ୍ତି।

ଦ୍ରୌପଦୀଙ୍କ ସ୍ୱାମୀ ୧୦ ବର୍ଷ ପୂର୍ବେ ଆରପାରିକୁ ଚାଲି ଯାଇଥିବା ବେଳେ ପୁଅ ଝିଅ କେହି ନାହାନ୍ତି। ନିଜର ଜମି ବାଡ଼ି ବୋଲି କିଛି ନାହିଁ। ଦ୍ରୌପଦୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୭୦୦ ଟଙ୍କା ମିଳୁଛି। ୭୦୦ ଟଙ୍କାରେ ଚଳିବା କଷ୍ଟ ସାଧ୍ୟ ହେଉଥିବାରୁ ପରିଣତ ବୟସରେ ମଧ୍ୟ ଦ୍ରୌପଦୀ ଦିନ ମଜୁରୀ ଲାଗି ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଦ୍ରୌପଦୀ।

ବାରମ୍ବାର ଗୃହ ପାଇଁ ପଲ୍ଲୀସଭା, ଗ୍ରାମସଭାରେ ନାମ ପଞ୍ଜିକରଣ କଲେ ସୁଦ୍ଧା ଘର ମିଳୁନି। ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା ପୂର୍ବରୁ ଦ୍ରୌପଦୀ କୁରୁମୁଲି ଗ୍ରାମରେ ରହୁଥିଲେ। ସେଠାରେ ନିଜର ଜମି, ଘର, ଡ଼ଙ୍ଗର ସବୁକିଛି ଥିଲା। ବିସ୍ଥାପିତ ପରେ ଝାଡ଼ବନ୍ଧଗୁଡାରେ ଆସି ୩୫ ବର୍ଷରୁ ଅଧିକ ସମୟ ହେବ ରହିଆସୁଛନ୍ତି। ହେଲେ ଏପର୍ଯ୍ୟନ୍ତ ସରକାରୀ ସୁବିଧା ମିଳୁ ନଥିବା ଦ୍ରୌପଦୀ ପ୍ରକାଶ କରିଛନ୍ତି।

ଅନ୍ୟ ପଟେ ବର୍ଷକୁ ଥରେ ଘର ଛପର କରିବାକୁ ମଧ୍ୟ ଦ୍ରୌପଦୀଙ୍କ ପାଖରେ ସମ୍ବଳ ନାହିଁ। ପରିଣତ ବୟସରେ ସରକାରଙ୍କ ପକ୍ଷରୁ ଗୃହ ଖଣ୍ଡେ ଯୋଗେଇ ଦେଲେ ଖୁସିରେ ଜୀବନ ଅତିବାହିତ ହୋଇ ପାରନ୍ତା ବୋଲି ଦ୍ରୌପଦୀ କୋହଭରା କଣ୍ଠରେ କହିଛନ୍ତି। ପ୍ରଶାସନ ପକ୍ଷରୁ ଦ୍ରୌପଦୀଙ୍କୁ ଆବାସ ଗୃହ ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comment