ଭାସ୍କର ପରିଚ୍ଛା

ସାମ୍ପ୍ରତିକ ସମୟରେ ମହାତ୍ମା ଗାନ୍ଧୀଙ୍କ ଉପରେ ଓଡ଼ିଶାରେ ଯଦି କେହି ନିରବଚ୍ଛିନ୍ନ ଭାବରେ ଅଧ୍ୟୟନ, ଗବେଷଣା ଓ ପୁସ୍ତକ ରଚନା କରୁଛନ୍ତି ନିଶ୍ଚିତ ଭାବରେ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ାଙ୍କ ନାମ ସର୍ବାଗ୍ରେ ରହିବ। ଏଥି ପୂର୍ବରୁ ସେ ତିନି ଖଣ୍ଡ  ଗାନ୍ଧୀ ପୁସ୍ତକ ଲେଖିସାରିଛନ୍ତି – ‘ମୋହନରୁ ମହାତ୍ମା,ଗାନ୍ଧୀ ମହାତ୍ମା, ଗାନ୍ଧୀ ଚର୍ଚ୍ଚା’ ଓ ଏବେ ‘ମହାତ୍ମାଙ୍କ ମନକଥା’।ପ୍ରତିଟି ପୁସ୍ତକର ବିଷୟ ପ୍ରବେଶ କିନ୍ତୁ ଅଲଗା,ରଚନା ଶୈଳୀ ଅଲଗା ଓ ସ୍ୱାଭାବିକ ଭାବରେ ବିଭିନ୍ନ ଶ୍ରେଣୀର ପାଠକଙ୍କ ପାଇଁ ସେ ସବୁ ଲେଖା ଯାଇଛି।

ଆଲୋଚ୍ୟ ପୁସ୍ତକଟି ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ରଚିତ।ତେବେ ଗାନ୍ଧୀ ସାହିତ୍ୟ ଚର୍ଚ୍ଚା କୌଣସି ଅବସରକୁ ଅପେକ୍ଷା କରେନା।ଏହା ଏକ ନିରନ୍ତର ପ୍ରକ୍ରିୟା ଓ ଏକ ଅଙ୍ଗୀକାରବଦ୍ଧ ମାନସିକତାରୁ ହିଁ ଏହିଭଳି ସାହିତ୍ୟ ସୃଷ୍ଟି ହୋଇପାରେ।’ମହାତ୍ମାଙ୍କ ମନକଥା’ ପୁସ୍ତକକୁ ଯଦି ଆମେ ବୁଲେଇକି ଦେଖିବା ଏହା ଗାନ୍ଧୀ ବିଚାର ବା ଗାନ୍ଧୀଙ୍କ ଭିଜନର ଏକ ସ୍ଥୂଳ ଅବତାରଣା।

ଲେଖକ ପ୍ରସ୍ତାବନାରେ ଲେଖିଛନ୍ତି, ‘ଗାନ୍ଧୀଜୀ ନିଜ ଦର୍ଶନ ସମ୍ପର୍କରେ ନିଜେ ସେମିତି କିଛି ପୂର୍ଣ୍ଣାଙ୍ଗ ବହି ଲେଖିନାହାନ୍ତି। ତାଙ୍କର ବିଭିନ୍ନ ଲେଖା, ଭାଷଣ ଏବଂ ନିଜ ବନ୍ଧୁଙ୍କ ସହ ନିଜେ ବାଣ୍ଟିଥିବା ଅନୁଭୂତିରୁ ପ୍ରତିଷ୍ଠିତ ଗାନ୍ଧୀ ବିଚାରର ଉତ୍ପତ୍ତି। ଏହା ବି ‘ଗାନ୍ଧୀ ଦର୍ଶନର’ ନାଁ ନେଇଛି…. ବାସ୍ତବତା ହେଲା, ଗାନ୍ଧୀଜୀ କୌଣସି ନୂଆଁ ଦର୍ଶନ ବା ନୂଆ ଧର୍ମର ସ୍ରଷ୍ଟା କିମ୍ବା ପ୍ରବର୍ତ୍ତକ ନୁହଁନ୍ତି। ପୁରୁଣା ସିଦ୍ଧାନ୍ତର ସେ କେବଳ ପ୍ରୟୋଗ କରିଛନ୍ତି। ବିଡ଼ମ୍ବନା ଯେ, ଗାନ୍ଧୀ ବିଚାରର ସମ୍ପୂର୍ଣ୍ଣ ପ୍ରୟୋଗ ଏ ପର୍ଯ୍ୟନ୍ତ ଏଠି ହୋଇପାରିନାହିଁ।’

‘ମହାତ୍ମାଙ୍କ ମନକଥା’ ପୁସ୍ତକରେ ଗାନ୍ଧିଜୀଙ୍କ ବିଶାଳକାୟ ଜୀବନଦୃଷ୍ଟି ଉପରେ ତେସ୍ତରୀଟି ପରିଚ୍ଛେଦ ରହିଛି। ଲେଖଙ୍କ କହିବା ଅନୁଯାୟୀ, ଗାନ୍ଧୀ ଦର୍ଶନ ଏବଂ ତତ୍ତ୍ୱର ଭିନ୍ନାର୍ଥ ସେ କରିନାହାନ୍ତି,କେବଳ ତାହାକୁ ନିଜସ୍ୱ ଶୈଳୀରେ ପାଠକଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି। ଏହି ସ୍ୱୀକାରୋକ୍ତି ସହିତ ଶ୍ରୀ ପରିଡ଼ା ଗାନ୍ଧୀ ସାହିତ୍ୟର ଏକ ବ୍ୟାପକ କ୍ଷେତ୍ରକୁ ଓଡ଼ିଆ ପାଠକଙ୍କ ନିକଟକୁ ଆଣିପାରିଛନ୍ତି।

ଗାନ୍ଧୀ କ’ଣ ଚିନ୍ତା କରୁଥିଲେ, କହୁଥିଲେ ଓ ତାହାକୁ କାର୍ଯ୍ୟରେ ପରିଣତ କରୁଥିଲେ ତାହାର ଏକ ସାମଗ୍ରିକ ପ୍ରତିବେଦନ ଏହି ପୁସ୍ତକ।ଈଶ୍ୱର କଣ, ପ୍ରାର୍ଥନା କଣ,ରାମନାମ କଣ,ପ୍ରତିମା ପୂଜା କାହାକୁ କହନ୍ତି,ଧର୍ମ ଓ ରାଜନୀତି ଭିତରେ ପ୍ରଭେଦ,ଅସ୍ପୃଶ୍ୟତା ନିବାରଣ,ଅହିଂସା,ଆତଙ୍କବାଦ,ଭୀରୁତା, ସତ୍ୟାଗ୍ରହ,ଅସହଯୋଗ, ଅନଶନ, ସମ୍ପତ୍ତି ତ୍ୟାଗ,ଭିକ ନୁହେଁ କାମ ଦିଅ,ଶ୍ରମ ଓ ପୁଞ୍ଜି,ସର୍ବୋଦୟର ରୂପରେଖ,ମଣିଷ ଓ ମେସିନ,ଆଧୁନିକ ଶିଳ୍ପ ସଭ୍ୟତା,ସମାଜବାଦ,ସାମ୍ୟବାଦୀ ଗାନ୍ଧୀ,ଟ୍ରଷ୍ଟିସିପ,ଆର୍ଥିକ ସମାନତା,ବିବାହ,ଜନ୍ମ ନିୟନ୍ତ୍ରଣ,ନାରୀ ଶିକ୍ଷା ଓ ନାରୀ ସୁରକ୍ଷା, ସ୍ୱରାଜ,ଭାରତ ବିଭାଜନ,ଗଣତନ୍ତ୍ର, ଗ୍ରାମ ବିକାଶ, ଭାଷାଭିତ୍ତିକ ରାଜ୍ୟ,ସ୍ବଦେଶୀ,ଚରଖା,ଜାତୀୟତାବାଦ, ଏକାଦଶ ବ୍ରତ,ଭେଜିଟେରିଆନଜିମ, ସାମ୍ବାଦିକତା,ଓକିଲାତି ଏଭଳି ଗାନ୍ଧିଜୀଙ୍କ ବଛା ବଛା ଦୃଷ୍ଟିକୋଣର ସମାହାର ଏହି ପୁସ୍ତକ।ସବୁଠାରୁ ବଡ଼ କଥା ପୁସ୍ତକରେ ଗାନ୍ଧୀଙ୍କ ଘଟଣାବହୁଳ ଜୀବନର  ଏକ କାଳାନୁକ୍ରମିକ ବିବରଣୀ ପ୍ରଦାନ କରିଛନ୍ତି ଲେଖକ।

୧୮୬୯ ଅକ୍ଟୋବର ରୁ ୧୯୪୮ ଜାନୁଆରୀ ୩୦ ମଧ୍ୟରେ ଗାନ୍ଧିଜୀଙ୍କ ସମଗ୍ର ଜୀବନରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଯାଇଛି ତାର ଉଲ୍ଲେଖ ଅତ୍ୟନ୍ତ ଉପାଦେୟ।ଏଠି ହାତ ପାହାନ୍ତାରେ ପାଠକଟି ପାଇଯିବ ଗାନ୍ଧିଜୀଙ୍କ ଟାଇମ ଲାଇନ।ପୁସ୍ତକର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ ହେଉଛି ଲେଖକ ଯେଉଁ ସହାୟକ ଗ୍ରନ୍ଥସୂଚୀ ଦେଇଛନ୍ତି।ତାରିଖ ଓ ସୂତ୍ର ଜରିଆରେ କେଉଁଠୁ ସେ ତଥ୍ୟକୁ ଏକାଠି କରିଛନ୍ତି ତାହାର ଉଲ୍ଲେଖ କରାଯାଇଛି। ଏଥିରୁ ଲେଖକ ତାଙ୍କ ଉଦ୍ୟମ ଓ ଅଧ୍ୟବସାୟର ପ୍ରମାଣ ଦେଇଛନ୍ତି ବୋଲି ବୁଝିବାକୁ ପଡ଼ିବ।

ଗାନ୍ଧୀ ବିଚାରର କେତୋଟି ଉଦାହରଣ ଏଠି ଦିଆଗଲା ଯାହାକୁ ଶ୍ରୀ ପରିଡ଼ା ଅତି ଚମତ୍କାର ଭାବରେ ଚୟନ କରିଛନ୍ତି ଏବଂ   ଗାନ୍ଧୀଙ୍କ ଏହି ସବୁ  ଉଦ୍ଧୃତିର ଏକ ପୂର୍ବାପର ସମ୍ପର୍କ ବି ଟାଣିଛନ୍ତି :

‘ମଦ ପିଇବାରେ ଲାଭ କାହାର ହୁଏନାହିଁ।ମଦପାନ କଲେ ଶିଳ୍ପୀର କଳା କୌଶଳ ଏବଂ ସୃଜନୀ ଶକ୍ତି କମିଯାଏ।ଖେଳ ପଡ଼ିଆରେ ଖେଳାଳୀର ପ୍ରଦର୍ଶନ କମେ।ସରକାରୀ ଅଫିସରେ କାମ କମ ହୁଏ।’

‘ହିନ୍ଦୁ ଧର୍ମ ଏକ ସଂକୀର୍ଣ୍ଣ ଧର୍ମ ନୁହେଁ।ବର୍ଷବର୍ଷ ଧରି ଏହାର ବଳିଷ୍ଠ ବିବର୍ତ୍ତନ ହୋଇ ଆସିଛି। ଏଇ ବିବର୍ତ୍ତନ ଏବଂ ସଂସ୍କାର ଏ ଧର୍ମରେ ଭବିଷ୍ୟତରେ ବି ଚାଲିବ।
ଜୋରଷ୍ଟର,ମୋଜେସ, ଯୀଶୁ ଖ୍ରୀଷ୍ଟ, ମହମ୍ମଦ,ନାନକ ଏବଂ ଅନ୍ୟ ଧର୍ମଯାଜକଙ୍କର ମତକୁ ହିନ୍ଦୁଧର୍ମ ଗ୍ରହଣ ବି କରିଛି।’

‘ବ୍ରାହ୍ମଣ,କ୍ଷତ୍ରିୟ,ବୈଶ୍ୟ ,ଶୁଦ୍ର ହେଉଛି ବର୍ଣ୍ଣର ଏକ ଚିହ୍ନଟ ମାତ୍ର-ଲେବଲ।ସମସ୍ତ ହିନ୍ଦୁ ଯଦି ନିଜକୁ ସ୍ବେଚ୍ଛାକୃତ ଭାବେ ଶୁଦ୍ର ନାମରେ ସମ୍ବୋଧନ କରନ୍ତେ,ବର୍ଣ୍ଣ ଏବଂ ଜାତି ଭିତରେ ଦ୍ବନ୍ଦ୍ୱ ରହନ୍ତା ନାହିଁ।’

ଖବରକାଗଜ ସମ୍ପର୍କରେ ଗାନ୍ଧିଜୀଙ୍କ ମତଟି ପ୍ରଣିଧାନଯୋଗ୍ୟ:
‘ମୋର ଅଭ୍ୟାସ ହେଲା ମୁଁ କେବେ ମୋ ମତ ଖବରକାଗଜ ଖବରକୁ ଆଧାର କରି ତିଆରି କରେନି।ମୁଁ କେବଳ ଖବରକାଗଜରେ ପ୍ରକାଶିତ ଘଟଣାକୁ ଅଧ୍ୟୟନ କରେ।ମୋ ମତ ମୁଁ ନିଜେ ପ୍ରସ୍ତୁତ କରେ।ମତ ତିଆରି କରିବାକୁ ମୁଁ ମୋର ସ୍ୱତନ୍ତ୍ର ଚିନ୍ତାକୁ କେବେ ହତ୍ୟା କରିଦେଇନି।କିନ୍ତୁ ଖବରକାଗଜରେ ପ୍ରକାଶିତ ଖବର ସତ ହେବା ଦରକାର।ଏହା ଅତିରଞ୍ଜିତ ନହେବା ଉଚିତ।’

ମହାତ୍ମା ଗାନ୍ଧୀଙ୍କୁ  ଜଣେ ସର୍ବଶ୍ରେଷ୍ଠ ପ୍ରେରଣାଦାୟକ ମଣିଷ ଓ  ରୂପାନ୍ତରଣର  ଏକ ଶକ୍ତିମାନ ଉତ୍ସ ଭାବରେ ଯଦି ସମଗ୍ର ବିଶ୍ୱ ସ୍ୱୀକାର କରେ,ଏହି ପୁସ୍ତକଟି ନିଶ୍ଚିତଭାବେ ସେହି ବିରଳ ବ୍ୟକ୍ତିତ୍ୱକୁ ଚିହ୍ନିବାରେ ସହାୟକ ହେବ।  ଗାନ୍ଧୀଙ୍କ ସାମଗ୍ରିକ ଚିନ୍ତାଧାରାକୁ  ‘କୋଟେବଲ କୋଟ’ ମାଧ୍ୟମରେ ଓଡ଼ିଶାର ପାଠକଙ୍କ ପାଖରେ ପହଞ୍ଚାଇବାର ଯେଉଁ ଉଦ୍ୟମ ଲେଖକ ଏହି ପୁସ୍ତକରେ କରିଛନ୍ତି ତାହା ପ୍ରଶଂସନୀୟ।ଖୁବ୍ ସରଳ ଓ ବୋଧଗମ୍ୟ ଭାଷାରେ ଲିଖିତ ଏହି ପୁସ୍ତକ ପ୍ରତ୍ୟେକଟି ପାଠକ ଯିଏ ଗାନ୍ଧୀ ସାହିତ୍ୟରେ ସାଧାରଣ  ଆଗ୍ରହ ବି ରଖନ୍ତି  ତାଙ୍କ ପାଇଁ  ଅତ୍ୟନ୍ତ ଉପାଦେୟ।

ମହାତ୍ମାଙ୍କ ମନକଥା
ଗୌରାଙ୍ଗ ଚରଣ ପରିଡ଼ା

ପ୍ରେମଶୀଳା ପ୍ରକାଶନୀ
ସର୍ବୋଦୟ ନଗର
ପୁରୀ -୨
୫୦୦ ଟଙ୍କା

Comment