ଓଡ଼ଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା ଦ୍ଵାରା ବିସ୍ତାପିତ ହୋଇ ଅନେକ ପରିବାର ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ବିସ୍ତାପିତ ହେବାର ୩୦ ବର୍ଷ ବିତି ଯାଇଥିଲେ ହେଁ ସେମାନଙ୍କୁ ଆଜିଯାଏଁ ମିଳିନି ସରକାରୀ ସୁବିଧା। ଶହ ଶହ ପରିବାର ବାସଚ୍ୟୁତ ହୋଇ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ବ୍ଲକର ଅନେକ ଗ୍ରାମ ତଥା ଜଙ୍ଗଲ ମଧ୍ୟରେ ବସତି ସ୍ଥାପନ କରି ଅତି ଦୟନୀୟ ଭାବରେ ରହୁଛନ୍ତି ।

ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଝାଡବନ୍ଧ ଗୁଡା ଗ୍ରାମରେ ଇନ୍ଦ୍ରାବତୀ ନଦୀ ବନ୍ଧ ଦ୍ଵାରା ବିସ୍ତାପିତ ହୋଇ ୩୫ ଟି ପରିବାର ବସତି ସ୍ଥାପନ କରିଛନ୍ତି। ୧୯୮୯ ମସିହାରୁ ବାସଚ୍ୟୁତ ହୋଇ ଏଠାରେ ରହୁଥିବା ୪୫ ଟି ପରିବାର ମଧ୍ୟରୁ ୧୩ ଟି ପରିବାର ଏଠାରେ ଜୀବିକା ନିର୍ବାହ କରିନପାରି ଅନ୍ୟତ୍ର ଚାଲି ଯାଇ ଥିବାବେଳେ ବର୍ତମାନ ଉକ୍ତ ଗ୍ରାମରେ୨୨ ଟି ପରିବାର ଅଛନ୍ତି।

ଗୌଡ଼ କୁରୁମୁଲି ଓ କୁବେରବକହା ଗାଁରୁ ନଦୀବନ୍ଧ ଯୋଜନା ଦ୍ଵାରା ବିସ୍ତାପିତ ହୋଇ ଝାଡ଼ବନ୍ଧ ଗୁଡାରେ ରହୁଥିବା ୨୨ଟି ପରିବାର ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି।

ଗାଁରେ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନି, ଫଳରେ ମହୁଲକୋଟ ପ୍ରାଥମିକ ବିଦ୍ୟାଳୟ, ଏବଂ ଇଚ୍ଛାପୁର ଅଙ୍ଗନବାଡି କେନ୍ଦ୍ର ଉପରେ ପିଲାମାନେ ନିର୍ଭର କରନ୍ତି। ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଅନେକ ଦୂର ହେଉଥିବାରୁ ପିଲାମାନେ ଯିବାକୁ ଅମଙ୍ଗ ହେଇ ଘରେ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବିସ୍ତାପିତ ହୋଇ ୩୦ ବର୍ଷ ହେଲା ଝାଡ଼ବନ୍ଧ ଗୁଡାରେ ବସତି ସ୍ଥାପନ କରିଥିବା ପରବାର ଙ୍କୁ ଘରଡ଼ିହ ପଟ୍ଟା ମିଳିନଥିବା ଗ୍ରାମବାସୀ କହିଛନ୍ତି। ବିସ୍ତାପିତ ପରେ ଏଠାକୁ ଆସି କିଛି କିଣିଥିବା ଚାଷଜମିର  ପଟ୍ଟା ମଧ୍ୟ୍ୟ ଏ ପର୍ଯ୍ୟନ୍ତ ହୋଇନଥିବ ଗ୍ରାମବାସୀ ପ୍ରକାଶ କରିଛନ୍ତି।

ବିସ୍ତାପିତ ପରିବାର ରହୁଥିବା ଗ୍ରାମରେ ସରକାରଙ୍କ ପକ୍ଷରୁ କେନାଲ, ସ୍କୁଲ, ରାସ୍ତା, ପୋଖରୀ, ଆବାସ ଗୃହ, ଘରଡ଼ିହ ପଟ୍ଟା, ଜମି ପଟ୍ଟା, ପାନୀୟଜଳ, ସ୍ୱାସ୍ଥ୍ୟସେବା ଭଳି  ସମସ୍ତ ପ୍ରକାର ସୁବିଧା ଯୋଗେଇବା ନିୟମ ଥିବାବେଳେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ପଡୁନି ବୋଲି ବୁଡି ଅଞ୍ଚଳିୟ ପ୍ରଜାଦାବି କମିଟି ଅଭିଯୋଗ କରିଛି।

Comment