ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶିବସେନା ସହ ସମ୍ପର୍କ ବିଗିଡ଼ିବା ପରେ ବିଜେଡି ଆଡ଼କୁ ଢଳୁଛି ବିଜେପି!

ନିର୍ବାଚନ ପରେ ବିଜେଡି-ବିଜେପିର ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇ ଆସୁଛି। ବାସ୍ତବରେ ଏହି ଦୁଇ ଦଳ ଭିତରେ ସମ୍ପର୍କ କ’ଣ ତାକୁ ନେଇ ଅଧିକାଂଶ ସମୟରେ ପ୍ରଶ୍ନବାଚୀ ଉଠିଛି। ହେଲେ ରାଜ୍ୟସଭାରେ ଉଦ୍‌ବୋଧନ ଦେବା ଅବସରରେ ମୋଦୀ ବିଜେଡିକୁ ପ୍ରଶଂସା କରି ସବୁ ଉତ୍ତର ଦେଇଛନ୍ତି। ମୋଦୀ କେବଳ ବିଜେଡିକୁ ନୁହେଁ, ଏନ୍‌ସିପିକୁ ମଧ୍ୟ ପ୍ରଶଂସା କରିଛନ୍ତି।

‘‘ଏନ୍‌ସିପି-ବିଜେଡି ସାଂସଦଙ୍କଠାରୁ କିଛି ଶିଖିବା ଉଚିତ୍‌। ଏହି ଦୁଇ ଦଳର ସାଂସଦମାନେ କେବେ ଗୃହ ମଝିକୁ ଆସି ହୋ-ହଲ୍ଲା କରି ନାହାନ୍ତି। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରି ନାହାନ୍ତି। ଏମାନେ ଅନୁଶାସନ ଭିତରେ ରହିଛନ୍ତି’’, କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସବୁ ସାଂସଦଙ୍କ ଆଗରେ ଏହି ଦୁଇ ଦଳକୁ ପ୍ରଶଂସା କରିବାକୁ ନେଇ ଏବେ ସବୁଠି କାରଣ ଖୋଜା ଚାଲିଛି। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋଦୀ ଏନ୍‌ସିପିକୁ ପ୍ରଶଂସା କରିଥାଇ ପାରନ୍ତି ବୋଲି କୁହାଯାଉଛି। ହେଲେ ବିଜେଡିକୁ କାହିଁକି ପ୍ରଶଂସା କଲେ ତାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଲାଗି ରହିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଜେପିର ସବୁ ଗଣିତକୁ ବିଗାଡ଼ି ଦେଇଛି। ଏନଡିଏର ସହଯୋଗୀ ହେଉଛି ଶିବସେନା। ହେଲେ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଶିବସେନା ଓ ବିଜେପି ସମ୍ପର୍କରେ ଫାଟ ପଡ଼ିଛି। ରାଜ୍ୟସଭାରେ ଶିବସେନାର ଥିବା ୩ ରାଜ୍ୟସଭା ସାଂସଦ ଏବେ ବିରୋଧୀ ଆସନରେ ବସିଛନ୍ତି।

ଚଳିତ ଶୀତ ଅଧିବେଶନରେ ୨୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ ହେବାର ଅଛି। ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍‌ ଆନାୟସରେ ପାସ୍‌ ହୋଇଯିବ। ହେଲେ ରାଜ୍ୟସଭାରେ ବିଜେପିର ସଖ୍ୟା ବଳ ନାହିଁ। ଏଣୁ ରାଜ୍ୟସଭାରେ ବିଲ୍‌ ପାସ୍‌ ପାଇଁ ବିଜେପି ବିଜେଡିର ୮ ଜଣ ସାଂସଦଙ୍କ ଉପରେ ନଜର ପକାଇଥିବା କୁହାଯାଉଛି। ଏଣୁ ପ୍ରଧାନମନ୍ତ୍ରୀ ମୋଦୀ ବିଜେଡିକୁ ପ୍ରଶଂସା କରିଥିବା କୁହାଯାଉଛି।

ଏପଟେ ବିଜେଡି ବି ବିଜେପିର ନିକଟତର ହେଉଥିବା କୁହାଯାଉଛି। ବିଜେଡି ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବାକୁ ଚାହୁଁଛି। ଏଥିପାଇଁ ଗତ ୩ ବର୍ଷ ହେଲା ବିଜେଡି କମିଟି ଗଠନ କରି ପ୍ରୟାସ ଜାରି ରଖିଛି। ସଂସଦରେ ଓଡ଼ିଶା ବିଧାନ ପରିଷଦ ବିଧେୟକ ପାସ୍‌ ହେଲେ ଯାଇ ଓଡ଼ିଶାରେ ଏହା ଗଠନ ସମ୍ଭବ ହେବ। ଏଣୁ ବିଜେଡି ବି ବିଜେପିକୁ ସବୁବେଳେ ସଂସଦରେ ସମର୍ଥନ ଦେଇ ଆସୁଛି।

ଗତ ୬ ମାସ ତଳେ ଶେଷ ହୋଇଛି ସାଧାରଣ ନିର୍ବାଚନ ସମେତ ଓଡ଼ିଶା ବିଧାନସଭାର ନିର୍ବାଚନ। ଏହି ନିର୍ବାଚନରେ ଓଡ଼ିଶାବାସୀ ଦେଖିଥିଲେ ବିଜେପି ଓ ବିଜେଡି ଭିତରେ ସମ୍ପର୍କ କ’ଣ? ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ଭିତରେ ଘମାଘୋଟ ଲଢ଼େଇ ଚାଲିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିଥିବା ବେଳେ ବିଜେପି ନେତାମାନେ ୧୯ ବର୍ଷ ଶାସନର ଦୁର୍ନୀତିକୁ ପ୍ରସଙ୍ଗ କରିଥିଲେ। ଏପରିକି ମୋଦୀ ମଧ୍ୟ ଓଡ଼ିଶା ଆସି ନବୀନଙ୍କୁ ଗାଦି ଛଡ଼ିବାକୁ ଆହ୍ୱାନ ଦେଇଥିଲେ।

ହେଲେ ନିର୍ବାଚନ ପରେ ଏହି ସମ୍ପର୍କ ପୂରା ବଦଳି ଯାଇଛି। ନିର୍ବାଚନ ପରେ ଉପକୂଳ ଓଡ଼ିଶାରେ ବାତ୍ୟା ଫନି ତାଣ୍ଡବ ରଚିଥିଲା। ଫନି କ୍ଷୟକ୍ଷତିର ଆକଳନ କରିବା ପାଇଁ ମୋଦୀ ଆସିଥିଲେ ଓଡ଼ିଶା। ବିମାନ ବନ୍ଦରରେ ଓହ୍ଲାଉ ଓହ୍ଲାଉ ନବୀନଙ୍କ ବାତ୍ୟା ପରିଚାଳନାକୁ ପ୍ରଶଂସା କରିଥିଲେ। ଏପଟେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ପ୍ରଶଂସା କରିଥିଲେ। ନବୀନଙ୍କ ଶାସନରେ ହିଂସା ନାହିଁ ବୋଲି କହିଥିଲେ। ଏହି ପ୍ରଶଂସା ଭିତରେ ବିଜେଡି ଓ ବିଜେପିର ସମ୍ପର୍କ ବଦଳିଥିଲା ବୋଲି କୁହାଗଲା।

ନିର୍ବାଚନ ଫଳ କିନ୍ତୁ ସମ୍ପର୍କକୁ ଆହୁରି ମଜଭୁତ କରିଦେଲା। ବିଜେଡି ଯେତିକି ଲୋକସଭା ଆସନ ପାଇବ ବୋଲି ଆକଳନ କରିଥିଲା ତାହା କମି ଯାଇଥିଲା। ବିଜେଡି ମାତ୍ର ୧୪ଟି ଆସନ ପାଇଥିବା ବେଳେ ବିଜେପି ୬ଟି ପାଇଥିଲା। ୨୦୧୪ ଅପେକ୍ଷା ବିଜେପିର ଆସନ ସଂଖ୍ୟା ବଢ଼ିଥିଲା। ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜେଡିର ସମଦୂରତା ପ୍ରସଙ୍ଗ ଲୁଚି ଯାଇଥିଲା।

ଲୋକସଭା ବାଚସ୍ପତି ନିର୍ବାଚନ ପ୍ରସଙ୍ଗ ହେଉ କି ସଂସଦରେ କୌଣସି ବିଲ୍‌ ପାସ୍‌ ହେବା ବେଳେ ବିଜେପିକୁ ନିଃସର୍ତ୍ତ ସମର୍ଥନ ଦେଲା ବିଜେଡି। ଯେଉଁ ବିଜେଡି ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏବଂ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଉଥିଲା ସେ ସବୁ ପ୍ରସଙ୍ଗରେ ବିଜେଡିର ସ୍ୱର ନରମ ହେଲା।

ରାଜ୍ୟସଭା ନିର୍ବାଚନ ବେଳେ ବିଜେପି-ବିଜେଡି ଭିତରେ ବଡ଼ ଡିଲ୍‌ ହୋଇଥିବା କୁହାଯାଉଛି। ଓଡ଼ିଶାରୁ ଜଣେ ସାଂସଦଙ୍କୁ ରାଜ୍ୟସଭା ପଠାଇବା ଭଳି ସ୍ଥିତିରେ ନାହିଁ ବିଜେପି। ହେଲେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟସଭା ଯିବା ରାଜନୀତି ପାଣିପାଗକୁ ଉଷ୍ମ କରିଥିଲା। ସେବଠୋରୁ ବିଜେଡି-ବିଜେପିର ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ସୋମବାର ମୋଦୀଙ୍କ ପ୍ରଶାଂସା ଆହୁରି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

Comment