ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସ୍ଥାନୀୟ ସାଇ କଲ୍ୟାଣୀ ମଣ୍ଡପଠାରେ ଦୁଇଦିନିଆ ”ଜିଲ୍ଲା ଯୁବ ଉତ୍ସବ ୨୦୧୯” ଶେଷ ହୋଇଛି।  ନଭେମ୍ବର ୨୬ ଓ ୨୭ ଦୁଇ ଦିନ ଧରି ଏହି ଉତ୍ସବ ଚାଲିଥିଲା। ଉତ୍ସବର ଉଦଘାଟନୀ ସମାରୋହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

‘‘ଦେଶର ବିକାଶରେ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ମହତ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଯୁବସମାଜର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି’’ କହିଥିଲେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର।

ଏହି ଯୁବ ଉତ୍ସବ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ବନ ଖଣ୍ଡିୟ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଡିକା ଯୋଗ ଦେଇଥିଲେ।

ପ୍ରଭାତ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ। ଏହି ଯୁବ ଉତ୍ସବ ୨୦୧୯ରେ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳର ସମସ୍ଥ ଯୁବତୀ ଯୁବକ ଭାଗ ନେଇଥିଲେ।

Comment