ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରର ଗୌରାଙ୍ଗ ପାତ୍ର): ମାଟି ହେଉଛି ଆମ ସମସ୍ତଙ୍କର ମାଆ। ସମସ୍ତଙ୍କୁ ନିଜର କୋଳରେ ସ୍ଥାନ ଦେଇଥିବା ଏହି ମାଆ ଆଜି ବହୁ ପରିବାରକୁ ଜୀବିକା ମଧ୍ୟ ଯୋଗାଇପାରିଛି। ମାଟିରେ ଟେରାକୋଟା ପ୍ରସ୍ତୁତ କରି ୮୪ରୁ ଅଧିକ ପରିବାର ନିଜର ଆର୍ଥିକ ପରିସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି।

ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ତଣ୍ଡାଗୁଡ଼ା ଗ୍ରାମରେ ଲୋକମାନେ ଟେରାକୋଟା ନିର୍ମାଣ କରି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଗାଁର ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ବ୍ୟାଙ୍କରୁ ଋଣ ଆଣି ମାଟିରେ ବିଭିନ୍ନ ପ୍ରକାର ହାଣ୍ଡି, ଦୀପ ଓ ଖେଳନା ଆଦି ଟେରାକୋଟା ସାମଗ୍ରୀ ତିଆରି କରିବାରେ ନିଜକୁ ନିୟୋଜିତ କରିପାରିଛନ୍ତି। ଏହି ଶିଳ୍ପୀମାନଙ୍କ ଆହୁରି ଉନ୍ନତି ପାଇଁ ନବରଙ୍ଗପୁର କଳା ନିକେତନ ମଧ୍ୟ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛି।

ନାବାର୍ଡ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସେମାନଙ୍କୁ ଆର୍ଥିକ ସହାୟତା ଦେବା ସହ ଗୋଷ୍ଠୀର ସଦସ୍ୟମାନଙ୍କୁ ୬ମାସ ପାଇଁ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ କରିଯାଇଥିଲା। ତାଲିମ୍ ପାଇବା ପରେ ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ପ୍ରକାର ଘରସଜା ସାମଗ୍ରୀଠାରୁ ଆରମ୍ଭ କରି ନାନାଦି ପ୍ରକାର ଖେଳନା ତିଆରି କରିପାରୁଛନ୍ତି। ଏହି ଟେରାକୋଟା ସାମଗ୍ରୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଏହାର ବିକ୍ରିର ଦାୟିତ୍ୱ ନେଇଛି ଓରମାସ୍। ଏହି ସବୁ ସାମଗ୍ରୀର ଚାହିଦା ରାଜ୍ୟର ପ୍ରତି ଜିଲ୍ଲା ସହ ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି।

ବର୍ତ୍ତମାନ ସେହି ଅଞ୍ଚଳର ୭ଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୦୫ ପରିବାରକୁ ନେଇ ଏହି ଟେରାକୋଟା ଶିଳ୍ପ ଆଗେଇ ଚାଲିଛି। ଯାହାଦ୍ୱାରା ପ୍ରତି ପରିବାର ମାସକୁ ପାଖାପାଖି ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ବୋଲୁ ସୂଚନା ମିଳିଛି।

ଟେରାକୋଟା ହସ୍ତଶିଳ୍ପକୁ ଆହୁରି ପ୍ରୋତ୍ସାହନ ଦେବା ଗୋଷ୍ଠୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଟି ସଫା ପାଇଁ ମେସିନ ଆଦି ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ହେବାକୁ ଥିବା ନବରଙ୍ଗପୁର ଲୋକମହୋତ୍ସବରେ ଏସବୁକୁ ବିକ୍ରି କରିବା ପାଇଁ ଶିଳ୍ପୀମାନେ ଲାଗିପଡ଼ିଛନ୍ତି।

Comment