ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଚାରିପାଖରେ ଜବରଦଖଲ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଜନଅସନ୍ତୋଷ ସୃଷ୍ଟି ହୋଇଛି। ଥଇଥାନ ନ କରି ଏବଂ ପୂର୍ବରୁ ସୂଚନା ନ ଦେଇ ଏଭଳି ଉଚ୍ଛେଦ କରାଯାଇଥିବାରୁ ବ୍ୟବସାୟୀମାନେ ଆଶଙ୍କାରେ ଅଛନ୍ତି। ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ଯେଭଳି ଉଚ୍ଛେଦ ନୀତି ଆପଣେଇଛନ୍ତି, ସେହିଭଳି ଲିଙ୍ଗରାଜ କ୍ଷେତ୍ରରେ ଥଇଥାନ ନୀତି ଆପଣେଇବାକୁ ଦୋକାନୀମାନେ ଦାବି କରିଛନ୍ତି।

ସୋମବାର ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ସିଂହଦ୍ୱାରରୁ ଉଚ୍ଛେଦ ଆରମ୍ଭ ହୋଇ ଭଜନ ମଣ୍ଡପ ପାଖରେ ଅଟକିଥିଲା। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ସ୍ଥାନୀୟ ବାସିନ୍ଦା, ଉଠା ଦୋକାନୀ ପ୍ରମୁଖ ସାମିଲ ହୋଇ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ। ସେମାନେ ଦାବି କରିଛନ୍ତି ଯେ, ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ।

ଏକାଦଶ ଶତାବ୍ଦୀରେ ନିର୍ମିତ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ଓଡ଼ିଶା ସରକାର ୭୦୦ କୋଟି ଟଙ୍କାର ଏକ ପ୍ୟାକେଜ ପ୍ରସ୍ତୁତ କରିଛନ୍ତି। ପ୍ରସ୍ତାବ ଅନୁସାରେ, ଲିଙ୍ଗରାଜ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଥିବା ସବୁ ଷ୍ଟ୍ରକଚରକୁ ହଟାଇ ଦିଆଯିବ ଯାହା ଫଳରେ କି ଶ୍ରଦ୍ଧାଳୁମାନେ ବିନା ଅସୁବିଧାରେ ଚଳ ପ୍ରଚଳ କରିପାରିବେ। ଲିଙ୍ଗରାଜ ମନ୍ଦିର ଥାନା ଓ ଟେମ୍ପୁଲ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥିର କରିଛନ୍ତି ସରକାର। ମନ୍ଦିର ସାମ୍ନାରେ ଥିବା ସ୍ଥାନକୁ ଯାତ୍ରୀମାନଙ୍କ ଯିବା ଆସିବା ପାଇଁ ବ୍ୟବହୃତ ହେବ।

Comment