ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆରମ୍ଭ ହେଲା ନବରଙ୍ଗପୁର ମଣ୍ଡେଇ ଲୋକ ମହୋତ୍ସବ
  • ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ସାରା ସହର
  • ଯୋଗଦେଲେ ମନ୍ତ୍ରୀ ଓ ଜିଲ୍ଲାର ଅନେକ ବିଧାୟକ
  • ମହୋତ୍ସବକୁ ନେଇ ଲୋକଙ୍କ ଭିତରେ ଉତ୍ସାହ

ନବରଙ୍ଗପୁର ଜିଲ୍ଲାର ଗଣପର୍ବ ତଥା ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ଉଦଘାଟିତ ହୋଇଯାଇଛି। ଶୁକ୍ରବାରଠାରୁ ସ୍ଥାନୀୟ ନୂଆ ମଣ୍ଡେଇ ପଡ଼ିଆରେ ଏହି ଲୋକ ମହୋତ୍ସବ ଆରମ୍ଭ ହୋଇଛି।ଶୁକ୍ରବାର ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ନିକଟରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ବିରାଟ ପଟୁଆରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ସମୟରେ  ବାଜା, ବାଣ, ନାଚ, ଗୀତରେ ଚାରିଆଡ଼ ପ୍ରକମ୍ପିତ ହୋଇଉଠୁଥିଲା। ଶୋଭାଯାତ୍ରା ଏହାପରେ ମଣ୍ଡେଇ ପଡ଼ିଆ ନିକଟରେ ଯାଇ ପହଞ୍ଚିଥିଲା।ଶୋଭାଯାତ୍ରାରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭଗବତୀ ଭତରା,ନବରଙ୍ଗପୁର ଏସପି ନିତିନ କୁଶଲକର ଓ ବିଜେଡି ଉପଦେଷ୍ଟା ମୁନା ଖାଁ ପ୍ରମୁଖ ଯୋଗ ଦେଇଥିଲେ।ସମସ୍ତ ଅତିଥି ଶୋଭାଯାତ୍ରାରେ ବୁଲିବା ପରେ ଶେଷରେ ମଣ୍ଡେଇ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ଅତିଥିମାନେ ପାରମ୍ପରିକ ରୀତିନୀତି ଅନୁସାରେ ମଣ୍ଡେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ମହୋତ୍ସବ ଉଦଘାଟନ ହେବା ପରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବାର୍ତ୍ତାକୁ ଲୋକଙ୍କ ଉଦ୍ଦେଶ୍ୟରେ ପାଠ କରିଥିଲେ।

ଏଥର ମଣ୍ଡେଇ ମହୋତ୍ସବକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଥିବା ଦେଖିବାକୁ ମିଳିଛି। ତେଣୁ ଜନସମାଗମ ଏଥର ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

Comment