ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କୃଷି ଓ କୃଷକର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଲେ ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗୁ କରିଥିବା ୫-ଟି କାର୍ଯ୍ୟକ୍ରମକୁ ପ୍ରୟୋଗ କରି ରାଜ୍ୟରେ କୃଷି ଓ କୃଷକ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ। ଏ ସମ୍ପର୍କରେ ତଳୁ ଉପର ପର୍ଯ୍ୟନ୍ତ ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କୁ ସଚେତନ କରିବା ପାଇଁ ଗୁରୁବାର ଦିନ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହି ବିଭାଗୀୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, କୃଷି ହେଉଛି ଓଡ଼ିଶାର ପ୍ରଧାନ ବ୍ୟବସାୟ। ଏହା ଉପରେ କେବଳ କୃଷକ ବା ତା’ର ପରିବାର ନୁହେଁ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ନିର୍ଭରଶୀଳ। ତେଣୁ କୃଷି କ୍ଷେତ୍ରର ସ୍ଥାୟୀ ବିକାଶ ସହ କୃଷକର ବିକାଶ, ବିଶେଷକରି ସମାଜରେ କୃଷକର ସମ୍ମାନ ବୃଦ୍ଧି ବିଭାଗର ମୂଳ ଲକ୍ଷ୍ୟ ହେବା ଦରକାର। ତେଣୁ ସରକାରୀ ଫାଇଲ୍‌ ଚାଷ ଭିତରୁ ବାହାରି ବିଭାଗର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ କିଭଳି ଏହି ଲକ୍ଷ୍ୟ ସାଧନ କରାଯାଇପାରିବ ସେ ଦିଗରେ କାମ କରିବା ଦରକାର।

ଏହି ଅବସରରେ ବିଭାଗର ସଚିବ ଡକ୍ଟର ସୌରଭ ଗର୍ଗ ଉପସ୍ଥିତ ରହି ‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନରେ ୫-ଟିର ଗୁରୁତ୍ୱ ବିଷୟରେ କହିଥିଲେ। ରାଜ୍ୟରେ କୃଷି ଓ କୃଷକର ଆଖିଦୃଶିଆ ବିକାଶ ପାଇଁ ବିଭାଗର ପ୍ରତ୍ୟେକ କର୍ମଚାରୀଙ୍କ ଭୂମିକା ରହିଛି ବୋଲି ସେ ବର୍ଣ୍ଣନା କରିଥିଲେ। ବିଶେଷକରି କୃଷି କ୍ଷେତ୍ର ଏବଂ କୃଷକର ଉନ୍ନତି ପାଇଁ ସରକାର ଲାଗୁ କରୁଥିବା ବିଭିନ୍ନ ଯୋଜନା କିଭଳି ଭାବେ ସଫଳତାର ସହ କାର୍ଯ୍ୟକାରୀ ହେବ ସେ ଦିଗରେ ଯେପରି କୌଣସି ବାଧା ନ ରହେ ତାହା ବିଭାଗ କର୍ମଚାରୀମାନଙ୍କ ଉତ୍ତରଦାୟିତ୍ୱ ବୋଲି ସେ କହିଥିଲେ।

ଏହି ଅବସରରେ ବିଭାଗ ନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ଦିନିକିଆ କର୍ମଚାରୀ ସଚେତନତା କର୍ମଶାଳା ଅବସରରେ ବିଭାଗ ପକ୍ଷରୁ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏଥିରେ ବିଭାଗର ମୂଳ ଲକ୍ଷ୍ୟ, କାର୍ଯ୍ୟଧାରା, ୫-ଟି କାର୍ଯ୍ୟକ୍ରମ, ମୋ ସରକାର, କାହାର କ’ଣ ଦାୟିତ୍ୱ ସହିତ କୃଷି ଓ କୃଷକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ରହିଛି।

କୃଷକଙ୍କ ଆୟ ଉପରେ ଗୁରୁତ୍ୱ

ରାଜ୍ୟରେ କୃଷକମାନଙ୍କର ଆୟ କିପରି ବୃଦ୍ଧି ପାଇବ ସେ ସମ୍ପର୍କରେ ଏହି କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବିକାଶ ଯେପରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ତଥା ଭୂମିହୀନ ଚାଷୀ ପାଖରେ ପହଁଞ୍ଚିବ ସେ ଦିଗରେ ବିଭାଗର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଜୋର୍ ଦେଇଥିଲେ। ସେହିପରି ରାଜ୍ୟରେ କୃଷି କ୍ଷେତ୍ରର ସ୍ଥାୟୀ ବିକାଶ ସହ ଏହାକୁ କିପରି ସଫଳତାର ଉଚ୍ଚ ସ୍ତରକୁ ନିଆଯାଇପାରିବ ସେ ଦିଗରେ ମଧ୍ୟ କର୍ମଶାଳାରେ ଗୁରୁତ୍ୱ ପ୍ରକାଶ ପାଇଛି।

କୃଷି କ୍ଷେତ୍ର ଏବଂ କୃଷକର ବିକାଶ ପାଇଁ ବିଭାଗ ପକ୍ଷରୁ ଏକ ୧୦ସୂତ୍ରୀ ରଣକୌଶଳ ପ୍ରସ୍ତୁତ କରାଯାଇଛି। ତା’ ମଧ୍ୟରେ ରହିଛି (୧) ଇନ୍‌ପୁଟ୍‌, ପ୍ରଡକ୍ସନ୍ ଏବଂ ବଜାର ଭିତରେ ସମନ୍ୱୟ ସୃଷ୍ଟି କରି ଏକ କୃଷି ଅନୁକୂଳ ପରିବେଶ ସୃଷ୍ଟି କରିବା, (୨) ଧାନ ଉତ୍ପାଦନରେ ଆଖିଦୃଶିଆ ବୃଦ୍ଧି ସହ ବିଭିନ୍ନ ଅଧିକ ଆୟକାରୀ କୃଷି ଉପରେ ଗୁରୁତ୍ୱ ଦେବା, (୩) ଜମି ଓ ଜଳର ବ୍ୟବହାର ସହିତ ପରିବେଶ ଅନୁକୂଳ ଇନ୍‌ପୁଟ୍‌ ବ୍ୟବହାର କରି ଅମଳ ବୃଦ୍ଧି କରିବା, (୪) ଚାଷୀକୁ ଅମଳରୁ ଅଧିକ ଆୟ ପାଇଁ କ୍ଲିନିଙ୍ଗ୍‌ ଓ ଗ୍ରେଡିଙ୍ଗ୍ ଆଦି ଲାଗି ପ୍ରୋତ୍ସାହିତ କରିବା, (୫) ପରିବା, ପଶୁସମ୍ପଦ, ଦୁଗ୍ଧ ଏବଂ କୁକୁଡ଼ା ପାଳନ କ୍ଷେତ୍ରରେ ମୂଲ୍ୟଯୁକ୍ତ ବଜାର ସୃଷ୍ଟି କରିବା, (୬) ଫାର୍ମର ପ୍ରଡ୍ୟୁସର୍‌ ଅର୍ଗାନାଇଜେସନ୍‌ସ (ଏଫପିଓ) ମାଧ୍ୟମରେ ଚାଷୀ ସମନ୍ୱୟ ଉପରେ ଜୋର୍‌ ଦେବା, (୭) ପ୍ରାକ୍‌ ଅମଳ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ଉପରେ ଧ୍ୟାନ ଦେଇ କ୍ଷତି ପରିମାଣ କମାଇବା, (୮) ପାଣିପାଗ ପରିବର୍ତ୍ତନର ମୁକାବିଲା ଲାଗି କୌଶଳ, ବୈଷୟିକ ଏବଂ ପରିଚାଳନାଗତ ଦକ୍ଷତା ଉପରେ ଧ୍ୟାନ ଦେବା, (୯) ଯୋଜନା ଏବଂ ଅନୁଧ୍ୟାନ ବେଳେ ସୂଚନା ତଥା ବୈଷୟିକ କ୍ଷେତ୍ର ଉପରେ ଗୁରୁତ୍ୱ ଦେବା ତଥା (୧୦) କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ନେବା।

ବିଭାଗର କେତୋଟି ଲକ୍ଷ୍ୟ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହି ଅବସରରେ କେତୋଟି ଲକ୍ଷ୍ୟ ଉପସ୍ଥାପନ କରିଛି। ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯିବା ସହ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଏଥିରେ ଯୋଗଦାନ ଦେବାକୁ ପରାମର୍ଶ ଦିଆଯାଇଛି।

ବିଭାଗର ପ୍ରଥମ ଲକ୍ଷ୍ୟ ମଧ୍ୟରେ ରହିଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ୭୮ ହଜାର ଚାଷୀଙ୍କର ଆୟକୁ ଦୁଇ ଗୁଣ କରିବା, ମୂଳ କୃଷିକ୍ଷେତ୍ର ସହ ପଶୁସମ୍ପଦ ଏବଂ ମତ୍ସ୍ୟଚାଷ ମାଧ୍ୟମରେ ଏହି ଲକ୍ଷ୍ୟ ପୂରଣ କରିବାକୁ ବିଭାଗ ଯୋଜନା କରିଛି।

ରାଜ୍ୟର ଯେଉଁ ଜିଲ୍ଲା ବା ବ୍ଲକ୍‌ ଅଞ୍ଚଳରେ କୃଷି ଉତ୍ପାଦନ ‘ରାଜ୍ୟର ହାରାହାରି କୃଷି ଉତ୍ପାଦନ’ଠାରୁ କମ୍‌ ରହିଛି ତା’ ଉପରେ ବିଭାଗ ବିଶେଷ ଧ୍ୟାନ ଦେବାକୁ ଯାଉଛି। ସେହିସବୁ ଅଞ୍ଚଳରେ କିଭଳି କୃଷି ଉତ୍ପାଦନ ବଢ଼ାଯାଇପାରିବ ସେଥିପାଇଁ ଆକ୍‌ସନ ପ୍ଲାନ୍ ତିଆରି କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୨୦୨୧ ସୁଦ୍ଧା ରାଜ୍ୟରେ ଅଧିକ ଆୟ ବର୍ଗର ଚାଷ ଲାଗି ୫୮୮୫ ହେକ୍ଟର, ହାଇବ୍ରିଡ୍‌ ପନିପରିବା ଚାଷ ଲାଗି ୪୬୦୦ ହେକ୍ଟର, ଡାଲି ଜାତୀୟ ଚାଷ ପାଇଁ ୧୬୨୦୦ ହେକ୍ଟର ଏବଂ ତୈଳ ଜାତୀୟ ଶସ୍ୟ ପାଇଁ ୫୬୭୦ ହେକ୍ଟର ଜମିର ଲକ୍ଷ୍ୟ ରଖାଯାଇଛି।

ସେହିପରି ବିଭାଗ ଦ୍ୱାରା ପରିଚାଳିତ କାଳିଆ, ନ୍ୟାସନାଲ୍‌ ଫୁଡ୍‌ ସିକ୍ୟୁରିଟି ମିଶନ୍‌, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି କ୍ଷେତ୍ରରେ ଥିବା ହିତାଧିକାରୀମାନଙ୍କ ସମ୍ପର୍କରେ ସୂଚନାକୁ ନେଇ ‘ଏକକ ଚାଷୀ ସୂଚନା’ (ୟୁନିଫାଇଟ୍‌ ଫାର୍ମର ଡାଟାବେସ୍‌) ପ୍ରସ୍ତୁତି ଲାଗି ବିଭାଗ ଜୋର୍ ଦେଉଛି। ଏହି କାର୍ଯ୍ୟ ୨୦୨୦ ଏପ୍ରିଲ୍ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

କୃଷି ଓ କୃଷକ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ଲୋକପ୍ରିୟ କରିବା ପାଇଁ ବିଭାଗ ସୋସିଆଲ୍‌ ମିଡିଆ ଉପରେ ଗୁରୁତ୍ୱ ଦେଉଛି। ବିଭାଗ ପକ୍ଷରୁ ସଫଳ ସୋସିଆଲ୍ ମିଡିଆ ପରିଚାଳନା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଫେସ୍‌ବୁକ୍, ୟୁଟ୍ୟୁବ୍‌ ଏବଂ ଟୁଇଟର୍‌ ଭଳି ଲୋକପ୍ରିୟ ସୋସିଆଲ୍‌ ଚ୍ୟାନେଲ୍‌ ମାଧ୍ୟମରେ ବିଭାଗ ଦୈନନ୍ଦିନ ସୂଚନା ପ୍ରସାରଣ କରିବା ସହ ଏହି ମିଡିଆ ମାଧ୍ୟମରେ କୃଷକ ତଥା ରାଜ୍ୟର ସାଧାରଣ ଜନତାଙ୍କଠାରୁ ମତାମତ ସଂଗ୍ରହ କରିବ।

ମୋ ସରକାର ଅଧିନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶିକ୍ଷା ଓ ଗବେଷଣା ଲାଗି ମଧ୍ୟ ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ ଚାରିଟି ବିଷୟରେ ସ୍କୁଲ୍‌ ଅଫ୍ ଏକ୍ସପର୍ଟିଜ୍‌ ଖୋଲିବା ଲାଗି ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗାମୀ ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ଗୁରୁବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ବିଭାଗର କର୍ମଚାରୀ ସଚେତନତା କର୍ମଶାଳା ଅବସରରେ ପ୍ରକାଶିତ ପୁସ୍ତିକାରେ ଦର୍ଶାଯାଇଛି।

Comment