ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲ ପିଲାଙ୍କୁ ବାଇକ୍‌ ଚଢ଼ିବା ମନା। ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ବା ୧୮ ବର୍ଷରୁ କମ୍‌ ପିଲାମାନେ ଗାଡ଼ି ଚଲାଇପାରିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଳାଇବା ବେଳେ ଧରାପଡ଼ନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଗାଡ଼ିମାଲିକଙ୍କୁ ତଣ୍ଡ ଗଣିବାକୁ ପଡ଼ିବ।

ଯଦି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ବାଇକ୍‌ ଆଣି ଆସୁଥିବେ ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ବାରଣ କରିବେ। ଏହି ନିୟମ ସରକାରୀ ବିଦ୍ୟାଳୟ ସହ ଘରୋଇ ବିଦ୍ୟାଳୟଗୁଡ଼ିକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିନା ଲାଇସେନ୍ସରେ ବାଇକ୍‌ ସ୍କୁଟି ଚଳାଉଥିବା ନଜର ଆସିଛି। କିଛିଟା ସ୍ଥାନରେ ସ୍କୁଲ ପିଲା ବି ବାଇକ୍‌ ନେଇ ସ୍କୁଲ ଯାତାୟାତ କରିଥା’ନ୍ତି। ୧୮ ବର୍ଷରୁ କମ୍‌ ବୟସ ପିଲାମାନେ ମୋଟର ସାଇକେଲ ଆଣି ବିଦ୍ୟାଳୟକୁ ଯେପରି ନ ଆସନ୍ତି ସେନେଇ ସ୍କୁଲ ଅଧ୍ୟକ୍ଷମାନେ ନଜର ରଖିବେ।

ସ୍ୱତନ୍ତ୍ର ସ୍କ୍ଵାର୍ଡ ପକ୍ଷରୁ ସ୍କୁଲ ବସ୍‌ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ କରାଯିବ। ରାଜ୍ୟରେ ୧୪୬ ସ୍କୁଲ ବସ୍‌ରେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନାହିଁ। କମିଟିର ନିଷ୍ପତ୍ତି ଅନୁଯାୟୀ, ଉକ୍ତ ବସ୍‌ଗୁଡ଼ିକର ପଞ୍ଜିକରଣ ପ୍ରମାଣପତ୍ର ବାତିଲ କରିବାକୁ ଆରଟିଓମାନଙ୍କୁ କୁହାଯାଇଛି।

ଅନ୍ୟପଟେ ଯଦି କୌଣସି ସ୍କୁଲ ବସ୍‌ କିମ୍ବା ଅଟୋ ଧାର୍ଯ୍ୟଠାରୁ ଅଧିକ ଛାତ୍ରଛାତ୍ରୀ ନେଉଥିବା ବେଳେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment