ଓଡ଼ିଶାଲାଇଭ୍ ବ୍ୟୁରୋ

ପାଣିପାଗ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ବିଶେଷ ଭାବେ କୃଷକ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପଡ଼ୁଛି। ଚଳିତବର୍ଷ ଯେଉଁଭଳି ଭାବେ ଦେଶରେ ପିଆଜ ସଙ୍କଟ ଦେଖାଗଲା ତାହା କେବଳ ପାଣିପାଗ ପରିବର୍ତ୍ତନ ଯୋଗୁଁ ଘଟିଥିଲା। କାରଣ ପିଆଜ ଉତ୍ପାଦନ ହେଉଥିବା ସ୍ଥାନଗୁଡ଼ିକରେ ଅଧିକ ବର୍ଷା ହେବା ଫଳରେ ଚାଷ ଠିକ୍ ଭାବେ ହୋଇପାରିଲା ନାହିଁ। ଖାଦ୍ୟ ଉତ୍ପାଦନ ଏବଂ ଶାରୀରିକ ଅସୁସ୍ଥତା ପାଣିପାଗ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଘଟୁଥିବା ବିଶେଷଜ୍ଞମାନେ ମତ ଦେଇଥିଲେ।

ଶିକ୍ଷା ଓ ଅନୁସନ୍ଧାନ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚଠାରେ ଆୟୋଜିତ ସର୍ବଭାରତୀୟ ବିଜ୍ଞାନ ଶିକ୍ଷକ ସଂଘର ୫୦ ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ପାଣିପାଗ ପରିବର୍ତ୍ତନ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ସମ୍ମିଳନୀର ପ୍ରସଙ୍ଗ ରହିଥିଲା ‘ପାଣିପାଗ ପରିବର୍ତ୍ତନ, ଆମର ଭୂମିକା’।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମିଟି ହ୍ୟୁମାନିଟି ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ଚକ୍ରଧର ଶତପଥୀ କହିଥିଲେ ଯେ, ପାଣିପାଗ ପରିବର୍ତ୍ତନ ଯୋଗୁଁ ସକାରାତ୍ମକ ପ୍ରଭାବ ଅପେକ୍ଷା ନକାରାତ୍ମକ ପ୍ରଭାବ ଅଧିକ ପଡ଼ୁଛି। ଫଳରେ ଅଧିକ ରୋଗ ବଢ଼ୁଛି। ଫସଲହାନୀ ମଧ୍ୟ ଅଧିକ ଘଟୁଛି। ତେବେ ଏଦିଗରେ ବିଜ୍ଞାନ ଶିକ୍ଷକମାନେ ଯତ୍ନବାନ ହେବା ଉଚିତ୍ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦରଭଙ୍ଗା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ପାଟନା ବିଶ୍ୱବିଦ୍ୟାଳୟର ପ୍ରଫେସର ରମଣୀ ପ୍ରସାଦ ସିହ୍ନା କହିଥିଲେ ଯେ, ପାଣିପାଗ ପରିବର୍ତ୍ତନ ଯୋଗୁଁ କେତେବେଳେ ଅଧିକ ବର୍ଷା ହେଉଛି ତ କେତେବେଳେ ବର୍ଷା ଜମାରୁ ହେଉ ନାହିଁ। ଉଭୟ କ୍ଷେତ୍ରରେ ଖାଦ୍ୟ ଉତ୍ପାଦନ କମୁଛି। ଚଳିତବର୍ଷ ପିଆଜ ଉତ୍ପାଦନ ସ୍ଥାନମାନଙ୍କରେ ଅତ୍ୟଧିକ ବର୍ଷା ଯୋଗୁଁ ପିଆଜ ସଂକଟ ଦେଖାଦେଲା। ଏହାହିଁ ପାଣିପାଗ ପରିବର୍ତ୍ତନର ଘୋର ପ୍ରଭାବ ବୋଲି ସେ କହିଥିଲେ।

ସୋଆ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟର ଡିନ୍ ପ୍ରଫେସର ପି.କେ. ନନ୍ଦ ଯୋଗ ଦେଇ ପାଣିପାଗ ପରିବର୍ତ୍ତନକୁ ବିଶ୍ୱର ଏକ ବଡ଼ ସମସ୍ୟା ବୋଲି ଅଭିହିତ କରିବା ସହ ଓଡ଼ିଶାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

Comment