ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ଖୋଲିଲା ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି। ଗୁରୁବାର ଜିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିଣ ବଜାର କମିଟ ପ୍ରାଙ୍ଗଣରେ ଏହାକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ।

ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡିକୁ ଉଦଘାଟନ କରିଛନ୍ତି। ଉଦଘାଟନ ହେବାର ପ୍ରଥମ ଦିନରେ ଏଠାରେ ଚାଷୀମାନଙ୍କଠାରୁ ୩୦ କୁଇଣ୍ଟାଲ୍ ମାଣ୍ଡିଆ କିଣାଯାଇଛି। ଏହାସହ ଜିଲ୍ଲାର ୧୦ ବ୍ଲକର ଚାଷୀମାନଙ୍କ ପାଖରୁ ମୋଟ ୪୪୧୮ କୁଇଣ୍ଟାଲ୍ ମାଣ୍ଡିଆ କିଣାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ ବ୍ରଜ କିଶୋର ଲେଙ୍କା ସୂଚନା ଦେଇଛନ୍ତି।ଗୁରୁବାର ଚାଷୀମାନେ ନିଜର ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିଥିଲେ। ଚାଷୀମାନଙ୍କୁ ସେମାନଙ୍କର ମାଣ୍ଡିଆ କୁଇଣ୍ଟାଲ ପ୍ରତି ୩୧୫୦ ଲେଖାଁଏ ଟଙ୍କା ଦିଆଯାଇଥିଲା। ମାଣ୍ଡିଆ ମଣ୍ଡିରେ ବିକ୍ରୟ କରିବା ପାଇଁ ଚାଷୀମାନଙ୍କୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ଦିଆଯାଇଥିଲା। ତେବେ ଏହାକୁ ଘୁଞ୍ଚାଯାଇ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ଏହି ଦିନ ଭିତରେ ଚାଷୀମାନେ ନିଜର ନାଁ’କୁ ରେଜିଷ୍ଟ୍ରେସନ୍ କରିବା ସହ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ମଣ୍ଡିରେ ମାଣ୍ଡିଆ ବିକ୍ରି କରିପାରିବେ ବୋଲି ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି।

ଗୁରୁବାର ମାଣ୍ଡିଆ ମଣ୍ଡିକୁ ଉଦଘାଟନ ହେବା କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅବକାଶ ବେହେରା, ଜିଲ୍ଲା କୃଷି ଅଧିକାରୀ ବ୍ରିଜ କିଶୋର ଲେଙ୍କା, ଆଇନଜୀବି ଝାଡ଼େଶ୍ୱର ଖାଡ଼େଙ୍ଗା, ଆନନ୍ଦ ରାଓ, ଆରଏମ୍ଏସି କର୍ମଚାରୀ ବାବୁନି ପାଳ, ଅଶୋକ ନନ୍ଦ, ଗୋବିନ୍ଦ ରାଓ, ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment