ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାଦାଭାଇ ଗ୍ରୁପ୍‌ର ଟପ୍‌ ମିଡିଲ୍‌ ଇଷ୍ଟ କର୍ପୋରେଟ ଓ୍ଵାର୍ଲ୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ସମାଜସେବୀ ଅରୁଣ କୁମାର ପ୍ରହରାଜଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। କୋଲକତାସ୍ଥିତ ହିନ୍ଦୁସ୍ତାନ ଆର୍ଟ ଆଣ୍ଡ ମ୍ୟୁଜିକ ସୋସାଇଟି(ଏଚ୍‌ଏଏମ୍‌ଏସ୍‌) ତରଫରୁ ତାଙ୍କୁ ଏହି ଉପାଧି ମିଳିଛି। ୨୦୧୯ ଡିସେମ୍ଵର ୩୧ ତାରିଖରେ କୋଲକତାର ମାଡ୍‌ଡକ୍ସ ପାର୍କରେ ଆୟୋଜିତ ଭାରତ ସଂସ୍କୃତି ଉତ୍ସବରେ ତାଙ୍କୁ ଏହି ଉପାଧିରେ ସମ୍ମାନିତ କରାଯାଇଥିଲା।

ଅରୁଣ କୁମାର ପ୍ରହରାଜ ପେଶାରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ସେ ‘ଆଶାର କିରଣ’, ‘ସଂସ୍କୃତି ବାହରିନ’ ଓ ‘ବାହାରିନ ଓଡ଼ିଆ ସମାଜ’ ଭଳି କେତେକ ସାମାଜିକ ସଂଗଠନର ପ୍ରତିଷ୍ଠାତା ମଧ୍ୟ ରହିଛନ୍ତି। ବିଦେଶରେ ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ଅରୁଣ କୁମାର ପ୍ରହରାଜଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏଚ୍‌ଏଏମ୍‌ଏସ୍‌ ଲଗାତର ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରିଆସୁଛି। ଏଚ୍‌ଏଏମ୍‌ଏସ୍‌ର ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

ଏହି ଉପାଧି ପାଇବା ପରେ ଅରୁଣ କୁମାର ପ୍ରହରାଜ ଖୁସି ବ୍ୟକ୍ତ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବିନା ଏହି ସଫଳତା ଅସମ୍ଭ ବୋଲି କହିଛନ୍ତି।

“ମାନବସେବା ସର୍ବଦା ମୋର ଜାରି ରହିବ। ମୋ କ୍ଷମତା ଅନୁସାରେ ବିଦେଶରେ ଭାରତ ଓ ଓଡ଼ିଶା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୁଁ ଯଥାସମ୍ଭବ ପ୍ରୟାସ କରିବି। ଆଜି ଯେଉଁ ସଫଳତା ମୁଁ ପାଇଛି ତାହା ଏହି ସମାଜ ପାଇଁ ସମ୍ଭବ ହୋଇଛି। ଏବେ ସେହି ସମାଜ ପାଇଁ କିଛି କରିବାର ସମୟ ଆସିଛି“ କହିଛନ୍ତି ଅରୁଣ କୁମାର ପ୍ରହରାଜ।

Comment