ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର: ଭିଜିଲାନ୍ସ ହାତରେ ନବରଙ୍ଗପୁର ଲାମ୍ପ୍‌ସ ଏମ୍‌ଡି ବାନାମ୍ବର ପଟ୍ଟନାୟକ। ଧାନ ମଣ୍ଡିରେ ଚାଷୀ ମତିରାମ ଭତରାଙ୍କୁ ଟୋକନ ଦେବା ପାଇଁ ବାନାମ୍ବର ଜଣେ ଚାଷୀଙ୍କୁ ୨ ଟଙ୍କା ମାଗିଥିଲେ। ହେଲେ ଚାଷୀ ଜଣକ ଶୁକ୍ରବାର ଦିନ ତାଙ୍କୁ ୧ ହଜାର ଟଙ୍କା ଦେଇଥିଲେ। ଏତିକିରେ ହବନି କହି ଆଉ ୫୦୦ ଟଙ୍କା ଦାବି କରିଥିଲେ ଏମ୍‌ଡି ବାନାମ୍ବର। ଏନେଇ ଚାଷୀ ମତିରାମ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଲାଞ୍ଚ ନେବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ବାନାମ୍ବର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ତାଙ୍କଠାରୁ ନଗଦ ୧୬ ଶହ ଟଙ୍କା, ଗୋଟିଏ ମୋବାଇଲ ଫୋନ୍‌ ଏବଂ ଏଟିଏମ୍‌ କାର୍ଡ ଜବତ କରିଛି ଭିଜିଲାନ୍ସ। ଏହାସହ ଲାମ୍ପ୍‌ସ କାର୍ଯ୍ୟାଳୟ ଓ ନବରଙ୍ଗପୁର ଦାରୁବନ୍ଧ ସହିରେ ରହୁଥିବା ଭଡାଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ନବରଙ୍ଗପୁର ବ୍ଲକ ଦିଗାଗୁଡା ଗାଁର ଚାଷୀ ମତିରାମ ଭତରାଙ୍କ ମୋବାଇଲ ନମ୍ବରକୁ ୧୮ ତାରିଖ ଦିନ ମେସେଜ ଆସିଲା। ଏଥିରେ ଉଲ୍ଲେଖ ଥିଲାଯେ, ୯୯ କୁଇଣ୍ଟାଲ ୩୨ କିଲୋ ଧାନ ମଣ୍ଡିରେ ଦେଇ ପାରିବେ। ତେବେ ଧାନ ମଳା ହୋଇନଥିବାରୁ ମତିରାମ ୩ ତାରିଖ ଶୁକ୍ରବାର ସାନମସିଗାଁ ଧାନ ମଣ୍ଡିକୁ ୨ଶହ ପ୍ୟକେଟ ଧାନ ଆଣି ଥାକ ମାରିଥିଲେ। ପରେ ଏମ୍‌ଡି ପଟ୍ଟନାୟକଙ୍କୁ ଟୋକନ ପାଇଁ ଯୋଗାଯୋଗ କରିଥିଲେ। ମେସେଜ ଆସିବା ପରେ ସେ ମଣ୍ଡିକୁ ଧାନ ଆଣି ପାରିନଥିଲେ।

ଏନେଇ ସେ ଟୋକନ ବ୍ୟବସ୍ଥା ପାଇଁ କହିଥିଲେ। ହେଲେ ଏମ୍‌ଡି ୨ ହଜାର ଟଙ୍କା ଦେବାକୁ କହିଥିଲେ। ପରେ ୧୫ ଶହ ଟଙ୍କା ଦେବାକୁ କହିଲେ। ହେଲେ ମତିରାମ ଏତେ ଟଙ୍କା ଦେଇ ପାରିବେନି କହିଥିଲେ। କିନ୍ତୁ ଏମ୍‌ଡି ବାନାମ୍ବର କିଛି ଶୁଣି ନଥିଲେ। ଶେଷରେ ମତିରାମ ୧ ହଜାରଟଙ୍କା ନେବାକୁ ଅନୁରୋଧ କଲେ। ତଥାପି ଏମ୍‌ଡି ରାଜି ହୋଇ ନଥିଲେ। ଏନେଇ ଶୁକ୍ରବାର ଅପରାହ୍‌ଣ ୪ଟାରେ ମତିରାମ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଆସି ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଭିଜିଲାନ୍ସ କର୍ମଚାରୀ ଲାମ୍ପ୍‌ସ କାର୍ଯ୍ୟାଳୟରେ ଛକି ରହିଥିଲେ। ମତିରାମ ଏମ୍‌ଡିଙ୍କୁ ସନ୍ଧ୍ୟା ସାଢେ ୭ଟା ବେଳକୁ ୧୫ ଶହ ଟଙ୍କା ଦେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ।

ଏହି ଚଢ଼ାଉରେ ଜୟପୁର ଭିଜିଲାନ୍ସ ଡିଏସ୍‌ପି ଏସ ଏନ ପାଣିଗ୍ରାହୀ, ରାୟଗଡା ଇନସ୍‌ପେକ୍ଟର ପ୍ରମିଳା ସୁନା, ସନ୍ତୋଷ ପାଣିଗ୍ରାହୀ, ବିଶ୍ୱଜିତ ପଣ୍ଡା, ନବରଙ୍ଗପୁର ଭିଜିଲାନ୍ସ ଇନସ୍‌ପେକ୍ଟର ଦୀନବନ୍ଧୁ ବେହେରା, ଜି ସୂର୍ଯ୍ୟ ନାରାୟଣ, ଅଜିତ ପାଢୀ ପ୍ରମୁଖ ସାମିଲ ହୋଇଥିଲେ।

Comment