ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ପାପଡ଼ା‌ହାଣ୍ଡି ବ୍ଲକ୍ ନିକଟସ୍ଥ ତୁମ୍ଵର୍ଲା ଗାଁରେ ଟ୍ରାକ୍ଟର ସାଇଲେନ୍ସରରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି।

ତୁମ୍ବର୍ଲା ଗ୍ରାମର ଶେଷାନନ୍ଦ ସାହୁ (୫୦) ୬ ଏକର ଜମିରେ ଧାନ ଚାଷ କରି ନିଜ ଖଳାରେ ଗଦା କରି ରଖିଥିଲେ। ଶୁକ୍ରବାର ଶୁଖିଲା ପାଗ ଦେଖି ଶେଷାନନ୍ଦ ଖଳାରେ ଥିବା ଧାନ ଗଦାରୁ ଧାନ ମିଲିଂ କରିବାକୁ ଏକ ଧାନ ମିଲିଂ ଟ୍ରାକ୍ଟର ଆଣିଥିଲେ।ଟ୍ରାକ୍ଟରରେ ଧାନ ମିଲିଂ କରୁଥିଵା ସମୟରେ ହଠାତ୍ ଟ୍ରାକ୍ଟରର ସାଇଲେନ୍ସରରୁ ଧୂଆଁ ବାହାରିଥିଲା। ପରେ ଏଥିରେ ନିଆଁ ଲାଗିଯିବା ସହ ପାଖରେ ଥିବା ଧାନ ମଧ୍ୟ ଜଳିଯାଇଥିଲା। ନିଆଁର ପ୍ରକୋପ ଅଧିକ ଥିବାରୁ ଗାଁ ଲୋକେ ତାହାକୁ ଆୟତ୍ତ କରିପାରିନଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଜଳି ଯାଇଥିବା ଧାନର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି। ଉକ୍ତ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ିଯାଇଥିବା ବେଳେ ଡ୍ରାଇଭର ଓ ସେଠାରେ କାମ କରୁଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Comment