ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ଏବେ ଧାନ ଅମଳ ସମୟ ପାଖେଇ ଆସୁଥିବା ବେଳେ ବର୍ଷା ଦାଉ ସାଧିଛି। ଚାଷୀକୁଳ ଅମଳ ପାଇଁ ସଜବାଜ ହେଉଛନ୍ତି, କିନ୍ତୁ ବର୍ଷା ଯୋଗୁଁ କ୍ଷେତରେ ପାଚିଲା ଧାନ ପଡ଼ିରହିଛି। ଏପରିକି ଧାନ ପାଚି ଜମିରେ ଝଡ଼ିବାକୁ ଲାଗିଲାଣି। ଆଗକୁ ପୁଣି ଲଘୁଚାପଜନିତ ବର୍ଷା ରହିଛି। ତେଣୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀକୁଳ।

ଧାନ କେମିତି ଘରକୁ ଆସିବ ସେନେଇ ଅଞ୍ଚଳର ଚାଷୀକୁଳ ଏବେ ଅଡୁଆରେ ପଡିଛନ୍ତି। କିଛି ଜମିରେ ବର୍ଷା ପାଇଁ ପାଚିଲା ଧାନ ଧରାଶାୟୀ ହୋଇ ନଷ୍ଟ ହେବାର ଦେଖାଦେଇଛି। ତେଣୁ ସରକାର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କ କ୍ଷତିଭରଣା କରିବାକୁ ତେନ୍ତୁଳିଖୁଣ୍ଟି ଅଞ୍ଚଳବାସୀ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଚଳିତ ବର୍ଷ ୬୪୬୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି।  ସେହିପରି ୪୧୩୦ ହେକ୍ଟର ଜମିରେ ମକା ଚାଷ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଲେଡା ପୋକ, ମାଟିଆ ଗୁଣ୍ଡି, ନେକ ବ୍ଲାଷ୍ଟ ଭଳି ବିଭିନ୍ନ ରୋଗ ପୋକ ଯୋଗୁଁ ୬୭ ହେକ୍ଟର ଜମିରେ ଫସଲ ହାନି ହୋଇଥିବା ଜଣାପଡିଛି। ଅପର ପକ୍ଷରେ ବର୍ଷା କାରଣରୁ ସମଗ୍ର ବ୍ଲକରେ ୨୨ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା କୃଷି ବିଭାଗ ପକ୍ଷରୁ ଦର୍ଶାଯାଇଥିବା ବେଳେ ବାସ୍ତବରେ ଅଧିକ ପରିମାଣରେ ଫସଲ ନଷ୍ଟ ହୋଇଥିବା ଚାଷୀକୁଳ ଅଭିଯୋଗ କରିଛନ୍ତି।

ଅନୁକୂଳ ପାଗ ଯୋଗୁଁ ଚଳିତ ବର୍ଷ ଚାଷ ହୋଇଥିଲା। କିନ୍ତୁ ରୋଗପୋକ ସାଙ୍ଗକୁ ବର୍ଷା ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଧାନ କେମିତି ଅମଳ ହେବ ସେନେଇ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି। ବ୍ଲକର ୧୫ଟି ପଞ୍ଚାୟତର ୭୦ ପ୍ରତିଶତ ଅଧିବାସୀ ଚାଷ କାର୍ଯ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବେଳେ ଫସଲ ହାନି ଯୋଗୁଁ ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି। ଏହି ପରିପ୍ରେକ୍ଷୀରେ ଋଣ କରି ଚାଷ କରୁଥିବା ଚାଷୀ ଋଣ କିପରି ପରିଶୋଧ କରିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି।

ତେନ୍ତୁଳିଖୁଣ୍ଟି ବ୍ଲକରେ ଚଳିତ ବର୍ଷ ବିଭିନ୍ନ କାରଣରୁ ୩୦ ପ୍ରତିଶତରୁ କମ ଫସଲ ହାନି ହୋଇଥିବା କୃଷି ବିଭାଗ ପକ୍ଷରୁ ଦର୍ଶାଯାଇଛି। ହେଲେ ଲଘୁଚାପ ଜନିତ ବର୍ଷା ଯଦି କିଛିଦିନ ଲାଗିରହେ ତେବେ ବ୍ଲକରେ ଅଧିକ ପରିମାଣରେ ଫସଲ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଚାଷୀ ମହଲରେ ଆଲୋଚନା ଧରିଛି।

ତେନ୍ତୁଳିଖୁଣ୍ଟି ଗ୍ରାମର କେ କ୍ରୀଷ୍ଣା ରାଓ ଆଡଭାନ୍ତା ଧାନ ଚାଷ କରିଥିବା ବେଳେ ନେକ ବ୍ଲାଷ୍ଟ ତଥା ବର୍ଷାଜଳ ଯୋଗୁଁ ତାଙ୍କର ୩୦ ପ୍ରତିଶତ ଜମିରେ ଫସଲ ହୋଇଛି। ସେହିପରି ପୂଜାରୀ ଗୁଡା ଗ୍ରାମର ଅନନ୍ତ ପୂଜାରୀଙ୍କ ଜମିରେ ରୋଗପୋକ ସମେତ ବର୍ଷା ଜଳ ଯୋଗୁଁ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ ହୋଇଛି। ଏହିପରି ଭାବେ ବ୍ଲକର ଶହ ଶହ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ତେଣୁ କୃଷି ବିଭାଗ କ୍ଷୟକ୍ଷତି ଆଖଳନ କରି କ୍ଷତିପୂରଣ କରିବାକୁ ସମାଜସେବୀ ଅଖିଳ ଭତରାଙ୍କ ସମେତ ବରିଷ୍ଠ ଚାଷୀ କିଶୋର ଚନ୍ଦ୍ର ସିଂହ, ତ୍ରିନାଥ ବିଷୋୟୀ, ବସନ୍ତ ପାଣିଗ୍ରାହୀ, ନାରାୟଣ ପାତ୍ର, ସନ୍ତୋଷ ପାତ୍ର, ପଙ୍କଜ ପଣ୍ଡା, ଦିଲ୍ଲୀପ ବିଷୋୟୀ, ଅଜୟ ହିଆଲ, ସୁଦାମ ନାୟକ, ନୀଳ ବାଘ, ଚପଳ ନାୟକ ପ୍ରମୁଖ ଦାବି କରିଛନ୍ତି। ଏନେଇ ତେନ୍ତୁଳିଖୁଣ୍ଟି ସହକାରୀ କୃଷି ଅଧିକାରୀ ମାନସ ନାୟକଙ୍କୁ ପଚାରିବାରୁ ବ୍ଲକ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରି ଚାଷ କ୍ଷୟକ୍ଷତିର ଆକଳନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

Comment