ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ଟୋକନ୍‌ରେ ଧାନ ବିକିବେ ଚାଷୀ। ଟୋକନ୍ ନଥିଲେ ବି ଚାଷୀମାନେ ନିଜର ଧାନ ବିକ୍ରି କରିପାରିବେ। ଗୁରୁବାର ପଶ୍ଚିମ ଓଡ଼ିଶା ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ଧାନକିଣା ସ୍ୱାଭାବିକ ହେବା ନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ।

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, “ଧାନ ବିକିବା ପାଇଁ ଯଦି କୌଣସି ଚାଷୀପାଖରେ ଟୋକନ୍ ନ ଥିବ, ସେମାନେ ଧାନମଣ୍ଡିରୁ ୩ରୁ ୪ ଘଣ୍ଟା ମଧ୍ୟରେ ଟୋକନ୍ ଜେନେରେଟ୍ କରିପାରିବେ। ଆବଶ୍ୟକଠାରୁ ଅଧିକ ପରିମାଣର ଧାନ ଥିଲେ ମଧ୍ୟ ସରକାର ଚାଷୀଠାରୁ ଧାନ କିଣିପାରିବେ।”

ଖରିଫ୍‌ ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଚାଷୀମାନେ ସମ୍ବଲପୁର ରାଜରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଧାନକିଣାବିକାରେ ବାଧା ଉପୁଜିଥିଲା। ଗୁରୁବାର ଚାଷୀ ପ୍ରତିନିଧିଙ୍କ ସହ ସରକାରଙ୍କ ଦୁଇ ପ୍ରତିନିଧି ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ଗୁରୁବାର ପ୍ରଥମଦିନରେ ସମ୍ବଲପୁରରେ ୨ ହଜାର ୮୮୮ ବସ୍ତା ଧାନ କିଣାବିକା ହୋଇଛି। ଶୁକ୍ରବାରଠାରୁ ଧାନ କିଣାବିକା ସ୍ୱାଭାବିକ ଭାବେ ଚାଲୁ ରହିଛି।

ଧାନ ସଂଗ୍ରହରେ  ଅନଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ରାଜ୍ୟ ସରକାର ଲାଗୁ କରିଥିବା ନୂଆ ଟୋକନ୍ ବ୍ୟବସ୍ଥାକୁ ଚାଷୀମାନେ ଘୋର ବିରୋଧ କରିଥିଲେ। ଚାଷୀମାନେ ସମ୍ବଲପୁର ଜିଲ୍ଲାର ଚାରି ବିଧାୟକଙ୍କ ଘର ଆଗରେ ଧାନ ବସ୍ତା ରଖି ଆନ୍ଦୋଳନ କରିବା ସହ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ମଧ୍ୟ ଘେରାଉ କରିଥିଲେ। ଧିରେ ଧିରେ ଏହି ଚାଷୀ ଆନ୍ଦୋଳନ ପଶ୍ଚିମ ଓଡ଼ିଶାରୁ କୋରାପୁଟକୁ ବ୍ୟାପିଥିଲା।

ବୁଧବାର ଚାଷୀଙ୍କୁ ବୁଝାଇବା ପାଇଁ ରାଜ୍ୟ ସରକାରଙ୍କ ଦୁଇ ପ୍ରତିନିଧି ଭାବେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୁଜାରୀ ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ନହୋଇ ସରଳୀକରଣ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ଯାଇ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି ଚାଷୀ ସଂଗଠନ।

Comment