ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଫେବ୍ରୁଆରି ୮ରେ ସମସ୍ତ ୭୦ଟି ଆସନରେ ଭୋଟ୍‌ ହେବ ବୋଲି ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଫେବ୍ରୁଆରି ୧୧ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାନୁଆରି ୧୪ରୁ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀମାନଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାକୁ ପଡ଼ିବ। ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୮ ତାରିଖରେ ଭୋଟ ଗ୍ରହଣ ହେବ।

୭୦ଟି ଆସନ ମଧ୍ୟରୁ ୫୮ଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୧୨ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ୧୩ ହଜାର ୭୫୦ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ଭୋଟ ପାଇଁ ୯୦ ହଜାର କର୍ମଚାରୀ ନିୟୋଜିତ ହେବେ।

ଦିଲ୍ଲୀରେ ଭୋଟ ଭୋଟରଙ୍କ ସଂଖ୍ୟା ହେଉଛି ୧ କୋଟି ୪୬ ଲକ୍ଷ ୯୨ ହଜାର ୧୩୬। ସେମାନଙ୍କ ଭିତରୁ ୮୦ ଲକ୍ଷ ୫୫ ହଜାର ୬୮୬ ପୁରୁଷ ଭୋଟର ରହିଥିବା ବେଳେ ୬୬ ଲକ୍ଷ ୩୫ ହଜାର ୬୩୫ ହେଉଛନ୍ତି ମହିଳା ଭୋଟର। ସେହିପରି ୮୧୫ ତୃତୀୟଲିଙ୍ଗୀ ଭୋଟର ରହିଥିବା ବେଳେ ୪୮୯ ଏନ୍‌ଆର୍‌ଆଇ ଭୋଟର ରହିଛନ୍ତି।

ଦିଲ୍ଲୀରେ ଏଥର ତ୍ରିକୋଣୀୟ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ଶାସକ ଆମ୍‌ ଆଦ୍‌ମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ଭିତରେ ଜୋରଦାର ଟକ୍କର ହେବ।

Comment