ଅଶୋକ ବହିଦାର

ରାଜଦରବାର ଛାଡ଼ି ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ବରଗଡ଼ ଧନୁଯାତ୍ରାର କଂସ। ହାତୀ ଉପରେ ବସି ନଗର ପରିକ୍ରମା କରନ୍ତି। ଲୋକଙ୍କୁ ସୁଖଦୁଃଖ ବୁଝନ୍ତି। ଆଉ ଯେଉଁଠି ଅନ୍ୟାୟ ଦେଖନ୍ତି ସେଠି ଦଣ୍ଡବିଧାନ କରନ୍ତି। କଂସ ମହାରାଜଙ୍କ ଜୟ ଜୟକାର ଧ୍ୱନିରେ ରାଜଦାଣ୍ଡ ପ୍ରକମ୍ପିତ ହୋଇଥାଏ।

ରାଜଦରବାରରେ କଂସଙ୍କୁ ନେଇ ଅନେକ ନାଟକୀୟ ଘଟଣା ଘଟିଥାଏ ବରଗଡ଼ ଧନୁଯାତ୍ରାରେ। ହେଲେ କଂସଙ୍କ ଅଭିନୟ ଏଥିରେ ସୀମିତ ନୁହେଁ। ଧନୁଯାତ୍ରା ଅବସରରେ ଆଧୁନିକ ମଥୁରା ନଗରୀ ପାଲଟିଥିବା ବରଗଡ଼ର ରାସ୍ତାରେ ଦିନବେଳା ପ୍ରାୟ କଂସଙ୍କୁ ହାତୀ ଉପରେ ବସି ବୁଲୁଥିବା ଦେଖାଯାଏ। ଧନୁଯାତ୍ରାର ନାଟ୍ୟଧାରାରେ ଏହି ପ୍ରସଙ୍ଗକୁ ‘କଂସଙ୍କ ନଗର ଭ୍ରମଣ’ ବୋଲି କୁହାଯାଇଥାଏ। ଏକ ଗଣତାନ୍ତ୍ରିକ ପଦ୍ଧତିରେ ଥିବା କୌଣସି ସହରରେ ଏମିତି ଦୃଶ୍ୟ ଦେଖାଯିବା ଅନନ୍ୟ ମନେ ହୋଇଥାଏ।

କଂସଙ୍କ ଦିନଚର୍ଯ୍ୟାରେ ‘ନଗର ଭ୍ରମଣ’ ହେଉଛି ଏକ ସାଧାରଣ ଘଟଣା। ପ୍ରତିଦିନ ଅପରାହ୍ନରେ କଂସ ରାଜପ୍ରସାଦରୁ ରାଜଦାଣ୍ଡକୁ ବାହାରନ୍ତି। ହାତୀ ଉପରେ ବସି ରାଜକୀୟ ଠାଣିରେ ସେ ଯାଉଥାନ୍ତି। ସଙ୍ଗରେ ଥାନ୍ତି ପାତ୍ରମନ୍ତ୍ରୀଗଣ। ସାମ୍ନାରେ ରାସ୍ତାରୁ ଭିଡ଼ ହଟାଉଥାନ୍ତି ଦୂତ ଓ ପ୍ରହରୀମାନେ। ବୀରବାଦ୍ୟ ବଜାଇ ଲୋକଙ୍କୁ ସୂଚେଇ ଦେଉଥାନ୍ତି ଯେ ‘ହୁସିଆର! ମହାରାଜ କଂସ ଆସୁଛନ୍ତି’। ସମଗ୍ର ସହର ବ୍ୟସ୍ତ ହୋଇଉଠେ କଂସଙ୍କୁ ସ୍ୱାଗତ କରିବା ପାଇଁ।

ରାସ୍ତା ପାର୍ଶ୍ୱରେ ହଜାର ହଜାର ଦର୍ଶକ ବିଭିନ୍ନ ଢଙ୍ଗରେ କଂସଙ୍କୁ ସ୍ୱାଗତ କରୁଥାନ୍ତି। କଂସ କେତେବେଳେ. ହାତ ହଲାଇ ତ କେତେବେଳେ ଅଟ୍ଟହାସ୍ୟ କରି ଦର୍ଶକଙ୍କ ସ୍ୱାଗତକୁ ସ୍ୱୀକାର କରୁଥାନ୍ତି। ଖୋଦ୍ ଶାସକ ଶାସିତ ନିକଟରେ ପହଞ୍ଚିଛନ୍ତି। ସେଥିପାଇଁ ଉଲ୍ଲସିତ ହୋଇଥାନ୍ତି ପ୍ରଜାମାନେ। କାହାକୁ ରାଜଦାଣ୍ଡରେ ଅଟକାଇ ପ୍ରଶ୍ନ କରୁଥାନ୍ତି କଂସ ତ କାହାକୁ ଆଖିର ଇଙ୍ଗିତରେ ନିର୍ଦ୍ଦେଶ ଦେଉଥାନ୍ତି। କଂସ ରାଜଦାଣ୍ଡରେ ପହଞ୍ଚିବା ମାତ୍ରେ ତାଙ୍କର ଜୟ ଜୟକାର ଧ୍ୱନିରେ କୋଳାହଳମୟ ହୋଇଉଠେ ସାରା ସହର।

କଂସ ରାଜଦାଣ୍ଡରେ ଯାଉଥିବା ବେଳେ କାହାରି ସାହସ ନଥାଏ ବାଟ ଓଗାଳିବା ପାଇଁ। ଯେଉଁଠାରେ ସେ କାହାକୁ କୌଣସି ବେନିୟମ କାର୍ଯ୍ୟ କରୁଥିବା ଦେଖନ୍ତି, ସେଇଠାରେ ହିଁ ରାୟ ପ୍ରକାଶ କରି ଦେଇଥାଆନ୍ତି। ଜନଗହଳି ଭିତରେ ତାକୁ ବିଭିନ୍ନ ପ୍ରକାର ଦଣ୍ଡ ପ୍ରଦାନ କରିଥାନ୍ତି। କଂସଙ୍କ ଦଣ୍ଡରାୟକୁ ନା କହିବାର ପ୍ରଶ୍ନ ଉଠିନଥାଏ। ସମସ୍ତେ ତାକୁ ସମ୍ମାନର ସହିତ ମାନି ନେଇଥାନ୍ତି। ଏଇୟା ହେଉଛି ବରଗଡ଼ ଧନୁଯାତ୍ରାର ଏକ ବିଶେଷ ପ୍ରସଙ୍ଗ।

କଂସଙ୍କୁ ନିମନ୍ତ୍ରଣ କରିଥାନ୍ତି ଅନେକ ବ୍ୟକ୍ତି

କଂସଙ୍କୁ ନିମନ୍ତ୍ରଣ କରିଥାନ୍ତି ଅନେକ ବ୍ୟକ୍ତି ଓ ଅନୁଷ୍ଠାନ। ସମସ୍ତଙ୍କର ନିମନ୍ତ୍ରଣକୁ ଗ୍ରହଣ କରି ‘ନଗର ଭ୍ରମଣ’ ଅବସରରେ ପହଞ୍ଚିଯାନ୍ତି ନିଜ ରାଜଥାଟ ସହିତ। ନିମନ୍ତ୍ରଣ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନମାନେ କଂସଙ୍କୁ ଦିଅନ୍ତି ଭବ୍ୟ ସମ୍ବର୍ଦ୍ଧନା। ଉପହାର ବି ଦେଇଥାନ୍ତି। କଂସ ସେମାନଙ୍କର ଆତିଥ୍ୟକୁ କେବେ ବି ଅସ୍ୱୀକାର କରନ୍ତି ନାହିଁ। ଏଥିସହିତ ସେ ଅନେକ ପରାମର୍ଶ ବି ଦେଇଥାନ୍ତି। ଏପରିକି କଂସଙ୍କୁ ନିମନ୍ତ୍ରଣ କରିବା ପାଇଁ ଲାଗିଯାଇଥାଏ ଏକ ପ୍ରତିଯୋଗିତା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ଭିତରେ।

କଂସ ହେଉଛନ୍ତି ଶିବଭକ୍ତ। ଶିବ ଆରାଧନା ବି ହେଉଛି ତାଙ୍କ ଜୀବନଚର୍ଯ୍ୟାର ଏକ ମୁଖ୍ୟ ବିଷୟ। ଧନୁଯାତ୍ରା ଅବସରରେ ରାଜଥାଟ ନେଇ କଂସ ବିଭିନ୍ନ ଶିବ ମନ୍ଦିରକୁ ଯାଉଥିବାର ଦେଖାଯାଇଥାଏ। ମନ୍ଦିରରେ କଂସଙ୍କ ପାଇଁ ପୂଜକମାନେ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଥାନ୍ତି। ଶିବଦର୍ଶନ ସହିତ ମନ୍ଦିରରେ ରୁଦ୍ରାଭିଷେକ କରିଥାନ୍ତି। ବରଗଡ଼ ସହରର ସମସ୍ତ ଶିବମନ୍ଦିରକୁ ଭିନ୍ନ ଭିନ୍ନ ଦିନରେ ପହଞ୍ଚିଥାନ୍ତି କଂସ। ଧନୁଯାତ୍ରାର ସଫଳତା ପାଇଁ ଶିବଶମ୍ଭୁଙ୍କୁ ଗୁହାରୀ ଜଣାଇଥାନ୍ତି ମଥୁରାର ଅପ୍ରତିଦ୍ୱନ୍ଦ୍ୱୀ ନରେଶ କଂସାସୁର।

ବରଗଡ଼ ଉପ-କାରାଗାରକୁ ବିଜେ କରନ୍ତି କଂସ

କଂସ ଧନୁଯାତ୍ରା ଅବସରରେ ବରଗଡ଼ର ଉପ-କାରାଗାରକୁ ଯିବା ପାଇଁ ଭୁଲନ୍ତି ନାହିଁ। ସେ ପହଞ୍ଚିବା କ୍ଷଣି କର୍ମଚାରୀମାନେ ତାଙ୍କୁ ଭିତରକୁ ପାଛୋଟି ନିଅନ୍ତି। ରାଜକୀୟ ଭଙ୍ଗୀରେ ସମ୍ମାନ ଦିଅନ୍ତି। କଂସ ଅନ୍ତେବାସୀମାନଙ୍କର ଦୁଃଖସୁଖ ବୁଝନ୍ତି। ସେମାନଙ୍କୁ ସୁଧୁରିଯିବାର ବାର୍ତ୍ତା ପ୍ରଦାନ କରନ୍ତି। ଏପରିକି ଅନ୍ତେବାସୀଙ୍କୁ ମିଠା ଓ ଫଳ ବାଣ୍ଟିଥାନ୍ତି ମହାରାଜ କଂସ। କଂସଙ୍କର ନିର୍ଦ୍ଦେଶରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ ଅନ୍ତେବାସୀ କଏଦୀମାନଙ୍କର ମନୋରଞ୍ଜନ ପାଇଁ।

ବରଗଡ଼ କଂସ କେବଳ ମନୋରଞ୍ଜନ ପାଇଁ ନଗର ଭ୍ରମଣ କରନ୍ତି ନାହିଁ। ତାଙ୍କ ଭ୍ରମଣରେ ଗୋଟିଏ ମହାନ୍ ଉଦ୍ଦେଶ୍ୟ ଛପିକି ରହିଥାଏ। ରାଜଦାଣ୍ଡରେ ଏଠି ସେଠି ବୁଲିବା ପରେ କଂସ ପହଞ୍ଚନ୍ତି ରଙ୍ଗମହଲକୁ। ସେଇଠି କିଛି ସମୟ ହଜାଇ ଦିଅନ୍ତି ନିଜକୁ ଗୀତ, ସଙ୍ଗୀତ ଓ ନୃତ୍ୟକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ। ରଙ୍ଗମହଲରୁ ସିଧା ସେ ପହଞ୍ଚିଯାନ୍ତି ଥାଟକୁ ନେଇ ରାଜଦରବାରକୁ। ବିଳମ୍ବିତ ରାତ୍ରିଯାଏ ଦରବାରରେ ବିତେଇବା ପରେ ଫେରିଆସନ୍ତି ପୁଣି ରାଜପ୍ରସାଦକୁ।

Comment