ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଶ୍ୱ ହିନ୍ଦୁ ପରିଷଦ ମନ୍ଦିରର ଏକ ନୂଆ ମଡେଲ ଆଗକୁ ଆଣିଛି। ବିଶ୍ୱ ହିନ୍ଦୁ ପକ୍ଷରୁ କୁହାଯାଇଛି ଯେ ଏହି ମଡେଲ ଅନୁସାରେ ହିଁ ମନ୍ଦିରର ନିର୍ମାଣ କରାଯିବ।

ରବିବାର ପ୍ରୟାଗରାଜର ମାଘ ମେଳାରେ ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଚମ୍ପତ୍ତ ରାୟ ମନ୍ଦିରର ମଡେଲକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଏହି ମଡେଲ୍ ଆଧାରରେ ହିଁ ଅଯୋଧ୍ୟାର ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ କରାଯିବ। ବହୁ ପୂର୍ବରୁ ମନ୍ଦିରର ମଡେଲ୍ ପ୍ରସ୍ତୁତ ହୋଇସାରିଛି। ତେଣୁ ଏହିଭଳି ହିଁ ମନ୍ଦିରର ନିର୍ମାଣ ହେବ ବୋଲି କୁହାଯାଇଛି।ଅଯୋଧ୍ୟାର ରାମମନ୍ଦିରର ଲମ୍ବ ୨୬୮ ଫୁଟ୍ ଓ ପ୍ରସ୍ଥ ୧୪୦ ଫୁଟ୍ ରହିବ ବୋଲି କୁହାଯାଇଛି। ଏଥିସହିତ ମନ୍ଦିରର ଉଚ୍ଚତା ୧୨୮ ଫୁଟ୍ ରହିବ ଓ ମନ୍ଦିର ଗର୍ଭଗୃହ, ସିଂହଦ୍ୱାର, ନୃତ୍ୟମଣ୍ଡପ, ରଙ୍ଗ ମଣ୍ଡପ ଓ ଅଗ୍ରଭାଗ ଅଞ୍ଚଳରେ ୨୧୨ଟି ସ୍ତମ୍ଭ ରହିବ ବୋଲି କୁହାଯାଇଛି। ମନ୍ଦିରର ପ୍ରଥମ ମହଲାରେ ୧୦୬ଟି ଖମ୍ଭ ଓ ଦ୍ୱିତୀୟ ମହଲାରେ ମଧ୍ୟ ୧୦୬ ଖମ୍ଭ ରହିବ ବୋଲି କୁହାଯାଇଛି।

କିଛି ମାସ ତଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ନେଇ ସୁପ୍ରିମକୋର୍ଟ ନିଜର ରାୟ ପ୍ରକାଶ କରିଥିଲେ। ରାମ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ ହେବ। ଏହି ଟ୍ରଷ୍ଟର ନିର୍ଦ୍ଦେଶ ଅନୁସାରେ ହିଁ ମନ୍ଦିରର ନିର୍ମାଣ କରାଯିବ ବୋଲି କୋର୍ଟ ନିଜର ରାୟରେ କହିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏହି ଟ୍ରଷ୍ଟର ଗଠନ କରାଯାଇନାହିଁ।

Comment