ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟୁତ୍ ବିଲ୍ ବାକି ଥିଲେ ଜାନୁଆରି ୧୬ରୁ ସେସୁ ଆପଣଙ୍କ ଲାଇନ୍ କାଟିଦେବ।

ଆପଣ ବିଦ୍ୟୁତ୍ ବ୍ୟବହାର କରି ମାସ ଶେଷରେ ବିଦ୍ୟୁତ୍ ବିଲ୍ ପୈଠ କରୁଛନ୍ତି ତ? ଯଦି ଆପଣ ଜାଣିଶୁଣି ବିଦ୍ୟୁତ ବିଲ୍ ଦେଉନାହାନ୍ତି ତେବେ ଆସନ୍ତା ୧୬ ତାରିଖରୁ ଆପଣଙ୍କ ଘରୁ ଲାଇନ୍  କାଟିଦିଆଯିବ। ଏନେଇ ବୁଧବାର ଉପଭୋକ୍ତାଙ୍କୁ ମନେ ପକାଇଦେଇଛନ୍ତି ସେସୁ ସିନିଅର ଜେନେରାଲ୍ ମ୍ୟାନେଜର ମନୋଜ ସିଂହ।ମନୋଜ ସିଂହ କହିଛନ୍ତି, “ସେସୁ ଅଧୀନରେ ଥିବା ୯ଟି ଜିଲ୍ଲାରେ ଯେଉଁ ବିଦ୍ୟୁତ୍ ଉପଭୋକ୍ତାମାନେ ବିଦ୍ୟୁତ ବ୍ୟବହାର କରି ଏହାର ବିଲ୍ ପୈଠ କରୁନାହାନ୍ତି, ସେମାନଙ୍କର ଲାଇନ୍ କାଟିଦିଆଯିବ। ଆସନ୍ତା ଜାନୁଆରି ୧୬ ତାରିଖରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ।”

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶେଷ କରି ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ସାଧାରଣ ଉପଭୋକ୍ତାମାନେ ବିଦ୍ୟୁତ ବିଲ୍ ଦେବାକୁ ସକ୍ଷମ ହୋଇ ମଧ୍ୟ ଜାଣିଶୁଣି ବିଲ୍ ଦେଉନାହାନ୍ତି ସେମାନଙ୍କର ମଧ୍ୟ ଲାଇନ୍ କାଟିଦିଆଯିବ। ଏହାବାଦ୍ ଯେଉଁ ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ବିଲ୍ ବାକି ରହିଛି ସେମାନେ ୨ଦିନ ମଧ୍ୟରେ ବିଲ୍ ଟଙ୍କା ଦାଖଲ କରିବାକୁ କୁହାଯାଇଛି।କେଉଁ ଲୋକଙ୍କ ଲାଇନ୍ କଟାଯିବ ଏବଂ କେଉଁ ଲୋକଙ୍କ ଲାଇନ୍ କଟାଯିବନି ସେନେଇ ସେସୁର ସ୍ୱତନ୍ତ୍ର ସ୍କ୍ୱାର୍ଡ ନିଷ୍ପତ୍ତି ନେବ। ୯ଟି ଜିଲ୍ଲା ପାଇଁ ସେସୁ ମୋଟ ୪୧୩ଟି ସ୍କ୍ୱାଡ୍ ଗଠନ କରିଛି। ଏହି ସ୍କ୍ୱାଡ୍ ଗାଁ ଗାଁ ବୁଲି ବିଦ୍ୟୁତ୍ ବ୍ୟବସ୍ଥା ଯାଞ୍ଚ କରିବେ।

ଏଥିସହିତ ଗୋଟିଏ ଗାଁ’ର ସମସ୍ତ ଘରେ ଲାଇନ୍ କଟିବା ଖବରକୁ ସେସୁ ମିଥ୍ୟା ବୋଲି କହିଛି। କଦାପି ଗୋଟିଏ ଗାଁ’ର ସବୁ ଘରେ ଲାଇନ୍ କଟାଯିବ ନାହିଁ। କେବଳ ଯେଉଁ ବିଦ୍ୟୁତ ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଦେଉନାହାନ୍ତି ସେମାନଙ୍କ ଘରର ଲାଇନ୍ କଟାଯିବ ବୋଲି ସେସୁ ପକ୍ଷରୁ କୁହାଯାଇଛି।

Comment