ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଜନ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।ଗୁରୁବାର ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାଣି ପଞ୍ଚାୟତ ରଥର ଶୁଭାରମ୍ଭ କରିଥିଲେ। ସେ ସବୁଜ ପତାକା ଦେଖାଇ ଏହି ରଥର ପରିକ୍ରମା ଆରମ୍ଭ କରିଥିଲେ। ଏହି ୧୦ଟି ପାଣି ପଞ୍ଚାୟତ ରଥ ବ୍ଲକ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରିବ। ଏହାଦ୍ୱାରା ଲୋକମାନଙ୍କୁ ପାଣିର ସୁବିନିଯୋଗ ସମ୍ବନ୍ଧରେ ଜଣାଇବା ସହ ସେମାନଙ୍କ କୃଷି ଉତ୍ପାଦନ ବୃଦ୍ଧି କରିବା ଏହାର ମୁଖ୍ୟ ଲକ୍ଷ୍ୟ।ଏଥିସହିତ ଏହି ପାଣି ପଞ୍ଚାୟତରେ ଲୋକମାନଙ୍କୁ ସାମିଲ କରି ଏହାର ବିକାଶ କରିବା ହେଉଛି ଏହି ରଥକୁ ପରିକ୍ରମା କରିବାର ଅନ୍ୟତମ କାରଣ। ପାଣି ପଞ୍ଚାୟତ ଗଠନର ତିନି ମାସ ମଧ୍ୟରେ ଜଳ ବିଭାଗ ସହିତ ଏହାର ରାଜିନାମା କରିବା, ନିୟମିତ ଭାବେ ଜଳ ବାଣ୍ଟିବା ଏହାର ପ୍ରଥମ କାର୍ଯ୍ୟ ହେବ। ଏହାସହ ପାଣି ପଞ୍ଚାୟତ ମାଧ୍ୟମରେ କୃଷି ଓ କୃଷକର ଉନ୍ନତି, କେନାଲର ରକ୍ଷଣାବେକ୍ଷଣ ଆଦିକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଗୁରୁବାର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ, ଉଠା ଜଳସେଚନ ଅଧିକାରୀ ଗଙ୍ଗାଧର ତ୍ରିପାଠୀ ଓ ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ ନିଶିଖ ସମେତ ବିଭାଗର ଅନେକ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।

Comment