ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟାଙ୍ଗୀ-ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଜି କଟକ ରେଲବାଇ ଷ୍ଟେସନରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଆଜି ସକାଳ ୭ଟା ପାଖାପାଖି କଟକ ରେଲବାଇ ଷ୍ଟେସନର ସାତ ନମ୍ବର ପ୍ଲାଟଫର୍ମରେ ୩୫ ହଜାର କେ.ଭି ମେନ୍ ଲାଇନ୍ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣକ ମାନସିକ ଭାବେ ଅସୁସ୍ଥ ଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ।

ସୂଚନା ଅନୁସାରେ, ତାଳଚେରରୁ ପାରାଦ୍ଵୀପ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲଗାଡ଼ି କଟକ ଷ୍ଟେସନ୍‌ର ସାତ ନମ୍ଵର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା। ଏହି ବ୍ୟକ୍ତି ଜଣକ ଟ୍ରେନ ଉପରେ ଚଢ଼ିଯାଇଥିଲେ ଏବଂ ହାଇଭୋଲଟେଜ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ମୃତକଙ୍କ ଶରୀରର ଅନେକ ଭାଗ ପୋଡ଼ି ଯାଇଛି। ଆରପିଏଫ୍ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି କଟକ ଆରପିଏଫ୍।

Comment