ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାଲବାହୀ ଟ୍ରେନକୁ ପଛକୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ
  • ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଦେଲା ଧକ୍କା
  • ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ କଲେ ଉଦ୍ଧାର
  • ଏସ୍‌ସିବି ମେଡିକାଲରେ ୨୬ ଆହତ
  • ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ

କେହି ଭାବି ନଥିଲେ ସକାଳୁ ସକାଳୁ ଏମିତି ଏକ ଦୁର୍ଘଟଣା ଘଟିବ। ସମସ୍ତେ ଖୁସି ଥିଲେ, କାରଣ ଶେଷ ଷ୍ଟପେଜ୍ ଥିଲା ଭୁବନେଶ୍ଵର। ଟ୍ରେନଟି ଆସୁଥିଲା ମୁମ୍ଵାଇରୁ ଭୁବନେଶ୍ଵର। ଅଧିକାଂଶ ଯାତ୍ରୀ ସିରିଡିସାଇଙ୍କ ଦର୍ଶନ କରି ଫେରୁଥିଲେ ନିଜ ନିଜ ଘରକୁ।

ସକାଳ ୭ଟା ପାଖାପାଖି ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଲା ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ (୧୨୮୭୯ ନମ୍ବର)। ଧକ୍କା ହେବା ସମୟରେ ଟ୍ରେନଟିର ଗତି ସେତେ ଅଧିକ ନଥିଲେ ମଧ୍ୟ ପ୍ରାୟ ୭ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ, ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଆଗ ପହଞ୍ଚିଲେ ସ୍ଥାନୀୟ ଲୋକେ

ସକାଳ ୭ଟା ବାଜିବାକୁ ଆଉ ମାତ୍ର କିଛି ମିନିଟ୍ ବାକି ଥାଏ। ସଂପୂର୍ଣ୍ଣ ଭାବରେ ଘନ କୁହୁଡିର କବଜାରେ ଥିଲା ଗୁରୁବାର ସକାଳ। ହଠାତ୍ ବଡ଼ ଜୋର୍‌ରେ ଏକ ଶଦ୍ଦ ଶୁଭିଲା ସର୍ଦଳା ଗାଁ ଭିତରକୁ। ଗ୍ରାମବାସୀ ଅନୁମାନ କରିନେଲେ କିଛି ଗୋଟେ ଅଘଟଣ ଘଟିଲା। ଶବ୍ଦ କୁଆଡୁ ଆସିଲା ଖୋଜୁ ଖୋଜୁ ଟ୍ରେନଟି ଅଟକିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଟ୍ରେନରୁ ଶୁଭିଥିଲା ଚିତ୍କାର ଯାତ୍ରୀମାନଙ୍କର।  ସଙ୍ଗେ ସଙ୍ଗେ ପୂରା ଗାଁ ଉଠି ଆସିଥିଲା ଦୁର୍ଘଟଣାସ୍ଥଳ ନିକଟକୁ। ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ଛୋଟଠାରୁ ନେଇ ବଡ଼ ପର୍ଯ୍ୟନ୍ତ।

ଆହତ ଯାତ୍ରୀଙ୍କ ପାଇଁ ସହାୟତାର ହାତ ଆଗ ବଢାଇଥିଲେ ସ୍ଥାନୀୟ ବାସିନ୍ଦାମାନେ। ଯାତ୍ରୀଙ୍କୁ ଟ୍ରେନକୁ ଓହ୍ଲାଇବାରେ ସାହାଯ୍ୟ କରିବା ସହିତ ସେମାନଙ୍କ ଆସବାବପତ୍ର ବୋହିବା ପର୍ଯ୍ୟନ୍ତ କାମ କରିଥିଲେ ଶାଳଗାଁ, ସର୍ଦଳା ଆଦି ପାଖାପାଖି ଗ୍ରାମର ସ୍ଥାନୀୟ ଯୁବକମାନେ। ନିକଟରେ ଥିବା ଜାତୀୟ ରାଜପଥ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ପହଞ୍ଚାଇଥିଲେ ସ୍ଥାନୀୟ ବାସିନ୍ଦା।

ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ଆର୍.ଫି.ଏଫ୍ ଅଧିକାରୀମାନେ ପହଞ୍ଚିବା ପରେ ମଧ୍ୟ ନିଜର ସହଯୋଗ ଜାରି ରଖିଥିଲେ ସ୍ଥାନୀୟ ବାସିନ୍ଦାମାନେ। ରାଜପଥରେ ଛିଡା ହୋଇଥିବା ଆମ୍ଵୁଲାନ୍ସକୁ ପ୍ରଥମେ ଖବର ଦେଇଥିଲେ ଯୁବକମାନେ। ସ୍ଥାନୀୟ ବାସିନ୍ଦାମାନଙ୍କ ଯୋଗୁଁ ସଠିକ ସମୟରେ ଆହତମାନେ ପହଞ୍ଚି ପାରିଥିଲେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତଥା କଟକ ଏସସିବି ମେଡିକାଲ କଲେଜର ଆଶୁ ଚିକିତ୍ସା ବିଭାଗରେ।

ସ୍‌ସିବିରେ ୨୬ ର୍ତ୍ତି

ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ୨୫ ଜଣ ଆହତ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ଜରୁରୀ କାଳୀନ ଅଧିକାରୀ ଭୂବନାନନ୍ଦ ମହାରଣା। ଆହତମାନଙ୍କ ଭିତରୁ ୧୭ ଜଣ ପୁରୁଷ ଓ ୮ ଜଣ ମହିଳା ହୋଇଥିବା ବେଳେ, ଦୁଇଟି ଶିଶୁ ମଧ୍ୟ ରହିଛନ୍ତି।

ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠ କରାଯାଇଥିବା ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ଆହତମାନଙ୍କ ଭିତରୁ ଦୁଇଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ଅବଜରଭେସନ୍‌ରେ ରଖାଯାଇଥିବା ଏସ୍‌ସିବି ପକ୍ଷରୁ କୁହାଯାଇଛି। ସମସ୍ତଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।

ଗୁରୁବାର ରାତି ସୁଦ୍ଧା ଧାରଣା ମରାମତି ସାରିବାକୁ ଲକ୍ଷ୍ୟ

ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମକୁ ଆଗେଇ ନେଇଛି ପୂର୍ବତଟ ରେଳବାଇର ଖୋର୍ଦ୍ଧା ଡିଭିଜନ୍। ଧାରଣା ମରାମତି ସହିତ, ଲୋକମାନ୍ୟ ତିଲକ ଏକ୍ସପ୍ରେସର ଲାଇନଚ୍ୟୁତ ବଗିଗୁଡ଼ିକୁ ଧାରଣାକୁ ଉଠାଇବା କାମରେ ଲାଗିଛନ୍ତି ୨୫୦ ପାଖାପାଖି କର୍ମଚାରୀ। ଆଜି ରାତି ସୁଦ୍ଧା ମରାମତି କାର୍ଯ୍ୟ ଶେଷ କରି ଏହି ଲାଇନ୍‌ରେ ରେଳ ଯାତାୟାତ ସ୍ଵାଭିବିକ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ବାଟ ଭାଙ୍ଗିଲେ ଟ୍ରେନ

ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଦୁର୍ଘଟଣା ପରେ ୫ଟି ଟ୍ରେନ୍‌ର ଗତିପଥକୁ ତୁରନ୍ତ ପରିବର୍ତ୍ତନ କରାଯାଇଥିଲା। ୫ଟି ଟ୍ରେନକୁ ନିର୍ଗୁଣ୍ଡି-ଟାଙ୍ଗୀ ରୁଟ୍‌ରେ ନଆସି ଭାୟା ନରାଜ ଦେଇ ଯିବାକୁ ପଡ଼ିଥିଲା। ଦୁର୍ଘଟଣା ପରେ  ପୁରୀ, ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ୍‌, ଧାନବାଦ-ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍‌, ତାଳଚେର-ପୁରୀ ମେମୁ ଓ ଭୁବନେଶ୍ଵର-ଏଲଟିଟି ଏକ୍ସପ୍ରେସ୍‌ର ଗତିପଥ ବଦଳା ଯାଇଥିଲା।

କୁହୁଡ଼ି ଦାୟୀ ନା ଆଉ କିଏ?

ଘଟଣା ପରେ ପ୍ରାଥମିକ ତଦନ୍ତକୁ ଆଧାର କରି, ଲୋକମାନ୍ୟ ତିଲକ ଏକ୍ସପ୍ରେସର ଦୁଇ ଜଣ ଡ୍ରାଇଭର୍, ମାଲବାହୀ ଟ୍ରେନ୍‌ର ଗାର୍ଡ ଓ ନିର୍ଗୁଣ୍ଡି ଷ୍ଟେସନ୍‌ର ଡେପୁଟୀ ଷ୍ଟେସନ୍ ମ୍ୟାନେଜରଙ୍କୁ ନିଲମ୍ଵନ କରାଯାଇଛି ପୂର୍ବତଟ ରେଳବାଇ ପକ୍ଷରୁ। ତେବେ ଦୁର୍ଘଟଣା ପଛରେ ମୂଖ୍ୟ କାରଣ କ’ଣ ତାକୁ ନେଇ ଚାଲିଛି ଖୋଳତାଡ଼।

କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ, କୁହୁଡି ପାଇଁ ଡ୍ରାଇଭରଙ୍କୁ ଦେଖିବାରେ ସମସ୍ୟା ହୋଇଥାଇ ପାରେ ବୋଲି କହିଛନ୍ତି ରେଳବାଇ ଚିଫ୍ କମ୍ୟୁନିକେସନ୍ ଇଞ୍ଜିନିୟର୍ ଆର୍‌ ପି ବର୍ମା। ଏହି ଟ୍ରାକଟି ଅଟୋମେଟିକ୍ ସିଗନାଲିଂ ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ଶ୍ରୀଯୁକ୍ତ ଶର୍ମା। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଦୁର୍ଘଟଣା ପାଇଁ ତ୍ରୁଟିଯୁକ୍ତ ସିଗନାଲ ବ୍ୟବସ୍ଥା ଦାୟୀ, କୁହୁଡି ଦାୟୀ ନା ଏହା ଏକ ମନୁଷ୍ୟକୃତ ଦୁର୍ଘଟଣା।

ବର୍ଷ ଭିତରେ ଏହା ତୃତୀୟ ଘଟଣା

୨୦୧୬ ମସିହା ସେପ୍ଟେମ୍ଵର ମାସ ୨୮ ତାରିଖରେ କଟକ କାଠଯୋଡି ପାସେଞ୍ଜର ହଲ୍ଟ ନିକଟରେ ସନ୍ଧ୍ୟା ସମୟରେ ଏକ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଆହତ ଓ ଅନ୍ୟ ୨୨ ଜଣ ଆହତ ହୋଇଥିଲେ। ସେହିପରି ୨୦୧୮ ମସିହା ଅଗଷ୍ଟ ମାସ ୨୦ ତାରିଖରେ ଏକ ଆକସ୍ମିକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା କଟକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ମେମୁ ଟ୍ରେନ୍। ଗୋପାଳପୁର, ବାଲିକୁଦା ଷ୍ଟେସନରେ କାମ ଚାଲିଥିବା ବେଳେ, ଏକ କ୍ରେନ୍ ବାଜି ଧାରଣ ବଙ୍କା ହୋଇଯାଇଥିଲା।

କ୍ରେନର ହେଲପର୍ ଏହା ଜାଣିପାରି କ୍ରେନ ଉପରେ ଚଢି ଯାଇଥିଲେ।  ନିଜ ସାର୍ଟ କାଢି ଏକ ବାଡିରେ ବାନ୍ଧି ହଲାଇଥିଲେ। ଏହା ଦେଖି ଟ୍ରେନର ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନଟିକୁ ଅଟକାଇ ଦେଇଥିଲେ। ଅନେକ ଜୀବନ ରକ୍ଷା ହୋଇଥିଲା।

Comment