ଭାସ୍କର ପରିଚ୍ଛା

“ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହେବା ପରେ ୧୯୬୨ ମସିହାରେ ମାତ୍ର ୩୮ ହଜାର ଲୋକ ରହୁଥିଲେ। ଚାରିଆଡ଼େ ଥିଲା ଘଞ୍ଚ ଅରଣ୍ୟ। ସହର ଭିତରେ ଭଳିକି ଭଳି ଫୁଲର ଗଛ ଓ ତା’ର ଯୋଜନ ଯୋଜନ ବ୍ୟାପୀ ସୁଗନ୍ଧ। ଗାଈ ଓ ମଇଁଷି ଅବାଧରେ ଏଠି ଚରନ୍ତି। ହାତୀମାନେ ବେଳେବେଳେ ସହର ଭିତରକୁ ପଶି ଆସନ୍ତି”- ରାଜଧାନୀ ଭୁବନେଶ୍ୱର ସମ୍ପର୍କରେ ଏହି ସବୁ ବିବରଣୀ ରହିଛି ନିକଟରେ ପ୍ରକାଶିତ ଜେବିଏସ ହାଲଡେନଙ୍କ ଉପରେ ଲିଖିତ ଏକ ଜୀବନୀ ପୁସ୍ତକରେ।

ସମନ୍ଥ ସୁବ୍ରମନ୍ୟନଙ୍କ ପୁସ୍ତକ ‘ଏ ଡ଼ମିନାଣ୍ଟ କ୍ୟାରେକ୍ଟର – ଦି ରାଡିକଲ ସାଇନ୍ସ ଆଣ୍ଡ ରେଷ୍ଟଲେସ ପଲିଟିକ୍ସ ଅଫ ଜେବିଏସ ହାଲଡେନ’ରେ ଲେଖକ ଏହି ବିଖ୍ୟାତ ବୈଜ୍ଞାନିକଙ୍କ ଭୁବନନେଶ୍ୱର ସହିତ ଗଢ଼ି ଉଠିଥିବା ସମ୍ପର୍କର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ପୁସ୍ତକରେ।

ଜନ୍ ବର୍ଡନ୍ ସାଣ୍ଡର୍ସନ୍ ହାଲ୍‌ଡେନ୍ (ଜ୍ୟାକ୍ ଭାବେ ଜଣାଶୁଣା) ଜଣେ ଇଂରେଜ-ବଂଶୋଦ୍ଭବ ଜିନୀୟ ବିଜ୍ଞାନୀ, ଲେଖକ ଓ ବିବର୍ତ୍ତନବାଦୀ ଥିଲେ। ହାଲଡେନ ନିଓ-ଡାର୍‌ୱିନିଜମ୍‌ ବା ନବ୍ୟ- ଡ଼ାରଉଇନବାଦ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସୁଏଜ କେନାଲ ବିବାଦରେ ବ୍ରିଟେନର ଭୂମିକାକୁ ବିରୋଧ କରି ସେ ବ୍ରିଟେନ ଛାଡ଼ି ଭାରତ ଚାଲିଆସିଲେ ଓ ଭାରତୀୟ ନାଗରିକତ୍ୱ ଗ୍ରହଣ କରିନେଇଥିଲେ।

ହାଲଡେନଙ୍କୁ ନେଇ ସେହି ସମୟରେ ସମସ୍ୟା ବି ସୃଷ୍ଟି ହୋଇଥିଲା। ବିଶିଷ୍ଟ ପରିସଂଖ୍ୟାନବିତ୍‌ ପିସି ମହାଲନବିଶଙ୍କ ଦ୍ଵାରା ପ୍ରତିଷ୍ଠିତ କଲିକତାର ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ(ଆଇଏସଆଇ)ରେ  ହାଲଡେନ କିଛି ସମୟ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚରେ କିଛି ବର୍ଷ  କାର୍ଯ୍ୟ କରିବା ପରେ ହାଲଡେନ ପରିସ୍ଥିତିରେ ପଡ଼ି ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଗ୍ରହର ବିଷୟ ଏହି ଯେ , ଭାରତରେ ନିଜର ଗବେଷଣା କାମକୁ ଚାଲୁ ରଖିବା ପାଇଁ ବିକଳ୍ପ ସ୍ଥାନ ଖୋଜୁଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ।

ପୁସ୍ତକରେ ଲେଖା ଅଛି ବିଜୁ ପଟ୍ଟନାୟକ ହାଲଡେନଙ୍କୁ ଏତେ ଭଲ ପାଉଥିଲେ ଯେ ଭୁବନେଶ୍ୱରରେ ଅନୁବଂଶ ସମ୍ବନ୍ଧିତ ଏକ ନୂଆ ଗବେଷଣାଗାର ପାଇଁ ଜାଗା ଓ ଘର ଦେବା ପାଇଁ ତତ୍‌କ୍ଷଣାତ ରାଜି ହୋଇଯାଇଥିଲେ। ଏଠି ଭୁବନେଶ୍ୱରରେ କୋଲକାତାର ଆଇଏସଆଇ ଭଳି ତାଙ୍କୁ ଅମଲାତାନ୍ତ୍ରିକ ଗତିରୋଧର ସମ୍ମୁଖୀନ ହେବାକୁ ପଡ଼ିନଥିଲା। କାରଣ ବିଜୁ ପଟ୍ଟନାୟକ ଜାଣିଥିଲେ ବିଜ୍ଞାନ ଗବେଷଣା ପାଇଁ କିଭଳି ଅନୁକୂଳ ପରିବେଶ ଆବଶ୍ୟକ। ସବୁ କିଛି ଠିକ୍ ଠାକ ହେବା ପରେ ହାଲଡେନ ଭୁବନେଶ୍ୱରରେ ସ୍ଥାୟୀ ଭାବେ ରହିବାକୁ ଆରମ୍ଭ କରିଥିଲେ।

ହାଲଡେନଙ୍କ ସ୍ମୃତିକୁ ଉଦ୍ଧାର କରି ସୁବ୍ରମନ୍ୟନ ଲେଖିଛନ୍ତି ଭୁବନେଶ୍ୱରକୁ ସେତେବେଳେ ବଗିଚାର ସହର କୁହାଯାଉଥିଲା। ହାଲଡେନଙ୍କ ଘର ବଗିଚାରେ ପ୍ରଚୁର ଅରଖ ଫୁଲ ଫୁଟୁଥିଲା। ଅରଖ ଫୁଲ ଦେଖିବାକୁ ଅତି ଚମତ୍କାର। କ୍ଷୀର ବାହାରୁଥିବା ଓ ବାଇଗଣି ରଙ୍ଗର ଏହି ଫୁଲ ତାରା ଭଳି ପ୍ରତୀୟମାନ ହେଉଥାଏ ବୋଲି ହାଲଡେନ ତାଙ୍କ ଡାଇରିରେ ଲେଖିଥିବା କଥା ପୁସ୍ତକରେ କୁହାଯାଇଛି।

ଏକ ପୁରୁଣା  ଓ ମନ୍ଦିର ମାଳିନୀ ସହର ଉପରେ ନୂଆ ରାଜଧାନୀର ନୂଆ ବସତିକୁ ପ୍ରାଞ୍ଜଳ ଭାବେ ପୁସ୍ତକରେ ବର୍ଣ୍ଣନା କରାଯାଇଛି। ହାଲଡେନ ଭୁବନେଶ୍ଵର ପହଞ୍ଚିବା ବେଳକୁ ଏହା ଥିଲା ଅଧା ଗଢ଼ା ସହର। ତୋଫା ନୂଆ ରାସ୍ତା ଉପରେ ଚଳ ପ୍ରଚଳ ଏତେ ନଥିଲା। ଅଧିକାଂଶ ପ୍ଲଟ ଖାଲି ପଡ଼ିଥିବା ବେଳେ ଯେଉଁ ଘର ସବୁ ନିର୍ମାଣ ସାରିଥିଲା ତାହା ସାଧାରଣ ଜୀବନ ଯାପନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ହାଲଡେନ ଲିପିବଦ୍ଧ କରିଥିବା କଥା ଲେଖକ ଏହି ପୁସ୍ତକରେ କହିଛନ୍ତି।

ହାଲଡେନ ସୁଉଚ୍ଚ ଏକତାଲା ବିଶିଷ୍ଟ ଘରେ ରହୁଥିଲେ। ତାଙ୍କ ଲ୍ୟାବଟି ଘର ପାଖରୁ ମାତ୍ର ମାଇଲିଏ ଦୂରରେ ଥିଲା। ହାଲଡେନ ତାଙ୍କର ଜଣେ ବନ୍ଧୁଙ୍କୁ ଲେଖିଥିଲେ ‘ଫ୍ଲୁରୋସେଣ୍ଟ ଟ୍ୟୁବ ଲାଇଟ, ଫ୍ୟାନ, ହୁଇସ୍କି, ଜିନ ସବୁ ଏଠି ମିଳୁଛି, ଯଦିଓ ଭାରତୀୟ ବ୍ରାଣ୍ଡର।’ ଭୁବନେଶ୍ୱରରେ ରହିବା ସମୟରୁ ହାଲଡେନ କିନ୍ତୁ ଭାଙ୍ଗ ସେବନର  କୁଅଭ୍ୟାସରେ ପଡ଼ି ଯାଇଥିଲେ। ଯେତେବେଳେ ସେ ଭାଙ୍ଗ ଖାଉଥିଲେ ନିଶାରେ ଚୁର ହେଉଥିବା କଥା ସେ ‘କେସ’ ନାମକ ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ।

ଭୁବନେଶ୍ୱର ରହଣି ସମୟରେ ହାଲଡେନଙ୍କ ସମୟ କେମିତି କଟୁଥିଲା ତାର ବିବରଣୀ ମଧ୍ୟ ପୁସ୍ତକରେ ପଢ଼ିବାକୁ ମିଳିବ। ସନ୍ଧ୍ୟାରେ ସେ ଯେତେବେଳେ ତାଙ୍କ ଘର ବାରଣ୍ଡାରେ ବସିଥାନ୍ତି ଶହ ଶହ ଧଳା ବଗ ତାଙ୍କ ଘର ଉପର ଦେଇ ଉଡ଼ି ଯାଉଥାନ୍ତି। ଖାଲି ସେତିକି ନୁହେଁ, ହଳଦିଆ ଥଣ୍ଟ ଥିବା ବଗ ଜାତୀୟ ପକ୍ଷୀ(ଲ୍ୟାପଉଇଙ୍ଗ) ମେଳି ବାନ୍ଧି ସନ୍ଧ୍ୟାରେ ନିଜ ନିଜ ବସାକୁ ଫେରିବା ବିଷୟ ମଧ୍ୟ ହାଲଡେନ ଲେଖିଛନ୍ତି।

ହାଲଡେନ ଲେଖିଛନ୍ତି ଯେ ତାଙ୍କର ଗବେଷଣା ଚାଲିଥିବା ବେଳେ କେହି ତାଙ୍କୁ ପଚାରୁନଥିଲେ  କେତେ ଅର୍ଥ ଖର୍ଚ୍ଚ କଲେ ବା କାହିଁକି କଲେ ଅଥବା ସେ ଲ୍ୟାବକୁ ଆସୁଛନ୍ତି କି ନା  ସେହି ଉପସ୍ଥାନ ତାଙ୍କୁ ଦେବାକୁ ପଡୁନଥିଲା। ତାଙ୍କ ଉପରେ ନା ଅମଲାଙ୍କ ଚାପ ଥିଲା ନା ନାଲିଫିତା କାରବାର। ହାଲଡେନ ଲେଖିଛନ୍ତି ଭୁବନେଶ୍ୱରରେ ସମସ୍ତେ ଥିଲେ ‘ଉଚ୍ଚ ଆଭିଜାତ୍ୟ ସମ୍ପନ୍ନ ଓ ଭଦ୍ରୋଚିତ’। ଭାରତରେ ରହିବା ପରେ ହାଲଡେନ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ହିଁ ଆତ୍ମସନ୍ତୁଷ୍ଟି ଲାଭ କରିଥିଲେ ବୋଲି ସ୍ୱୀକାର କରିଛନ୍ତି। ହାଲଡେନଙ୍କ ମତରେ ‘ଭୁବନେଶ୍ୱର ଥିଲା ମର୍ତ୍ତ୍ୟର ନନ୍ଦନକାନନ।’

ହାଲଡେନଙ୍କ ଏହି  ଜୀବନୀ ପୁସ୍ତକ ‘ଏ ଡ଼ମିନାଣ୍ଟ କ୍ୟାରେକ୍ଟର’କୁ ଆନ୍ତର୍ଜାତିକ ପୁସ୍ତକ ପ୍ରକାଶନ ସଂସ୍ଥା ସିମନ ଓ ସୁଷ୍ଟର ପ୍ରକାଶ କରିଛନ୍ତି।

Comment