ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆସନ୍ତା ୯ ତାରିଖ ଯାଏଁ ବର୍ଷା
  • ୧୦ରୁ ପାଗ ଶୁଖିଲା ରହିବ
  • ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା
  • ଏହି ଜିଲ୍ଲାଗୁଡ଼ିକରେ ୩୦ରୁ ୪୦ କିମି ବେଗରେ ବହିବ ପବନ

ଭିଜିଲା ଓଡ଼ିଶା। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳୁ ସକାଳୁ ଟୁଇନ୍‌ ସିଟି ସମେତ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଏହାସହ ପାଗ କୋହଲା ରହିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁଯାୟୀ, ଶୁକ୍ରବାର ଓ ଶନିବାର ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୯ ତାରିଖ ଯାଏଁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୦ ତାରିଖରୁ ପାଗ ଶୁଖିଲା ରହିବ। ୧୦ ତାରିଖ ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ବର୍ଷା ଲାଗି ରହିବ। ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କୁଆପଥର ପଡ଼ିବାର ସମ୍ଭାବନା ରହିଛି।

ଜଗତସିଂହପୁର, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ।

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡ଼ିରେ ୧୭ ମିମି ବର୍ଷା, ବୌଦ୍ଧରେ ୧୬.୨ ମିମି ବର୍ଷା, ସୋନପୁର ଓ ଫୁଲବାଣୀରେ ୭.୬ ମିମି ବର୍ଷା, କଟକ ଓ ଭବାନୀପାଟଣାରେ ୪.୦ ମିମି ବର୍ଷା ରେକର୍ଡ କରାଯାଇଛି।

Comment