ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଙ୍ଗୁରୁ ଗ୍ରାମ ନିକଟରେ ବୁଧବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକମାନେ ହେଲେ କଲ୍ୟାଣସିଂହପୁର ବ୍ଲକ କୁର୍ଥେଲି ଗ୍ରାମର ବୃନ୍ଦାବନ କରକରିଆ ଓ ସଞ୍ଜୟ କରକରିଆ।

ଏହି ଦୁଇ ଯୁବକ ବୁଧବାର ରାତି ପ୍ରାୟ ୧୧.୩୦ ସମୟରେ ରାୟଗଡ଼ାରୁ ହୋଟେଲ କାମ ସାରି ନିଜ ଗ୍ରାମକୁ ଫେରୁଥିଲେ। ଦୁଇ ଯୁବକ ରାସ୍ତା ଉପରେ ଖରାପ ହୋଇ ପଡ଼ି ରହିଥିବା ଏକ ଟ୍ରାକ୍ଟର ଟ୍ରଲିରେ କୌଣସ ପ୍ରକାର ରେଡିଏମ୍ ମାର୍କ ଦିଆଯାଇନଥିବା ଯୋଗୁଁ ଟ୍ରଲିକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଚାନ୍ଦିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ହେଲେ ଯୁବକଙ୍କ ପରିବାର ଲୋକଙ୍କୁ ନଜଣାଇ ଶବକୁ ଦୁର୍ଘଟଣା ସ୍ଥଳରୁ ଉଠାଇନେବା ଏବଂ କ୍ଷତି ପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ପରିବାର ଲୋକ ଦୁର୍ଘଟଣା ସ୍ଥଳରେ ରାସ୍ତାରୋକ କରିଥିଲେ। ଫଳରେ ଯାତାୟତ ବନ୍ଦ ରହିଥିଲା।

ଅପରପକ୍ଷେ ବୁଧବାର ରାତି ୧୧ ଟା ସମୟରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଆଜି ୧୨ ଟା ହୋଇଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ନହେବାରୁ ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ଆପଳାସ୍ୱାମୀ କାଦ୍ରକାଙ୍କ ନେତୃତ୍ୱରେ ମୃତକଙ୍କ ସମ୍ପର୍କୀୟ ଓ ଗାଁ ଲୋକ ମିଶି କିଛି ସମୟ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଧାରଣାରେ ବସିଥିଲେ। ଚାନ୍ଦିଲି ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ନେବା ପରେ ଧାରଣା ହଟିଥିଲା। ଏହାସହ ଚାନ୍ଦିଲି ପୋଲିସ ଦୁର୍ଘଟଣା ପ୍ରକୃତ କାରଣ ତଦନ୍ତ କରୁଛି।

Comment