ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ପଞ୍ଚାୟତଗୁଡ଼ିକୁ ସରକାର ଅଧିକ ମଜବୁତ କରିବା ପାଇଁ ଯାଉଛନ୍ତି। ଏନେଇ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ନବୀନ ସରକାର ସ୍ଥିର କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧକ୍ଷତାରେ ଗଠିତ କମିଟି ଏଥିପାଇଁ ଅନେକଗୁଡ଼ିଏ ସୁପାରିଶ୍ କରିଥିଲେ।

କମିଟିର ସୁପାରିଶ୍ ଅନୁସାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ସମ୍ପତ୍ତିକୁ ପଞ୍ଚାୟତକୁ ଦେଇ ଦିଆଯିବ। ଏଣିକି ସ୍କୁଲ ଗୃହ ନିର୍ମାଣ ଓ ପରିଚାଳନା କାର୍ଯ୍ୟ ପଞ୍ଚାୟତସ୍ତରରେ କରାଯିବ। ସେହିଭଳି ସରକାରୀ ହାଇସ୍କୁଲର ସ୍ଥାବର ଓ  ଅସ୍ଥାବର ସମ୍ପତ୍ତିକୁ ପଞ୍ଚାୟତ ସମିତିକୁ ହସ୍ତାନ୍ତର କରାଯିବ। ସରକାରୀ ସାହାଯ୍ୟପ୍ରାପ୍ତ ସେକେଣ୍ଡାରି ସ୍କୁଲଗୁଡିକୁ (ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ)ଜିଲ୍ଲା ପରିଷଦ ହାତରେ ଛାଡ଼ି ଦିଆଯିବ। ନୂଆ ସ୍କୁଲ କୋଠାଘର ତିଆରି ଓ ତାହାର ମରାମତି ଏଣିକି ଜିଲ୍ଲା ପରିଷଦ ବୁଝିବ।

ଠିକ ସେହିଭଳି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଉପ-ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ପଞ୍ଚାୟତକୁ ହସ୍ତାନ୍ତର କରାଯିବ। ତେବେ ନୂଆ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଓ ପରିଚାଳନା ପଞ୍ଚାୟତ ସମିତି ହାତରେ ରହିବ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ମାଲିକାନା ବି ପଞ୍ଚାୟତ ସ୍ତରରେ ରହିବ କିନ୍ତୁ ନୂଆ ନିର୍ମାଣ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଇ ପଞ୍ଚାୟତକୁ ହସ୍ତାନ୍ତର କରାଯିବ।

ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ ହସ୍ପିଟାଲର ନୂଆ ନିର୍ମାଣ କାର୍ଯ୍ୟ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କରିବେ ଓ ଏହାର ପରିଚାଳନା ବି ତାଙ୍କ ହାତରେ ରହିବ। ତେବେ ଏଥିପାଇଁ ଜିଲ୍ଲା ପରିଷଦ ଟଙ୍କା ଖର୍ଚ୍ଚ କରିବେ। ପଶୁଧନ କେନ୍ଦ୍ରଗୁଡିକୁ ବି ପଞ୍ଚାୟତକୁ ହସ୍ତାନ୍ତର କରାଯିବ। ତେବେ ନିର୍ମାଣ ଓ ପରିଚାଳନା ଦାୟିତ୍ୱ ପଞ୍ଚାୟତ ସମିତି ହାତରେ ରହିବ।

ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କେନ୍ଦ୍ରଗୁଡିକ ବି ପଞ୍ଚାୟତ ଅଧୀନକୁ ଆସିବେ। ନୂଆ ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ ପଞ୍ଚାୟତ ସମିତି ପକ୍ଷରୁ କରାଯିବ।

Comment