ନୀଳାମ୍ବର ରଥ
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍ର ଶ୍ରଦ୍ଧାଞ୍ଜଳି।
ମଣିଷର ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଏମିତି ଅନେକ ମଣିଷ ଥା’ନ୍ତି, ଯେଉଁମାନେ ମୃତ୍ୟୁ ପରେ ମଧ୍ୟ ଲୋକଙ୍କ ହୃଦୟରେ ‘ମରଣଜୟୀ’ ହୋଇ ରହିଯା’ନ୍ତି। ଓଡ଼ିଶା ରାଜନୀତିର ପ୍ରଜ୍ଞାପୁରୁଷ ବିଜୁ ପଟ୍ଟନାୟକ ଏମିତି ଜଣେ ଟଲ୍ ମ୍ୟାନ୍, ଯେ କି ମୃତ୍ୟୁର ଦୁଇ ଦଶନ୍ଧି ପରେ ମଧ୍ୟ ସେତିକି ଲୋକପ୍ରିୟ, ଚର୍ଚ୍ଚିତ ଏବଂ ଉଚ୍ଚ।
ବିଜୁବାବୁ ଥିଲେ ଜଣେ ଖେଳୁଆଡ଼। ଛାତ୍ର ଜୀବନରୁ ଦୁଃସାହସୀ। ପରେ ସେ ହେଲେ ଜଣେ ଦୁର୍ଦ୍ଧର୍ଷ ପାଇଲଟ। ସ୍ୱାଧୀନ ସଂଗ୍ରାମରେ ଯୋଗଦେଇ ପାଲଟିଲେ ଯୋଦ୍ଧା। ଭାରତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ନିଜକୁ ଜଣେ ‘କିଙ୍ଗ୍ ମେକର’ ଭାବେ ପ୍ରତିଷ୍ଠିତ କରିପାରିଥିଲେ ବିଜୁ ପଟ୍ଟନାୟକ। ତା’ ସାଙ୍ଗକୁ ବିଭିନ୍ନ ଅନ୍ତର୍ଜାତୀୟ ବ୍ୟାପାର କ୍ଷେତ୍ରରେ ସଫଳତାର ସହ ପରିଚାଳନା କରି ସେ ପାଲଟିଥିଲେ ନାସନାଲ ହିରୋ।
ପାଇଲଟ୍, ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା – ମୁଖ୍ୟତଃ ଏହି ତିନି ଭାଗରେ ଚିତ୍ରିତ ବିଜୁବାବୁଙ୍କ ବ୍ୟକ୍ତିତ୍ୱ ବାସ୍ତବରେ ଥିଲା ଉତ୍ତୁଙ୍ଗ ବା ଆକାଶଛୁଆଁ। ଏହି କଥାକୁ ପ୍ରାସଙ୍ଗିକ ଚିତ୍ର ଏବଂ ବିଭିନ୍ନ ଐତିହାସିକ ଦଲିଲ୍ ମାଧ୍ୟମରେ ପ୍ରମାଣ କରେ ସୁନ୍ଦର ଗଣେଶନଙ୍କ ଲିଖିତ ଇଂଲିସ କଫିଟେବୁଲ ବୁକ୍ ‘ଦ ଟଲ୍ ମ୍ୟାନ୍’ (The Tall Man Biju Patnaik)।
ବିଜୁ ପଟ୍ଟନାୟକ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କୁ କେବେ ‘ଭୟ’ ହୁଏତ ଛୁଇଁ ପାରିନଥିଲା। ସେହି ଦୁର୍ଦ୍ଧର୍ଷ, ଦୂରଦ୍ରଷ୍ଟା ଏବଂ ଦରଦୀ ମଣିଷଙ୍କ ଜୀବନର ଅନେକ ଅଜଣା ବା ଅଳ୍ପ-ଜଣା ବିଷୟକୁ ନେଇ ପ୍ରସ୍ତୁତ ଆକର୍ଷଣୀୟ ପ୍ରକାଶନ ‘ଦ ଟଲ୍ ମ୍ୟାନ୍’।
୧୮୦ ପୃଷ୍ଠାର ଏହି ଅନ୍ତର୍ଜାତୀୟ ମାନର ବହିରେ ବିଜୁବାବୁଙ୍କ କର୍ମମୟ ଜୀବନ ଓ ଦୁଃସାହସିକ କାର୍ଯ୍ୟକୁ ୧୩ଟି ଅଧ୍ୟାୟରେ ଉପସ୍ଥାପନ କରାଯାଇଛି। ତା’ ମଧ୍ୟରେ ରହିଛି ବିଜୁବାବୁଙ୍କ ପିଲାଦିନ ଓ ଛାତ୍ର ଜୀବନ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପାଇଲଟ ବିଜୁଙ୍କ ବର୍ମା ଓ ଋଷୀୟ ମିସନ୍, ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ, ଦୁଃସାହସିକ ଇଣ୍ଡୋନେସିଆ ଅଭିଯାନ, କାଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳରେ ଯୁଦ୍ଧ ପରିସ୍ଥିତି ବେଳେ ବିଜୁ ଓ ତାଙ୍କ କଳିଙ୍ଗ ଏୟାରଲାଇନ୍ସର ଭୂମିକା, ୟୁନେସ୍କୋ-କଳିଙ୍ଗ ପୁରସ୍କାର ପ୍ରତିଷ୍ଠା, ଓଡ଼ିଶାର ନବନିର୍ମାଣ, ଜରୁରୀକାଳୀନ ପରିସ୍ଥିତି ଏବଂ ତା’ର ପରବର୍ତ୍ତୀ ଜାତୀୟ ରାଜନୀତିରେ ବିଜୁବାବୁଙ୍କ ଭୂମିକା, କଳିଙ୍ଗ ବାଲିଯାତ୍ରାର ସ୍ମୃତି କାର୍ଯ୍ୟକ୍ରମ ଏବଂ ବିଜୁଲିଗାସି ପ୍ରଭୃତି। ଏହି ବହିରେ ପ୍ରତ୍ୟେକ ବିଷୟକୁ ଐତିହାସିକ ଦୃଷ୍ଟିକୋଣରୁ ପରଖି ଏବଂ ମୂଳ ଘଟଣା ସହିତ ଚିତ୍ର ଓ ଐତିହାସିକ କାଗଜପତ୍ର ସଂଯୋଗକରି ଏକ ପ୍ରାମାଣିକ ଢଙ୍ଗରେ ଉପସ୍ଥାପନ କରାଯାଇଛି।
ବିଚକ୍ଷଣ ପାଇଲଟ୍ ବିଜୟାନନ୍ଦ
ବିଜୟାନନ୍ଦ ଓରଫ ବିଜୁଙ୍କ ମନରେ ଆକାଶରେ ଉଡ଼ିବାର ଇଛା ପିଲାଦିନରୁ ହିଁ ସୃଷ୍ଟି ହୋଇଥିଲା। ଏ ବାବଦରେ ତାଙ୍କୁ ଉତ୍ସାହିତ କରିଥିଲେ ତାଙ୍କ ବାପାଙ୍କ ସାଙ୍ଗ ଅମର ଦେ।
ବିବୁବାବୁ ରେଭେନ୍ସା କଲେଜରେ ବିଏସସି ପଢୁଥିବା ବେଳେ ପାଇଲଟ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ କଟକ ଛାଡ଼ି ଦିଲ୍ଲୀ ଗଲେ। ସେଠାରେ ସେ ପାଇଲଟ୍ ଟ୍ରେନିଂ ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବ୍ ଏବଂ ଏରୋନଟିକାଲ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଯୋଗଦେଲେ।
ପାଇଲଟ ତାଲିମ ପରେ ଏ ବାବଦରେ ବିଧିବଦ୍ଧ ଲାଇସେନ୍ସ ହାସଲକରି ଯୁବକ ବିଜୁ ଇଣ୍ଡିଆନ ନାସନାଲ ଏୟାରୱେଜ୍ରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ସେ ବର୍ମା ଏବଂ ଋଷୀୟ ମିସନ ଭଳି ଦୁଃସାହସିକ ଅଭିଯାନକୁ ସଫଳତାର ରୂପ ଦେଇପାରିଥିଲେ। ବିଚକ୍ଷଣ ପାଇଲଟ ବିଜୁଙ୍କୁ ଏଥିପାଇଁ ପରବର୍ତ୍ତୀ ସମୟରେ ବର୍ମା ଓ ଋଷ୍ ସରକାର ମେଡାଲ ଦେଇ ସମ୍ମାନିତ କରିଥିଲେ।
ଇଣ୍ଡିଆନ ନେସନାଲ ଏୟାରୱେଜ୍ ପରେ ବିଜୁ ଡାଲମିଆ ଏୟାରଲାଇନ୍ସରେ ମଧ୍ୟ କିଛିଦିନ ପାଇଁ ପାଇଲଟ ଭାବେ କାମ କରିଥିଲେ। ତେବେ ୧୯୪୬ ମସିହା ବେଳକୁ ସେ ‘କଳିଙ୍ଗ ଏୟାରଲାଇନ୍ସ’ ନାଁରେ ଭାରତର ପ୍ରଥମ ପଣ୍ୟବାହୀ ବିମାନ କମ୍ପାନି ପ୍ରତିଷ୍ଠା କରି ଦେଶବିଦେଶରେ ନାଁ କମେଇଥିଲେ। ‘ଦ ଟଲ୍ ମ୍ୟାନ୍’ ପୁସ୍ତକରେ ପାଠକମାନେ ତରୁଣ ପାଇଲଟ ବିଜୁଙ୍କ ସେ ସମୟର ଫଟୋ, ଇଣ୍ଡିଆନ ନେସନାଲ ଏୟାରୱେଜ୍ ଏବଂ କଳିଙ୍ଗ ଏୟାରଲାଇନ୍ସର ଫଟୋ ସହ ବର୍ମା ଏବଂ ଋଷ୍ ସରକାର ତାଙ୍କୁ ଦେଇଥିବା ପ୍ରଶଂସାପତ୍ର ଓ ମେଡାଲ୍ ଦେଖିବାକୁ ପାଇବେ।
ଇଣ୍ଡୋନେସିଆର ଭୂମିପୂତ୍ର
“ଓଡ଼ିଶା ଏମଏଲ୍ଏ ଫ୍ଲାଇଜ୍ ଡକ୍ଟର ସାହରିଅର ଆଉଟ୍ ଅଫ୍ ଇଣ୍ଡୋନେସିଆ” – ୨୩ ଜୁଲାଇ ୧୯୪୭, ବୁଧବାର ପ୍ରକାଶିତ ଦେଶର ଏକ ଆଗଧାଡ଼ିର ଇଂଲିସ ଖବରକାଗଜର ଏହା ଥିଲା ପ୍ରଥମ ପୃଷ୍ଠାର ପ୍ରଥମ ଖବର। ଓଡ଼ିଶାର ଏହି ବିଧାୟକ ଥିଲେ ପାଇଲଟ ଓ ରାଜନେତା ବିଜୁ ପଟ୍ଟନାୟକ। ବିଜୁବାବୁ ନିଜ କମ୍ପାନିର ଡାକୋଟା ବିମାନ ଚଳାଇ, ସାଥିରେ କୋ-ପାଇଲଟ୍ ପତ୍ନୀ ଜ୍ଞାନଙ୍କୁ ନେଇ ଇଣ୍ଡୋନେସିଆ ମାଟିରେ ଯେଉଁ ଦୁଃସାହସିକତାର ପରିଚୟ ଦେଇଥିଲେ, ତା’ର ପ୍ରତିଦାନରେ ବିଜୁଙ୍କୁ ସେ ଦେଶ ତା’ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ବିନ୍ଟଙ୍ଗ ଯଶ ଉତ୍ତମ’ ପ୍ରଦାନକରି ଏକ ପ୍ରକାର ଋଣ ପରିଶୋଧ କରିଥିଲା। ଦୁର୍ଦ୍ଧର୍ଷ ଡଚ୍ ବାହିନୀର ଗୁଳିଗୋଳା ମୁହଁରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କୁ ନୂଆଦିଲ୍ଲୀ ଉଡ଼ାଇଆଣି ବିଜୁ ପଟ୍ଟନାୟକ ପାଲଟିଥିଲେ ଆକାଶପଥର ହିରୋ।
ଏହି ଘଟଣା ସମ୍ପର୍କରେ ‘ଦ ଟଲ ମ୍ୟାନ’ ପୁସ୍ତକରେ ଅନେକ ବିରଳ ଫଟୋ ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖବରକାଗଜର କ୍ଲିପିଙ୍ଗସ୍ ରହିଛି। ଘଟଣା ପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜୁଲାଇ ୨୮ ତାରିଖରେ ବିଜୁଙ୍କୁ ମିଡିଆରେ ପ୍ରଶଂସା କରିଥିଲେ: “ମୁଁ ସେହି ଦୁଃସାହସୀ ଭାରତୀୟ ଏୟାରମ୍ୟାନଙ୍କୁ ପ୍ରଶଂସା କରୁଛି ଏବଂ କୃତଜ୍ଞତା ଜଣାଉଛି ଯେ ଡକ୍ଟର ସାହରିଅରଙ୍କୁ ଦିଲ୍ଲୀ ଆଣିପାରିଲେ। ସେ ଆମମାନଙ୍କ ଗହଣରେ ବେଶ କିଛି ବର୍ଷ ଧରି କେବଳ ତାଙ୍କର ବିଚକ୍ଷଣ ବିମାନଚାଳନା ପାଇଁ ପରିଚିତ ନୁହଁନ୍ତି, ବରଂ ତାଙ୍କର ଦୁଃସାହସୀ କାର୍ଯ୍ୟ ପାଇଁ ଲୋକପ୍ରିୟ।”
ବିଜୁବାବୁଙ୍କ ବିଜ୍ଞାନ ଚିନ୍ତା
ଆଜି ସାରା ପୃଥିବୀ ଆଲଫ୍ରଡ ନୋବେଲଙ୍କୁ ମନେପକାଉଛି ତାଙ୍କର ଅମର କାର୍ଯ୍ୟ ନୋବେଲ ପୁରସ୍କାର ପ୍ରଚଳନ ପାଇଁ। ବିଜ୍ଞାନ ଓ ଗବେଷଣାର ବିଭିନ୍ନ କ୍ଷେତ୍ରରେ ଅଭିନବ ଉଦ୍ଭାବନ ଏବଂ ଅନ୍ତର୍ଜାତୀୟ ବିଚକ୍ଷଣତା ପାଇଁ ଏହି ପୁରସ୍କାର ଦିଆଯାଉଛି। ଆଜି ପ୍ରତ୍ୟେକ ଭାରତୀୟ ଜାଣିଲେ ଗର୍ବିତ ହେବେ ଯେ ୧୯୫୧ ମସିହାରେ ଓଡ଼ିଶାରେ ରହି ବିଜୁ ପଟ୍ଟନାୟକ ବିଜ୍ଞାନର ଲୋକପ୍ରିୟତାକୁ ପ୍ରୋତ୍ସାହନ ଦେବାକୁ ଯାଇ ଆରମ୍ଭ କରିଥିଲେ କଳିଙ୍ଗ ପୁରସ୍କାର। ୟୁନେସ୍କୋ ସହାୟତାରେ ଆୟୋଜିତ ଏହି ପୁରସ୍କାର ସେ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ମାନ ହିସାବରେ ପରିଚିତ ହୋଇଥିଲା।
ବିଜୁ ପଟ୍ଟନାୟକ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଗଠନକରି ଏଥିପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିଥିଲେ। ଏହା ହେଉଛି ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଭାରତରୁ ଦିଆଯାଉଥିବା ପ୍ରଥମ ଅନ୍ତର୍ଜାତୀୟ ପୁରସ୍କାର। ଏହି ବାର୍ଷିକ ପୁରସ୍କାରର ଆଭିମୁଖ୍ୟ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆସୁଥିବା ନୂଆ ନୂଆ ଦିଗକୁ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ କରିବା ପାଇଁ ଉଦ୍ୟମ କରୁଥିବା ଲେଖକ, ସମ୍ପାଦକ, ରେଡିଓ ଓ ଟେଲିଭିଜନ ନିର୍ଦ୍ଦେଶକଙ୍କୁ ପୁରସ୍କୃତ କରିବା।
ୟୁନେସ୍କୋର ମହାନିର୍ଦ୍ଦେଶକଙ୍କ ପକ୍ଷରୁ ନିଯୁକ୍ତ ୪ ଜଣିଆ ଅନ୍ତର୍ଜାତୀୟ ବିଚାରକମଣ୍ଡଳୀଙ୍କ ମନୋନୟନ ଆଧାରରେ ପ୍ରତିବର୍ଷ ଅନ୍ତର୍ଜାତୀୟ ବିଜ୍ଞାନ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଏ। କଳିଙ୍ଗ ପୁରସ୍କାର ସହିତ ୟୁନେସ୍କୋ ମଧ୍ୟ ବିଜେତାଙ୍କୁ ଆଲବର୍ଟ ଆଇନଷ୍ଟାଇନ ରୌପ୍ୟ ମେଡାଲ ପ୍ରଦାନ କରିଥାଏ।
୧୯୫୨ ମସିହାରୁ ପ୍ରଦାନ ହୋଇ ଆସୁଥିବା କଳିଙ୍ଗ ପୁରସ୍କାର ପ୍ରାୟ ୫୦ଟି ଦେଶର ବିଜେତାଙ୍କୁ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଡେଭିଡ ସୁଜୁକି, ବର୍ଟାଣ୍ଡ ରସେଲ୍ ଓ ଆର୍ଥର ସିକ୍ଲାର୍କ୍। ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଚଳନକରି ବିଜୁବାବୁ ପ୍ରମାଣିତ କରିଥିଲେ ଯେ ସେ ତାଙ୍କ ସମୟଠାରୁ ଢେର ଆଗକୁ ଚିନ୍ତା କରୁଥିଲେ।
ଓଡ଼ିଶାର ନବନିର୍ମାଣ ଓ ବିଜୁ
୧୯୬୧ ମସିହାରେ ବିଜୁବାବୁ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୌକିରେ ବସିଲେ। ସେହି ପାଳିରେ ସେ ମାତ୍ର ୩ ବର୍ଷ ପାଇଁ ଶାସନ କ୍ଷମତାରେ ଥିଲେ ମଧ୍ୟ ରାଜ୍ୟରେ ଏକ ଶିଳ୍ପସମୃଦ୍ଧ ବାତାବରଣର ମୂଳଦୁଆ ପକାଇ ପାରିଥିଲେ। ପାରାଦୀପ ବନ୍ଦର ପ୍ରତିଷ୍ଠା ହେଉ କି ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ – ଏସବୁ ଥିଲା ତାଙ୍କ ବଡ଼ ବଡ଼ ସ୍ୱପ୍ନର ଗୋଟିଏ ଗୋଟିଏ ଫଳ।
ଜାତୀୟ ଅଣ-କଂଗ୍ରେସ ରାଜନୀତିରେ ବିଜୁ ପଟ୍ଟନାୟକ ଥିଲେ ଜଣେ ତୁଙ୍ଗନେତା। ଜରୁରୀକାଳୀନ ପରିସ୍ଥିତି ପରେ ଯେତେବେଳେ ଇନ୍ଦିରାଙ୍କ ଶାସନରେ ସାନ୍ଧ୍ୟକାଳ ଆସିଲା, ସେତେବେଳେ ଶାସନକୁ ଆସିଲେ ନୂଆ ଜନତା ଶକ୍ତି। ଏହି ଜନତା ପରିବାରର ଅନ୍ୟତମ ମଙ୍ଗୁଆଳ ଥିଲେ ବିଜୁ। ୧୯୭୭ ସରକାରରେ ସେ ମନ୍ତ୍ରୀ ରହିଲେ। ପରବର୍ତ୍ତୀ ସମୟରେ ସେ ଆଉଥରେ ମନ୍ତ୍ରୀ ମଧ୍ୟ ହେଲେ।
ବିଜୁବାବୁ ଜଣେ ଜାତୀୟ ନେତା ଥିଲେ ମଧ୍ୟ ଓଡ଼ିଶା ଥିଲା ତାଙ୍କ ସ୍ୱପ୍ନର ପ୍ରୟୋଗଶାଳା। ସେ କାହିଁକି ଓଡ଼ିଶା ଭିତରେ ନିଜକୁ ସୀମିତ କରି ରଖିଲେ, ତାଙ୍କୁ ଅନେକ ସମୟରେ ସାମ୍ବାଦିକଙ୍କ ଏହି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କାରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ ଉତ୍ତରାଧିକାରୀ ଭାବେ ଯେଉଁ କେତେଜଣଙ୍କ ନାଁ ସେତେବେଳେ ଜୋରଦାର ଚର୍ଚ୍ଚା ହେଉଥିଲା, ତା’ ମଧ୍ୟରେ ଥିଲେ ବିଜୁ ପଟ୍ଟନାୟକ।
“ମୁଁ ଓଡ଼ିଶାରେ ରହିଗଲି, କାରଣ ପୃଥିବୀର ସବୁ ଧନସମ୍ପଦ ଦଇବ ଦେଇଛି ଆମକୁ। ହେଲେ ଓଡ଼ିଶାରେ ଦାରିଦ୍ର୍ୟର ମଧ୍ୟ ସୀମା ନାହିଁ। ଏହାର କିଛି ଗୋଟେ ସମାଧାନ କରିବା ପାଇଁ ମୁଁ ଓଡ଼ିଶାରେ ରହିଗଲି” – ଥରେ ଟେଲିଭିଜନ କ୍ୟାମେରାରେ ନିଜ ମନକଥା ଖୋଲି କହିଥିଲେ ବିଜୁ।
‘ଦ ଟଲ୍ ମ୍ୟାନ୍’ କଫିଟେବୁଲ୍ ବୁକ୍ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଜୀବନର ଉତ୍ଥାନ ପତନକୁ ନେଇ ଯେଉଁ କଥାଗୁଡ଼ିକ ଅତି ସ୍ପଷ୍ଟ ଭାବରେ କହେ, ତାହା ହେଉଛି, ରାଜନୀତିର ଊର୍ଦ୍ଧ୍ୱରେ ରହି ବିଜୁ ପଟ୍ଟନାୟକ ଓଡ଼ିଶାର ଏବଂ ଭାରତର ବିକାଶ ପାଇଁ ସ୍ୱପ୍ନ ଦେଖୁଥିଲେ। ବିଜୁବାବୁଙ୍କ ଦୂରଦୃଷ୍ଟି ଏବଂ ନେତୃତ୍ୱର ବିଚକ୍ଷଣତା ଏହି ମହାନ ନେତାଙ୍କୁ ତାଙ୍କ ସମସାମୟିକ ରାଜନେତାମାନଙ୍କଠାରୁ ନିଆରା କରି ଠିଆ କରିଥିଲା।
ବହୁ ବିରଳ ଫଟୋ ଓ ଡକ୍ୟୁମେଣ୍ଟର ସମାହାର
‘ଦ ଟଲ୍ ମ୍ୟାନ୍’ ଏକ ଗବେଷଣାଭିତ୍ତିକ ପ୍ରକାଶନ। ଏଥିରେ ବିଜୁବାବୁଙ୍କ ବିଭିନ୍ନ ସମୟର ବହୁ ବିରଳ ଫଟୋ ପ୍ରକାଶିତ ହୋଇଛି। ସେହିପରି ବିଜୁବାବୁଙ୍କ ଜୀବନ ଓ ଦୁଃସାହସିକ କାର୍ଯ୍ୟ ସମ୍ପର୍କରେ ଅନେକ ଐତିହାସିକ ଦଲିଲ ବା କାଗଜପତ୍ର ଏଥିରେ ଦେଖିବାକୁ ମିଳେ।
ନିଜର ବିମାନ କମ୍ପାନି କଳିଙ୍ଗ ଏୟାରଲାଇନ୍ସର ଡାକୋଟା ଡିସି-୩ ଉଡ଼ାଇ ବିଜୁ ପଟ୍ଟନାୟକ ଦେଖାଇଥିଲେ ଅନେକ ଦୁଃସାହସିକ କାର୍ଯ୍ୟ। ତେବେ ଇଣ୍ଡୋନେସିଆ ମାଟିରେ ନିଜ ବିମାନ ସହ ବିଜୁବାବୁଙ୍କ ଫଟୋ ସାଧାରଣରେ ଦେଖିବାକୁ ମିଳେନାହିଁ। ଇଣ୍ଡୋନେସିଆର ନାସନାଲ ଲାଇବ୍ରେରି ସୌଜନ୍ୟରୁ ଏହି ଫଟୋ ସଂଗ୍ରହକରି ବହିରେ ଛପାଯାଇଛି। ସେହିପରି ବିଜୁବାବୁଙ୍କ ପାଇଲଟ ଲାଇସେନ୍ସ, ବିଭିନ୍ନ ସମୟରେ ତାଙ୍କୁ ମିଳିଥିବା ପ୍ରଶଂସାପତ୍ର ଓ ମେଡାଲ ଏବଂ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ରର ଛବି ଏ ବହିରେ ଦେଖିବାକୁ ମିଳେ।
ନେତାଙ୍କ ଭିତରେ ନେତା
ବିଜୁବାବୁ ବାସ୍ତବରେ ଥିଲେ ନେତାଙ୍କ ଭିତରେ ନେତା। ଅସାଧାରଣ ଭାବେ ସାଧାରଣ। ତାଙ୍କ ବ୍ୟକ୍ତିତ୍ୱର ବିବିଧତା ତାଙ୍କୁ କରିପାରିଛି ଏକ ଜାତୀୟ ଓ ଅନ୍ତର୍ଜାତୀୟ ଆଇକନ୍। ଜାତୀୟ ସ୍ତରର ନେତାମାନଙ୍କ ସହିତ ବିଜୁବାବୁଙ୍କର ଥିଲା ଘନିଷ୍ଠ ସମ୍ପର୍କ। ଏହି ପୁସ୍ତକରେ ଜବାହରଲାଲ ନେହରୁ, ମୋରାର୍ଜୀ ଦେଶାଇ, ଚରଣ ସିଂ, ଏସ ଆର ବୋମାଇ, ଚନ୍ଦ୍ରଶେଖର, ଏଚ୍ ଡି ଦେବେଗୌଡ଼ା, ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ, କାମରାଜ ନାଦର, ଏମ୍ ଜି ରାମଚନ୍ଦ୍ରନ, ଏମ୍ କରୁଣାନିଧି, ଳାଲୁପ୍ରସାଦ ଯାଦବ, ଏଲ୍ କେ ଆଡଭାନୀ, ଏନ୍ ଟି ରାମାରାଓ, ଜୟଲଳିତା ଏବଂ ପ୍ରଣବ ମୁଖାର୍ଜୀ ପ୍ରମୁଖଙ୍କ ସହିତ ତାଙ୍କର ବିଭିନ୍ନ ସମୟର ଫଟୋ ଏହି ଦିଗକୁ ସ୍ପଷ୍ଟ କରିଦିଏ।
ବିଜୁ ପଟ୍ଟନାୟକ ଥିଲେ କଳିଙ୍ଗର ପୂଜକ। ଖାରବେଳଙ୍କର ଉତ୍ତରଦାୟଦ। ଓଡ଼ିଆ ସ୍ୱାଭିମାନର କଠୋରପନ୍ଥୀ ମଣିଷ। ସେ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ପାରାଦୀପରୁ ଇଣ୍ଡୋନେସିଆର ବାଲି ପର୍ଯ୍ୟନ୍ତ ସମୁଦ୍ରପଥରେ ପଠାଇଥିଲେ ଏକ ପାଲଟଣା ବୋଇତ।
ଧର୍ମପତ୍ନୀ ଜ୍ଞାନ ଥିଲେ କୋ-ପାଇଲଟ୍
ଜ୍ଞାନ ପଟ୍ଟନାୟକ ଥିଲେ ବିଜୁବାବୁଙ୍କ ପତ୍ନୀ ଓ ଜୀବନର ଅନ୍ୟତମ ପ୍ରେରଣା। ତେବେ ଅନେକ ଲୋକ ହୁଏତ ଜାଣିନଥିବେ ଯେ ଜ୍ଞାନ ଏକ ସମୟରେ ଥିଲେ ବିଜୁବାବୁଙ୍କ କୋ-ପାଇଲଟ୍। ବିଜୁ ପଟ୍ଟନାୟକଙ୍କ ରୋମାଞ୍ଚକର ଇଣ୍ଡୋନେସିଆ ମିସନ ବେଳେ କୋ-ପାଇଲଟ୍ ସିଟ୍ରେ ବସିଥିଲେ ଜ୍ଞାନ।
ଜ୍ଞାନ ପଟ୍ଟନାୟକଙ୍କ ମୂଳ ନାଁ ଥିଲା ଜ୍ଞାନବତୀ ସେଠୀ। ତାଙ୍କ ମୂଳ ବାସସ୍ଥାନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡି ଅଞ୍ଚଳରେ। ବିଜୁବାବୁଙ୍କ ସହ ଜ୍ଞାନଙ୍କ ବିବାହ ହୋଇଥିଲା ୧୯୩୯ ମସିହାରେ। ଭିନ୍ନ ମଣିଷ ବିଜୁ ତାଙ୍କ ବାହାଘର ବେଳେ ବରଯାତ୍ରୀଙ୍କୁ ନେବା ପାଇଁ ଗୁଡ଼ାଏ ବିମାନ ବ୍ୟବହାର କରିଥିଲେ। ଏକଥାକୁ ନେଇ ଆଜି ବି ବେଶ୍ ଚର୍ଚ୍ଚା ହୁଏ।
ଏହି ପୁସ୍ତକରେ ବିଜୁ ଓ ଜ୍ଞାନଙ୍କ ତରୁଣ ଓ ପରିଣତ ବୟସର ଅନେକ ଫଟୋ ପ୍ରକାଶିତ ହୋଇଛି। ତା’ ସହିତ ପରିବାରର ଅନ୍ୟ ସଦସ୍ୟଙ୍କୁ ନେଇ ବିଭିନ୍ନ ଫ୍ୟାମିଲି ଫଟୋ ମଧ୍ୟ ‘ଦ ଟଲ୍ ମ୍ୟାନ୍’ ପୁସ୍ତକର ଅନ୍ୟତମ ଆକର୍ଷଣ।
ବିଜୁ ପଟ୍ଟନାୟକ ଦିନେ ଯେଉଁ ଲିଗାସି ତିଆରି କରିଯାଇଥିଲେ, ଆଜି ତାଙ୍କ ପୁଅ ନବୀନ ପଟ୍ଟନାୟକ ସେହି ଲିଗାସିକୁ ଆଗକୁ ନେବା ପାଇଁ ସୁଯୋଗ ପାଇଛନ୍ତି। ‘ଦ ଟଲ୍ ମ୍ୟାନ୍’ ପୁସ୍ତକରେ ପୁଅ ନବୀନଙ୍କ ସହ ବିଜୁଙ୍କର ଏକ ବିରଳ ଫଟୋ ସ୍ଥାନିତ ହୋଇଛି।
“ଜଗନ୍ନାଥଙ୍କ ଛଡ଼ା କୌଣସି ଦ୍ୱିତୀୟ ନେତା ନାହାନ୍ତି” – ବିଜୁବାବୁଙ୍କ ଏହି ସଂକ୍ଷିପ୍ତ ତଥା ପ୍ରଭାବଶାଳୀ ଚିନ୍ତନ ସହ ଶେଷ ହୋଇଛି ‘ଦ ଟଲ୍ ମ୍ୟାନ୍’ ପୁସ୍ତକର ଉପସ୍ଥାପନା।
ବିଜୁ ପଟ୍ଟନାୟକ ଆଜି ଆମ ଗହଣରେ ନାହାନ୍ତି| କିନ୍ତୁ ତାଙ୍କ ସ୍ମୃତି ତାଙ୍କ ବ୍ୟକ୍ତିତ୍ୱକୁ ଏମିତି ଏକ ଉଚ୍ଚତାକୁ ନେଇଯାଇଛି, ଆଜି ହୁଏତ କୁହାଯାଇପାରେ – ‘ଦ ଟଲ୍ ମ୍ୟାନ୍’ର ମୃତ୍ୟୁ ନାହିଁ!
ଅତି ସଂକ୍ଷେପରେ କହିବାକୁ ଗଲେ: ‘ଦ ଟଲ୍ ମ୍ୟାନ୍’ – ସୁଦୃଶ, ସଂଗ୍ରହଣୀୟ, ସ୍ମରଣୀୟ!
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ)