ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁନାହିଁ। କାରଣ କୋରୋନା ଭାଇରସ ପାଇଁ କେଉଁଠି ନା କେଉଁଠି ଆତଙ୍କିତ ଅଛନ୍ତି ଲୋକେ। କୋରୋନା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ହୋଲି ପାଳିବେନି ବୋଲି ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ହୋଲି ପାଳିବେନି ବୋଲି ଘୋଷଣା କରିଛନ୍ତି। ଏଥିସହିତ କୋରୋନା ପାଇଁ ସତର୍କ ସହ ହୋଲି ପାଳିବାକୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗ ଜାରି କରିଛି ଆଡଭାଇଜରି

ଲୋକେ ହୋଲି କେମିତି ଖେଳିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ମଧ୍ୟ ଜାରି କରାଯାଇଛି। କୋରୋନା ଭାଇରସ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ବହୁ ସଂଖ୍ୟାରେ ଏକତ୍ର ହୋଇ ହୋଲି ଖେଳନ୍ତୁ ନାହିଁ। ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ, ପରସ୍ପରକୁ ଆଲିଙ୍ଗନ କରନ୍ତୁ ନାହିଁ, ମୁହଁରେ ରଙ୍ଗ ଲଗାନ୍ତୁ ନାହିଁ। ହୋଲି ପାଇଁ ଏହିଭଳି ପରାମର୍ଶ ଦିଆଯାଇଛି। ଏତେ ସବୁ କଟକଣା ମଧ୍ୟରେ ହୋଲିର ମଜା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ରଙ୍ଗର ବଜାର ମଧ୍ୟ ମାନ୍ଦା

କୋରୋନା ଭାଇରସ୍‌ ପ୍ରଭାବ ହୋଲି ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଏଥର ହୋଲିକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଡିସେମ୍ବର ମାସରୁ ଚୀନରୁ ଆସୁଥିବା ରଙ୍ଗ ଅବିର ଓ ପିଚିକାରୀ କିଣିଥିଲେ। ତେବେ  ଲୋକେ ଚୀନରୁ ଆସିଥିବା ଏହି ରଙ୍ଗ ଅବିର ଓ ପିଚିକାରୀ କିଣିବାକୁ ମୁହଁ ଫେରାଉଥିବା ଦେଖିବାକୁ ମିଳୁଛି। ଏଥର ବଜାରରେ ହୋଲି ରଙ୍ଗ ପରିବର୍ତ୍ତେ ସାନିଟାଇଜର ଜିନିଷ ଚହିଦା ଅଧିକ ରହିଛି।

 ରଦ୍ଦ ହେଉଛି ହୋଲି ମିଳନ ପର୍ବ

 କୋରୋନା ଭାଇରସ ଭୟାବହତା ହୋଲି ମିଳନ ପର୍ବରେ ବି ଦେଖା ଦେଇଛି। ବିଭିନ୍ନ ସ୍ଥାନରେ ହୋଲିକୁ ନେଇ ହେବାକୁ ଥିବା ମିଳନ ପର୍ବ ରଦ୍ଦ କରାଯାଉଛି। ମିଳନ ପର୍ବ ପାଇଁ ବିଭିନ୍ନ ସ୍ଥାନ ବୁକିଂ କରାଯାଇଥିଲା। ଏହି ସବୁ ସ୍ଥାନର ବୁକିଂକୁ ବନ୍ଦ କରି ଦିଆଯାଇଛି।

Comment