ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଅଛି କି? ଯଦି ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ଏସବିଆଇ ତାର ଗ୍ରାହକମାନଙ୍କ ପାଇଁ କିଛି ନୂଆ ନିୟମ ଆଣିଛି। ଏହି ନିୟମ ଫଳରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରାୟ ୪୪ କୋଟି ଲୋକ ଉପକୃତ ହୋଇପାରିବେ।

 

ମିନିମମ୍ ବାଲାନ୍ସ ନରହିଲେ ଆଉ କଟିବନି ଟଙ୍କା

ଏଣିକି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ରହିଥିବା ମିନିମମ୍ ବାଲାନ୍ସ ଚାର୍ଜକୁ ବ୍ୟାଙ୍କ ଉଠାଇଦେଇଛି। ଫଳରେ ଆପଣ ଏଣିକି ଆପଣଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ନରଖିଲେ ମଧ୍ୟ ଆପଣଙ୍କ ଆକାଉଣ୍ଟରୁ କୌଣସି ଟଙ୍କା କଟିବନି।

ପୂର୍ବରୁ ଏସବିଆଇରେ ଗ୍ରାହକମାନଙ୍କୁ ମିନିମମ୍ ବାଲାନ୍ସ ରଖିବାକୁ ବାଧ୍ୟ କରାଯାଉଥିଲା। ଏହା ନହେଲେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କାଟିଦିଆଯାଉଥିଲା।

ଲୋନ୍ ହେବ ଶସ୍ତା

ଏସବିଆଇ ମାର୍ଜିନାଲ୍ କାଷ୍ଟ୍ ଅଫ୍ ଫଣ୍ଡ୍ ଲିଣ୍ଡରିଙ୍ଗ୍ ରେଟ୍ (ଏମସିଏଲଆର)କୁ ମଧ୍ୟ କମ କରିଦେଇଛି। ଏହା ଫଳରେ ଏବେ ଏସବିଆଇ ଗ୍ରାହକମାନଙ୍କୁ ବ୍ୟକ୍ତିଗତ ଋଣ କିମ୍ବା ଗୃହ ଋଣ ନେବା ଶସ୍ତା ହୋଇଯିବ।

SMS ଚାର୍ଜ ଉଠିଲା

ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ ମୋବାଇଲକୁ ଯେଉଁ ଏସ୍ଏମ୍ଏସ୍ ଆସୁଥିଲା ସେଥିପାଇଁ ଗ୍ରାହକମାନଙ୍କୁ ଟଙ୍କା ଦେବାକୁ ପଡୁଥିଲା। ହେଲେ ଷ୍ଟେଟ୍ ବ୍ୟାଙ୍କ ଏବେ ଏହାକୁ ଉଠାଇଦେଇଛି। ଏଣିକି ଲୋକମାନଙ୍କୁ ଷ୍ଟେଟ୍ ବ୍ୟାଙ୍କ ମାଗଣାରେ ଏସ୍ଏମ୍ଏସ୍ ସୁବିଧା ଯୋଗାଇଦେବ।

ସଞ୍ଚୟ ଖାତାଧାରୀଙ୍କୁ ଝଟକା

ଏସବିଆଇର ନୂଆ ନିୟମରେ ସଞ୍ଚୟ ଖାତାଧାରୀଙ୍କୁ ବଡ଼ ଝଟକା ଲାଗିଛି। ଏକ ଲକ୍ଷ ଟଙ୍କାରୁ କମ୍ ସଞ୍ଚୟ ଉପରେ ମିଳୁଥିବା ସୁଧକୁ ବ୍ୟାଙ୍କ୍ ୩.୨୫ ପ୍ରତିଶତରୁ କମାଇ ୩ ପ୍ରତିଶତ କରିଦେଇଛି। ଏହାଫଳରେ ଏଣିକି ଲୋକମାନେ ପୂର୍ବ ଅପେକ୍ଷା କମ୍ ସୁଧ ପାଇବେ।

ଫିକ୍ସ ଡିପୋଜିଟ୍ ଉପରେ ସୁଧହାର କମିଲା

ଷ୍ଟେଟ୍ ବ୍ୟାଙ୍କ ଏଥିସହିତ ବିଭିନ୍ନ ପ୍ରକାର ମାଚୁରିଟି ପ୍ଲାନର ସୁଧହାର ମଧ୍ୟ କମାଇ ଦେଇଛି। ପୂର୍ବରୁ ୭ରୁ ୪୫ ଦିନ ମଧ୍ୟରେ ମାଚୁରିଟି ହେଉଥିବା ଫିକ୍ସ୍ ଡିପୋଜିଟ (ଦୁଇ କୋଟିରୁ କମ୍) ଉପରେ ବ୍ୟାଙ୍କ ୪.୫୦ ପ୍ରତିଶତ ସୁଧ ଦେଉଥିଲା। ଏହାକୁ ଏବେ କମାଇ ଦେଇ ୪ ପ୍ରତିଶତ କରିଦିଆଯାଇଛି।

ସେହିପରି ଏକ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ମାଚୁରିଟି ହେଲା ଭଳି ଫିକ୍ସ୍ ଡିପୋଜିଟ୍ ଉପରେ ବ୍ୟାଙ୍କ୍ ଏବେ ୫.୯୦ ପ୍ରତିଶତ ସୁଧ ଦେବ। ଏହା ପୂର୍ବରୁ ୬ ପ୍ରତିଶତ ରହିଥିଲା, ଯାହାକୁ ବର୍ତ୍ତମାନ ନୂଆ ନିୟମରେ ବଦଳାଇ ଦିଆଯାଇଛି।

Comment