ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାର କେଳା କେଳୁଣୀ ନାଚ ଏବେ ବିଲୁପ୍ତ ଅବସ୍ଥାରେ। ଏହି ପ୍ରାଚୀନ ଲୋକ ନୃତ୍ୟ ବା ଡୁଏଟ୍‌କୁ ହୋଲି ଓ ଦୋଳ ଯାତ୍ରା ସହ ସାଧାରଣତଃ ଯୋଡ଼ାଯାଇଥାଏ। ଏବେ କିନ୍ତୁ କେନ୍ଦ୍ରାପଡ଼ା ଓ ତା’ର ଆଖପାଖ ଜିଲ୍ଲାମାନଙ୍କରେ ଏହା ବେଶୀ ଦେଖିବାକୁ ମିଳୁନାହିଁ।

କୋଡ଼ିଏ ବର୍ଷ ତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୩୦୦ କେଳା ପରିବାର ରହୁଥିଲେ। ମହାକାଳପଡ଼ା, ରାଜନଗର, ରାଜକନିକା, ଆଳି ଓ ଗରଦପୁର ବ୍ଲକରେ ଏହି କେଳାମାନେ ବାସ କରୁଥିଲେ। ପୂଜା ପାର୍ବଣ ଋତୁରେ କେଳା ସମ୍ପ୍ରଦାୟର ଲୋକେ ଏହି ନାଚ ପ୍ରଦର୍ଶିତ କରୁଥିଲେ ଓ ନିଜର ପେଟ ପୋଷୁଥିଲେ।। ହେଲେ ଏବେ ମାତ୍ର ଶହେଟି କେଳା ପରିବାର ଏଠି ରହୁଛନ୍ତି ଯେଉଁମାନେ କି ଏହି ନାଚ ପ୍ରଦର୍ଶିତ କରୁଛନ୍ତି। ଗରଦପୁରର ଜଣେ କେଳା ନାଚ ଶିଳ୍ପୀ ଅଜୟ ଦାସ କହନ୍ତି, ’‘ଏଇକ୍ଷଣି ଏଠି ଆମେ ପ୍ରାୟ ୨୦ ପରିବାର ଅଛୁ। ପଚାଶ ବର୍ଷ ତଳେ ୬୦ ପରିବାର ଥିଲୁ।’’

କେଳା କେଳୁଣୀ ନାଚ ତା’ର ଲୋକପ୍ରିୟତା ହରାଇବାର ଗୋଟିଏ ପ୍ରମାଣ ହେଉଛି ଅଜୟ ଚାହୁଁ ନାହାନ୍ତି ତାଙ୍କ ଦୁଇ ପୁଅ ଏହି ବେଉସାରେ ରହନ୍ତୁ। ଅବଶ୍ୟ ଏହି ଅଞ୍ଚଳର କିଛି ଯୁବକ କେଳା କେଳୁଣୀ ନାଚକୁ ଆଗେଇ ନେବା ପାଇଁ ଚାହାଁନ୍ତି। କିନ୍ତୁ ଅସୁବିଧା ହେଉଛି ଏହି ଖେଳଟି ଏକେତ କଷ୍ଟ। ତା’ଛଡ଼ା ଏଥିରେ ବିଶେଷ ରୋଜଗାର ବି ନାହିଁ। ଏଣୁ ପୃଷ୍ଠପୋଷକତା ଅଭାବରୁ ଏହାକୁ କେହି ଆପଣେଇବା ପାଇଁ ଚାହୁଁନାହାନ୍ତି।

ମହାକାଳପଡ଼ା ଅଞ୍ଚଳର ଜଣେ କେଳା ନାଚ ଶିଳ୍ପୀ ଭାସ୍କର ଦାସଙ୍କ କହିବା ଅନୁଯାୟୀ ଯଦି ସରକାର ଏହି କଳାକୁ ବଞ୍ଚାଇବା ପାଇଁ ଆଗେଇ ନଆସନ୍ତି ଖୁବ ଶୀଘ୍ର ଏହା ଇତିହାସ ଗର୍ଭକୁ ଚାଲିଯିବ।

ଗୋଟିଏ ସମୟରେ କେଳା କେଳୁଣୀ ନାଚ ଓଡ଼ିଶାର ନୃତ୍ୟ ଓ ଯାତ୍ରା ପରମ୍ପରାକୁ ପୁଷ୍ଟ କରୁଥିଲା। ଲୋକନୃତ୍ୟ ଭାବେ ଏହାକୁ ପରିବେଷଣ କରାଯାଉଥିଲା ଓ ଏହାର ଗ୍ରାହକ ବି ବେଶୀ ଥିଲେ। ଏହି ନାଚ ଦେଖିବାକୁ ଖୁବ ମଜାଳିଆ। ନାଚ ଆରମ୍ଭରେ କଳାକାର ଜଣକ ସ୍ୱତନ୍ତ୍ର ନିର୍ମିତ କଣ୍ଢେଇର ମୁହଁ ଦେଇ ପ୍ରବେଶ କରିଥା’ନ୍ତି। ଏଣେ ଢୋଲ ବାଜୁଥିବ ଓ ମହୁରୀ ବି ବାଜୁଥିବ। ସ୍ଥାନୀୟ ଲୋକପ୍ରିୟ କବିମାନଙ୍କ ରଚନାକୁ ନେଇ କେଳା କେଳୁଣୀ ନାଚର ଗୀତ ଲେଖାଯାଇଥାଏ ଓ ସେହି ଗୀତକୁ ଖେଳ ସମୟରେ ଗାୟନ କରାଯାଏ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବାସୁଦେବ ଦାସ କହନ୍ତି, ‘‘କେଳା କେଳୁଣୀ ନାଚ ଦୃଶ୍ୟ ଶ୍ରାବ୍ୟ ଦୃଷ୍ଟିରୁ ଏକ ଚମତ୍କାର ମାଧ୍ୟମ। ଏହି ନାଚକୁ ବିଭିନ୍ନ ପ୍ରକାର ଜନହିତ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ବ୍ୟବହାର କରାଯାଇପାରେ। ସାମାଜିକ ବାର୍ତ୍ତା ଦେବା ପାଇଁ ମଧ୍ୟ ଏହା ଏକ ଉପଯୁକ୍ତ ମାଧ୍ୟମ ଭଳି ବ୍ୟବହାର ହୋଇପାରେ। ସାମାଜିକ ଅର୍ଥନୈତିକ ସମସ୍ୟା ଓ ଜାତୀୟ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ଏହି ମାଧ୍ୟମର ଆବଶ୍ୟକତା ରହିଛି।’’

କେନ୍ଦ୍ରାପଡ଼ା ଜିଲ୍ଲା ଜୀବିକା ମିଶନର ପ୍ରକଳ୍ପ ଅଧିକାରୀ ସତ୍ୟଭାମା ପ୍ରଧାନ କହନ୍ତି, ‘‘ଖୁବ ଶୀଘ୍ର ଆମେ କେଳା କେଳୁଣୀ ନାଚକୁ ପ୍ରୋତ୍ସାହନ ଦେବୁ। ସେମାନଙ୍କୁ ନେଇ ଏକ ସେଲ୍ଫହେଲ୍ପ ଗ୍ରୁପ ଗଠନ କରିବା ପାଇଁ ଆମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।’’

Comment