ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ରେଶମ ନଗରୀ ଭାବେ ପରିଚିତ ବ୍ରହ୍ମପୁରରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ପରମ୍ପରା ୨୫୦ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସୁଛି। ଏହା ପ୍ରତି ଦୁଇ ବର୍ଷରେ ଥରେ ହେଉଛି। ଐତିହାସିକମାନଙ୍କ ମତରେ ୧୭୬୬-୬୭ରେ ଗଞ୍ଜାମ ବ୍ରିଟିସ୍‌ ସରକାରଙ୍କ ଶାସନାଧୀନ ହେବା ପରେ ମହୁରୀ ରାଜା ସାହେବ ତାଞ୍ଜୋର ଏବଂ ରାଜ ମହେନ୍ଦ୍ରୀ ଯାଇ ସେଠାରେ ଥିବା ଲେଙ୍ଗାୟତ ଡେରା ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ମହୁରୀ ଆସି ସ୍ଥାୟୀ ଭାବେ ବସବାସ କରିବାକୁ ଆମନ୍ତ୍ରଣ କରିଥିଲେ।

ଡେରା ସମ୍ପ୍ରଦାୟର ମୁଖ୍ୟ କୋଟା ଚନ୍ଦ୍ରମଣି କୁବେର ସେନାପତିଙ୍କ ନେତୃତ୍ୱରେ ଏହି ବୁଣାକାରମାନେ ବ୍ରହ୍ମପୁରରେ ବସତି ସ୍ଥାପନ କଲେ। ଏହି ବୁଣାକାରମାନେ ପାଟ-ମଠା ବସ୍ତ୍ର ବୁଣା ସାଙ୍ଗକୁ ମା’ ବୁଢ଼ୀ ଠାକୁରାଣୀଙ୍କୁ ଇଷ୍ଟଦେବୀ ଭାବେ ଗ୍ରହଣ କରି ଘଟଯାତ୍ରା ଆରମ୍ଭ କରିଥିଲେ। କାଳକ୍ରମେ ଏହି ଘଟଯାତ୍ରା ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଭାବେ ପରିଚିତ ଲାଭ କରିଥିଲା। ଏବଂ ସେମାନଙ୍କ ପାଟ-ମଠା ବସ୍ତ୍ରର ବିକ୍ରି ଲାଗି ଏକ ଉତ୍କୃଷ୍ଟ ମଞ୍ଚ ସୃଷ୍ଟି କରିପାରିଥିଲା।

ସରକାରଙ୍କ ରେକର୍ଡ ଅନୁସାରେ ବ୍ରହ୍ମପୁରର ପଶ୍ଚିମାଞ୍ଚଳରେ ଡେରା ସମ୍ପ୍ରଦାୟର ଲୋକମାନେ ୧୮ଟି ବସତିରେ ବସବାସ କରିବାକୁ ଲାଗିଲେ। ପ୍ରତ୍ୟେକ ୧୮ଟି ବସତିର ମୁଖ୍ୟଙ୍କୁ ସେନାପତି କୁହାଯାଉଥିଲା। ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପୂଜାବିଧି ଓ ଠାକୁରାଣୀ ଯାତ୍ରା ଠିକ୍‌ ଭାବେ ପରିଚାଳନା ପାଇଁ ୧୮ ଜଣ ସେନାପତି ଜଣେ ମୁଖ୍ୟଙ୍କୁ ବାଛିଲେ ଓ ତାଙ୍କୁ ଦେଶୀ ବେହେରା ନାମରେ ନାମିତ କରାଗଲା।

ବୁଢ଼ୀ ଠାକୁରାଣୀଙ୍କୁ ଦେଶୀ ବେହେରାଙ୍କ ଝିଅ ଭାବେ ଧରାଯାଏ। ଯାତ୍ରା ସମୟରେ ମା’ ବୁଢ଼ୀ ଠାକୁରାଣୀ ତାଙ୍କ ବାପା ଘରେ ଆସି ରୁହନ୍ତି।

ପରମ୍ପରା ଅନୁଯାୟୀ ବୁଢ଼ୀ ଠାକୁରାଣୀଙ୍କୁ ଯାତ୍ରା ପାଇଁ ଇଟିମଳା ଫୁଲ ଅର୍ପଣ କରି ନିମନ୍ତ୍ରଣ କରାଯାଏ। ଏହି ଫୁଲ ମା’ଙ୍କ ମସ୍ତକରୁ ଏକ ଚାଙ୍ଗୁଡ଼ିରେ ଖସିପଡ଼େ ଓ ଏହାକୁ ଆଜ୍ଞାମାଳ ଭାବେ ଗ୍ରହଣ କରି ଦେଶୀ ବେହେରାଙ୍କ ପତ୍ନୀ ତାଙ୍କ ଘର ସମ୍ମୁଖରେ ଥିବା ଅସ୍ଥାୟୀ ମଣ୍ଡପକୁ ଆଣନ୍ତି।

ଚଳିତବର୍ଷ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଛି ଓ ଏହା ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Comment