ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଏହାଠାରୁ ଅଧିକ ଦାୟିତ୍ୱହୀନତା ଆଉ କିଛି ଥାଇନପାରେ। ପ୍ରାୟ ୧୦୫ ଜଣ ଓଡ଼ିଆ ବିଦେଶ ଫେରନ୍ତା କୋଭିଡ-୧୯ର କଟକଣା ନିୟମକୁ ଭାଙ୍ଗିଛନ୍ତି। ବିଦେଶରୁ ଫେରିବା ପରେ କ୍ଵରାଣ୍ଟାଇନ ମାନି ଚଳିବା କଥା। କିନ୍ତୁ ସେମାନେ ତାହାକୁ ଖାତିର କରିନାହାନ୍ତି। ଏମାନଙ୍କ ମଧ୍ୟରୁ ଚାରି  ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଯେଉଁମାନେ ବିଦେଶ ଗସ୍ତରୁ ଫେରୁଛନ୍ତି ସେମାନଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ୧୪ ଦିନ ପର୍ଯ୍ୟନ୍ତ ନିଜକୁ ଘରେ  ଅଲଗା କରି ରଖିବେ। କିନ୍ତୁ ତାହା ନକରିବାରୁ ସେମାନଙ୍କ ବିରୋଧରେ ଅଭିଯୋଗ ଆସିଛି। କରୋନା କଣ୍ଟ୍ରୋଲ ରୁମକୁ ଏହିଭଳି ୧୦୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଲୋକେ। ସ୍ୱାସ୍ଥ୍ୟ ସୁରକ୍ଷା ନିୟମକୁ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଥିଲେ ହେଁ ଏହି ବିଦେଶୀ ଫେରନ୍ତାମାନେ ନିୟମ ଭାଙ୍ଗିଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

ଅବଶ୍ୟ ଏହି ବ୍ୟକ୍ତିମାନେ କରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ଯଥା ଚୀନ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ ଓ ଆମେରିକା ଯାଇଥିଲେ କି ତାହା ଜଣା ପଡ଼ିନାହିଁ। କିନ୍ତୁ ଏମାନେ ବିଦେଶରୁ ଫେରିବା ପରେ ମାର୍କେଟିଙ୍ଗ କରିବା ସହ ବିନ୍ଦାସରେ ବୁଲୁଥିବା ଅଭିଯୋଗ ହୋଇଛି। ଏହିଭଳି ଆଚରଣ ପ୍ରଦର୍ଶନ କରିବା ଫଳରେ ସେମାନେ ଅନ୍ୟ ଲୋକଙ୍କୁ ବିପଦରେ ପକାଇଥିବା ଅଭିଯୋଗ କରାଯାଇଛି।

ଏହିଭଳି ଆଇନ ଖିଲାପକାରୀଙ୍କ ସଂଖ୍ୟା ବଢ଼ୁଥିବା କାରଣରୁ ରବିବାର ଦିନ ୪ ଜଣଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରୁ ଗୋଟିଏ ଦମ୍ପତି ଆମେରିକାରୁ ନିକଟରେ  ଫେରିଥିଲେ। ଏ ସମସ୍ତଙ୍କୁ ଧରି କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ସରକାରୀ ଆଇସୋଲେସନରେ ରଖାଯାଇଛି।
ଏହି ବିଦେଶ ଫେରାନ୍ତଙ୍କ ଭିତରୁ ବେଶ କିଛି ପଇସା ବାଲା ଘରର ସଦସ୍ୟ ବୋଲି କୁହାଯାଉଛି।

ବିଦେଶରୁ  ଫେରିବା ପରେ ଯେଉଁ ସ୍କ୍ରିନିଂ କରାଯାଏ ସେଥିରେ ଥିବା ହୁଗୁଳା ବାଟ ଦେଇ ଏମାନେ ଖସି ଯାଇଥିବା ଜଣାପଡିଛି। କିଛି ବ୍ୟକ୍ତି ନିୟମ ସମ୍ପର୍କରେ ଜାଣିନଥିଲେ ବୋଲି ମଧ୍ୟ ସଫେଇ ଦେଇଥିବା ଜଣାପଡ଼ିଛି।

ବିଦେଶ ଗସ୍ତରୁ ଫେରି ନିୟମ ଭାଙ୍ଗିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ହେତୁ ଏହି ଚାରି ଜଣଙ୍କୁ ଧରି କଟକ, ଭୁବନେଶ୍ୱର ଓ ସମ୍ବଲପୁର ସରକାରୀ କେନ୍ଦ୍ରରେ ରଖାଯାଇଛି। ଏମାନଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ବି  ରୁଜୁ କରାଯାଇଛି। ଏଥି ମଧ୍ୟରୁ ଗୋଟିଏ ଦମ୍ପତ୍ତି ଆମେରିକାରୁ ଫେରିଥିଲେ। ରବିବାର ଦିନ ଜନତା କର୍ଫ୍ୟୁ ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନେ ବ୍ୟସ୍ତ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମସିର ଅଧିକାରୀମାନେ କିନ୍ତୁ ଏମାନଙ୍କ ପଛରେ ପଡ଼ିଥିଲେ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ବିଦେଶ ଫେରନ୍ତ।ଙ୍କ ପାଇଁ କିଛି କଡ଼ା ବ୍ୟବସ୍ଥା କରାଯାଇଛି। ଏମାନଙ୍କ ସ୍ୱାସ୍ଥ୍ୟ ଉପରେ ସବୁଠାରୁ ବେଶୀ ନଜର ଦିଆଯାଉଛି। ନିଜ ନାମ ପଞ୍ଜିକୃତ କରିବା ପରେ ସେମାନଙ୍କୁ  କିଛି ପ୍ରଶ୍ନ ପଚରା ଯାଇଥାଏ ଏବଂ ସେମାନଙ୍କର ଜବାବକୁ ରେକର୍ଡ଼ କରାଯାଇଥାଏ। ଯଦି ସେମାନେ ଦେଇଥିବା ଉତ୍ତର ସହ ସାହି ପଡ଼ୋଶୀଙ୍କ ଠାରୁ ମିଳିଥିବା ବିବରଣୀ ଖାପ ନଖାଏ ସେମାନଙ୍କୁ ଘରୁ ଉଠାଇ ଆଣି ସରକାରୀ ତତ୍ତ୍ୱାବଧାନରେ ରଖାଯାଏ।

ଯେଉଁ ବିଦେଶ ଫେରନ୍ତା ଘରେ ଆଇସୋଲେସନରେ ରହିବେ ସେମାନଙ୍କ ପାଇଁ କେତୋଟି କଥା ଧାର୍ଯ୍ୟ କରାଯାଇଛି। ଘରେ ଅଲଗା କୋଠରୀରେ ସେମାନେ ରହିବେ। ଏହି କୋଠରୀ ଭିତରକୁ ସ୍ୱଚ୍ଛ ବାୟୁ ଚଳ ପ୍ରଚଳ କରୁଥିବ। ସେମାନଙ୍କ ପାଇଁ ଅଲଗା ଟୟଲେଟ ଥିବ।ବରାବର ସାନିଟାଇଜରରେ ହାତ ଧୋଉଥିବେ। ଛିଙ୍କିଲା ବେଳେ ମୁହଁରେ ରୁମାଲ ଦେଇ ଛିଙ୍କିବେ। ଯଥେଷ୍ଟ ପାଣି ପିଇବେ। ଯଦି ଜ୍ଵର, କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ସାଙ୍ଗେ ସାଙ୍ଗେ ୧୦୪କୁ ଡାକିବେ।

ଖବର ଅନୁସାରେ, କୋଭିଡ-୧୯ ପୋର୍ଟାଲ ଓ ୧୦୪ ହେଲ୍‌ପଲାଇନରେ ଏପର୍ଯ୍ୟନ୍ତ  ୩୪୭୪ ଜଣ ବିଦେଶୀ ଫେରନ୍ତା  ପଞ୍ଜିକରଣ କରିଛନ୍ତି। ଏହି ଲୋକଙ୍କ ଭିତରୁ କେବଳ ଦୁଇ ଜଣଙ୍କଠାରେ କରୋନା ପିଜିଟିଭ ବାହାରିଥିଲା। ଏମାନଙ୍କ ଭିତରୁ ଏମ୍‌ସର ଜଣେ ବରିଷ୍ଠ ଡାକ୍ତରଙ୍କ ପୁଅ ଥିଲେ ଯିଏ ଲଣ୍ଡନରୁ ଫେରିଥିଲେ କିନ୍ତୁ ଡାକ୍ତର ଜଣକ ନିୟମ ନମାନି ବରିଷ୍ଠ ଅଧିକାରୀଙ୍କ ସହ କରୋନା ପରିଚାଳନା ବୈଠକରେ ଯୋଗ ଦେଇଥିଲେ।

Comment