ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପିଡିଏସ୍ ବ୍ୟବସ୍ଥାରେ ଲୋକମାନଙ୍କୁ ୨ ଟଙ୍କାରେ ଗହମ ଓ ୩ ଟଙ୍କାରେ ଚାଉଳ ମିଳିବ। ଏନେଇ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ଲୋକମାନଙ୍କୁ କଦାପି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଦେଶର ୮୦ କୋଟି ଲୋକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାତ୍ର ୨ଟଙ୍କାରେ ଗହମ ଓ ୩ ଟଙ୍କାରେ ଚାଉଳ ଯୋଗାଇଦିଆଯିବ। ଆଗାମୀ ତିନି ମାସ ପାଇଁ ଏହି ବ୍ୟବସ୍ଥା ଜାରି ରହିବ ବୋଲି ସେ କହିଛନ୍ତି।ଅନ୍ୟପଟେ ବୁଧବାର ବିହାର ସରକାର ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ରାସନ୍ କାର୍ଡଧାରୀଙ୍କୁ ସରକାରଙ୍କ ତରଫରୁ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ବିହାର ସରକାର ଘୋଷଣା କରିଛନ୍ତି।

କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ଔଷଧ। ଏହି କାରଣରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୧ ଦିନ ଯାଏଁ ସାରା ଦେଶକୁ ଲକଡାଉନ୍ ଘୋଷଣା କରିଛନ୍ତି। ଫଳରେ ଏହି ୨୧ ଦିନ କେବଳ ନିତ୍ୟବ୍ୟବହାର୍ଯ୍ୟ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ, ଗାଡ଼ି ମୋଟର ଆଦି ବନ୍ଦ ରହିବ ବୋଲି ମୋଦୀ କହିଛନ୍ତି।

Comment